ଚଳିତବର୍ଷ ବି ବାଲିଯାତ୍ରା ବନ୍ଦ ! କ୍ଷୁଦ୍ର ବ୍ୟବସାୟୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ହେବେ ନିରାଶ

Published By : Prameya-News7 Bureau | October 26, 2021 IST

କଟକ,୨୬/୧୦: ଗତ ବର୍ଷ ପରି ଏ ବର୍ଷ ମଧ୍ୟ କଟକରେ ରାଜ୍ୟସ୍ତରୀୟ ଐତିହାସିକ ବାଲିଯାତ୍ରା ଆୟୋଜନ ହେବ ନାହିଁ । କୋଭିଡ୍‌ କଟକଣା ଜାରି ରହିଥିବାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି । ବାଲିଯାତ୍ରା ଆୟୋଜନ ନ ହେବା ଖବର କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କୁଟୀର ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀଙ୍କ ସମେତ ମଧ୍ୟମବର୍ଗର ବ୍ୟବସାୟୀ ଏବଂ ମିଶନ ଶକ୍ତି ତଥା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପୁଣି ନିରାଶ କରିଛି । ଏପରିସ୍ଥଳେ ବାଲିଯାତ୍ରାରେ ବ୍ୟବସାୟ ପାଇଁ ଚାତକ ପରି ଚାହିଁ ବସିଥିବା ବ୍ୟବସାୟୀ ହତାଶ ହୋଇପଡ଼ିଛନ୍ତି ।

କରୋନାକୁ ନେଇ ଲୋକଙ୍କ ମନରେ ଆଶଙ୍କା କମିବା ସହ ରାଜ୍ୟରେ ବିଭିନ୍ନ ରାଜନୈତିକ ସମାବେଶ ସମେତ ସରକାରୀ ସ୍ତରରେ କୋଭିଡ୍‌ କଟକଣାରେ ସମାବେଶ ଏବଂ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏପରିସ୍ଥିତିରେ କଟକର ଐତିହାସିକ ବାଲିଯାତ୍ରାକୁ କିପରି କୋଭିଡ୍‌ କଟକଣା ମଧ୍ୟରେ ଆୟୋଜନ କରିହେବ ସେ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନେଇ ବାଲିଯାତ୍ରାକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା କଥା, ସାମାଜିକ ଦୂରତା ରକ୍ଷା କରାଯାଇ ବାଲିଯାତ୍ରା ଆୟୋଜନ ପାଇଁ ମହାନଦୀ ପଠାରେ ଜାଗାର ଅଭାବ ନାହିଁ । କିଲ୍ଲା ପଡ଼ିଆ ତଥା ତଳ ଉପର ପଡ଼ିଆ ସହ ନଦୀ ପଠାରେ ବିସ୍ତୀର୍ଣ୍ଣ ବାଲି ପଠା ପଡ଼ିଛି ।

ଏପରିସ୍ଥଳେ ବାଲିଯାତ୍ରା ଆୟୋଜନ କରିବାରେ କୌଣସି ଅସୁବିଧା ନାହିଁ । ଭୁବନେଶ୍ୱର, ପୁରୀ ସମେତ ରାଜ୍ୟର କିଛି ପ୍ରମୁଖ ଅଞ୍ଚଳରେ କୋଭିଡ୍‌ କଟକଣାରେ ଯଦି ହସ୍ତତନ୍ତ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରୁଛି, କଟକରେ କୋଭିଡ୍‌ କଟକଣାରେ ବାଲିଯାତ୍ରା ଆୟୋଜନ କାହିଁକି ହୋଇପାରିବ ନାହିଁ । ବାଲିଯାତ୍ରାରେ ବୃହତ୍‌ ବ୍ୟବସାୟିକ ସଂସ୍ଥା, ମନୋରଞ୍ଜନ ଧର୍ମୀ ଷ୍ଟଲ୍‌ ନହେଲେ ମଧ୍ୟ ପ୍ରଶାସନର ନିଜସ୍ୱ ଓରମାସ ମେଳା, ହସ୍ତତନ୍ତ୍ର ପ୍ରଦର୍ଶନୀ ଏବଂ ଗାନ୍ଧି ଶିଳ୍ପ ବଜାର ଆଦି ସରକାରୀ ଷ୍ଟଲ ଖୋଲିବାରେ ଅସୁବିଧା ହେବ ନାହିଁ । କାରଣ ଉକ୍ତ ଷ୍ଟଲଗୁଡ଼ିକରେ ମୁଖ୍ୟତଃ ଏସ୍‌ଏଚଜି ଗ୍ରୁପ୍‌ଙ୍କ ଦ୍ୱାରା ପ୍ରସ୍ତୁତ ଘରକରଣା ଜିନିଷ ଏବଂ ବିଭିନ୍ନ ସାମଗ୍ରୀ ବିକ୍ରି ହୋଇଥାଏ ।

ଅନ୍ୟପକ୍ଷରେ ବାଲିଯାତ୍ରା ୧୦ ଦିନ ବ୍ୟାପି ହୋଇଥାଏ । ରାଜ୍ୟର ଏହି ସର୍ବବୃହତ ଯାତ୍ରାରେ ଛୋଟବଡ଼ ମିଶି ୨ ହଜାରରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରିଥାନ୍ତି । ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହୋଇଥାଏ । ଏହାଦ୍ୱାରା ଜିଲ୍ଲା ପ୍ରଶାସନ ଏବଂ ସିଏମ୍‌ସିର ମଧ୍ୟ ଆୟ ବୃଦ୍ଧି ପାଇଥାଏ । ବାଲିଯାତ୍ରା ବନ୍ଦ ହୋଇଯିବା ଦ୍ୱାରା ପ୍ରଶାସନର ବହୁ ରାଜସ୍ୱହାନି ହେଉଛି ।

ଏ ସମ୍ପର୍କରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ରାଜ୍ୟରେ କୋଭିଡ୍‌ କଟକଣା ରହିଥିବାରୁ ମେଳା, ମହୋତ୍ସବ, ବଡ଼ ପ୍ରଦର୍ଶନୀ ପାଇଁ କଟକଣା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଆୟୋଜନ କରାଯାଉନାହିଁ ବୋଲି ଶ୍ରୀ ଚୟନୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.