ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି

Published By : Prameya-News7 Bureau | October 28, 2020 IST

ପୁରୀ ୨୮।୧୦: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ସହ ଆଜି ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦ୍ବିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଏହି ନୀତି ଆରମ୍ଭ କରିବେ । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୪ ଘଣ୍ଟା ଧରି ଏହି ନୀତି ଚାଲିବ ।

ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ବନକଲାଗି ନୀତି କରିବେ । ପ୍ରଥା ଓ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରତ୍ୟେକ ବୁଧବାର କିମ୍ବା ଗୁରୁବାରରେ ବନକ ଲାଗି ନୀତି ପାଳନ ହେବାର ବିଧି ରହିଛି ।

ଶ୍ରୀମନ୍ଦିର ନୀତି ନୀର୍ଘଣ୍ଟ ଅନୁଯାୟୀ ଅପରାହ୍ନ ୩ଟା ୩୦ମିନିଟରୁ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ଆରମ୍ଭ କରାଯିବ । ପ୍ରାୟ ୪ ଘଣ୍ଟା ଧରି ଏହି ବନକ ଲାଗି ନୀତି କରାଯାଉଥିବା ବେଳେ ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ । ତେବେ ବନକ ଲାଗି ପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତ ମାନେ ଏହି ନୀତି ସଂପନ୍ନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.