ସମ୍ପୂର୍ଣ୍ଣ ମର୍ଯ୍ୟାଦା ସହ ହୋମଗାର୍ଡଙ୍କ ଶେଷକୃତ୍ୟ, ହାଣି ଦେଇଥିଲେ ଗଞ୍ଜେଇ ମାଫିଆ

Published By : Prameya-News7 Bureau | September 07, 2020 IST

ଗଞ୍ଜାମ, ୦୭|୦୯:  ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଶୁନାନ୍ତର ଗ୍ରାମର ବନବାସୀ ମହାରଣା ମାଲକାନଗିରିରେ ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।  ଓର୍କେଲ ଥାନାରେ କାର୍ଯ୍ୟରତ୍ତ ହୋମଗାର୍ଡଙ୍କୁ ଗତ ଶନିବାର ରାତିରେ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିଲେ । ତେବେ ତାଙ୍କ ପାର୍ଥୀବ ଶରୀର ପୈତୃକ ଗ୍ରାମରେ ପହଁଚିବା ପରେ ସମ୍ପୂର୍ଣ୍ଣ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଛି ।

ସୂଚନାନୁସାରେ,  ଶନିବାର ରାତିରେ  ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଭାରରେ ଚୋରା ଗଞ୍ଜେଇ ଚିତ୍ରକୋଣ୍ଡାରୁ ଆଣି  ଜଙ୍ଗଲ ରାସ୍ତାଦେଇ ଛତିଶଗଡ଼କୁ ଚାଲାଣ କରୁଥିଲେ । ଏହି  ଖବର ପାଇ ବାଲିମେଳା ଓ ମାଥିଲି ରାସ୍ତାରେ ଓର୍କେଲ ଥାନା ପୋଲିସ ଜଗି ରହିଥିଲା। ଗଞ୍ଜେଇ ଚୋରା ଚାଲାଣକାରୀମାନେ ରାସ୍ତା ପାର ହେଉଥିବା ବେଳେ ଚାଉଳମେନ୍ଦି ଗ୍ରାମ ଜଙ୍ଗଲ ନିକଟରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଚୋରା ଚାଲାଣକାରୀମାନେ ପୋଲିସ ଉପରେ ଆକ୍ରମଣ କରିବାରୁ ଜଣେ ହୋମଗାର୍ଡ ଗୁରୁତର ଭାବେ ଆହତ ହୋଇଥିଲେ। ଅନ୍ଧାରର ସୁଯୋଗ ଦେଖି  ଗଞ୍ଜେଇ କାଉଡ଼ିଆ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିଲେ। ତେବେ ଆହତ ହୋମଗାର୍ଡ ବନବାସୀ ମହାରଣାଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବନବାସୀଙ୍କ ପାର୍ଥୀବ ଶରୀର ପୈତୃକ ଗ୍ରାମରେ ପହଁଚିବା ପରେ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଶେରଗଡ଼ ଆଇଆଇସି ରମେଶ ଦାସ ଏବଂ ସ୍ଥାନୀୟ ଅଞ୍ଚଳର ବହୁ ପଦାଧିକାରୀ, ବୁଦ୍ଧିଜିବୀ ଓ ଗ୍ରାମବାସୀ ଅନ୍ତିମ ଦର୍ଶନ କରିଥିଲେ ।  ବନବାସୀଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୋମବାର ସକାଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.