ଘରୋଇ ଉଡାଣ ଉପରୁ ହଟିଲା କଟକଣା: ଅକ୍ଟୋବର ୧୮ରୁ ବିମାନର ପୂରା ସିଟ୍ ହେବ ବୁକ୍, ମନ୍ତ୍ରଣାଳୟ ଦେଲା ଅନୁମତି

Published By : Prameya-News7 Bureau | October 12, 2021 IST

ନୂଆଦିଲ୍ଲୀ ୧୨।୧୦: କରୋନା ଭାଇରସ୍‌ ମାମଲା କମିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ଉଡାଣ ଉପରେ ଲଗାଇଥିବା କଟକଣା କୋହଳ କରିଛନ୍ତି। ମନ୍ତ୍ରଣାଳୟ ଅକ୍ଟୋବର ୧୮ରୁ ଘରୋଇ ଉଡାଣକୁ ୧୦୦ ପ୍ରତିଶତ କ୍ଷମତା ସହିତ ସଞ୍ଚାଳନ କରିବାକୁ ଅନୁମତି ଦେଇଛନ୍ତି। ମଙ୍ଗଳବାର ଏହି ସମ୍ବନ୍ଧରେ ନିର୍ଦ୍ଦେଶ  ଜାରି କରାଯାଇଛି। ଏହା ପୂର୍ବରୁ ଘରୋଇ ଉଡାଣ ୮୫ ପ୍ରତିଶତ କ୍ଷମତା ସହିତ ସଞ୍ଚାଳନ ହେଉଥିଲା।

ଗତ ମାସର ତୃତୀୟ ସପ୍ତାହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ଉଡାଣକୁ ୮୫ ପ୍ରତିଶତ କ୍ଷମତା ସହ ସଞ୍ଚାଳନ କରିବାକୁ ଅନୁମତି ଦେଇଥିଲେ। ଏହା ପୂର୍ବରୁ ୭୨.୫ ପ୍ରତିଶତ ସହିତ ବିମାନ ସଞ୍ଚାଳନ କରାଯାଉଥିଲା।

ସୂଚନାଯୋଗ୍ୟ, ଗତ ବର୍ଷ କରୋନା ଲକଡାଉନ୍‌ରେ ଉଡାଣ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଥିଲା। ପରେ ୨୦୨୦ ମେ ୨୫ରେ ୩୩ ପ୍ରତିଶତ କ୍ଷମତା ସହିତ ଉଡାଣ ଭରିବାକୁ ଅନୁମତି ଦିଆଯାଇଥିଲା। ପରେ ୨୦୨୦ ଡିସେମ୍ବରରେ ଏହାକୁ ବୃଦ୍ଧି କରାଯାଇ ୮୦ ପ୍ରତିଶତ କରାଯାଇଥିଲା।

ଚଳିତ ବର୍ଷ ଏପ୍ରିଲ ଓ ମେରେ କରୋନା ଭାଇରସ୍‌ର ଦ୍ଵିତୀୟ ଲହର କାରଣରୁ ସରକାର ଘରୋଇ ଉଡାଣରେ ଯାତ୍ରୀଙ୍କ କ୍ଷମତା ହ୍ରାସ କରି ୫୦ ପ୍ରତିଶତ କରିଥିଲେ। ପରେ କରୋନା ମାମଲା ହ୍ରାସ ପରେ କ୍ଷମତା ଧିରେ ଧିରେ ବଢାଯାଉଥିଲା ଏବଂ ଏବେ ଏହାକୁ ୧୦୦ ପ୍ରତିଶତ କରାଯାଇଛି। କିନ୍ତୁ ଉଡାଣ ସମୟରେ କରୋନା-୧୯ ପ୍ରଟୋକୋଲର ପୂରା ଧ୍ୟାନ ରଖାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.