ପ୍ରମାଣିତ ହେଲାନାହିଁ ଶାରୀରିକ ନିର୍ଯ୍ୟାତନା- ଯାଞ୍ଚ ରିପୋର୍ଟ ଏବଂ ପରିଣାମ ସମ୍ପୂର୍ଣ୍ଣ ଓଲଟା, ବଦଳି ହେଲେ ଶିକ୍ଷୟତ୍ରୀ ଓ ପ୍ରଧାନଶିକ୍ଷକ

Published By : Prameya-News7 Bureau | November 07, 2019 IST

ବାଲେଶ୍ୱର /ଭୁବନେଶ୍ୱର  ୦୭।୧୧ - ସବୁ ଶାରୀରିକ ନିର୍ଯ୍ୟାତନା ଅଭିଯୋଗ ଯେ, ସବୁବେଳେ ସତ ବୋଲି ପ୍ରମାଣିତ ହେବ ଏବଂ ଯାହା ବିରୋଧରେ ଅଭିଯୋଗ ହୋଇଥିବ ସେ ଦଣ୍ଡ ପାଇବେ ତା'ର ଗ୍ୟାରେଣ୍ଟି ନାହିଁ ।

 ଏହିଭଳି ଏକ ଘଟଣା ସାମନାକୁ ଆସିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକରେ । ଜଣେ ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୁର୍ବ୍ୟବହାର ଏବଂ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଥିଲେ ।  କିନ୍ତୁ ଏହି ଘଟଣାରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ । ତେବେ, ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀ ଓ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ଅଲଗା ଅଲଗା ସ୍ଥାନକୁ  ବଦଳି କରାଯାଇଛି।

ବାରମ୍ବାର ମୋତେ ଦୁର୍ବ୍ୟବହାର କରୁଛନ୍ତି । ତାଙ୍କ ପ୍ରରୋଚନାରେ ମୋତେ ଶାରୀରିକ ନିର୍ଯ୍ୟାତନା ଦିଆଯାଉଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଜାଠିଆ କୃଷ୍ଣଭାନୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଏହିଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ସେହି ସ୍କୁଲର ଜଣେ ଶିକ୍ଷୟିତ୍ରୀ  । ଏ ସଂପର୍କରେ ସେ ଚଳିତ ବର୍ଷ ମାର୍ଚ୍ଚ ମାସରେ ସ୍କୁଲ ପରିଚାଳନା କମିଟି ସଭାପତି ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ।

ପରେ ସେପ୍ଟେମ୍ବର ମାସରେ ଏ ସମ୍ପର୍କରେ ବାଲିଆପାଳ ଥାନାରେ ଏତଲା ଦେଲେ । ପୁଲିସ ଏକ ମାମଲା ରୁଜୁ କଲା, କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ହେଲାନି । ଏହାପରେ,  ଶିକ୍ଷୟତ୍ରୀ  ଜଣକ ବାଲେଶ୍ବର ଜିଲ୍ଲାପାଳ, ବସ୍ତା ଏସ୍‌ପିଙ୍କଠୁ ଆରମ୍ଭ କରି ବିଭିନ୍ନ ଫୋରମରେ ଗୁହାରୀ କଲେ । ଗଣମାଧ୍ୟମର ଆଶ୍ରୟ ମଧ୍ୟ ନେଲେ ।

ଶିକ୍ଷା ବିଭାଗ ଘଟଣାର ତଦନ୍ତ କଲା . ମାତ୍ର, ଫଳ ହେଲା ଓଲଟା । ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀ ଓ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ଶିକ୍ଷା ମନ୍ତ୍ରୀ ।

ଶିକ୍ଷୟତ୍ରୀ ଙ୍କ ଅଭିଯୋଗ ମୁତାବକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ରତିକାନ୍ତ ଜେନା ତାଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରିବା ସହିତ ମାନସିକ ନିର୍ଯାତନା ଦେଉଥିଲେ। ଏମିତି କି ପ୍ରଧାନଶିକ୍ଷକଙ୍କ ପ୍ରରୋଚନାରେ ଶିକ୍ଷକ ସୁଧାଂଶୁ ଶେଖର ଜେନା ଏବଂ ଜାଠିଆ ଗ୍ରାମର କମଳଲୋଚନ ପଣ୍ଡା ନାମକ ଜଣେ ବ୍ୟକ୍ତି ମଧ୍ୟ ତାଙ୍କୁ ଅସଦାଚରଣ କରିବାକୁ ପଛାଉ ନ ଥିଲେ ବୋଲି ସେ ଆଭିଯୋଗ କରିଥିଲେ  । ଘଟଣାର ତଦନ୍ତ କରି ବସ୍ତା  ଏସ୍‌ଡିପିଓ ରଣଜିତ କୁମାର ପୃଷ୍ଟି ଏବଂ ବାଲିଆପାଳ ଥାନା ଏସ୍‌ଆଇ ସ୍ବର୍ଣ୍ଣପ୍ରଭା ଜେନା ରିପୋର୍ଟ ଦେଲେ । ତେବେ ତଦନ୍ତ ରିପୋର୍ଟ ଶିକ୍ଷୟତ୍ରୀଙ୍କ ସପକ୍ଷରେ ନ ଥିଲା ।

ଏହିଭଳି ଅନେକ ଅଭିଯୋଗରେ ସାଧାରଣତଃ ଯାହା ବିରୋଧରେ ଅଭିଯୋଗ ଆସିଥାଏ ସେ ହିଁ ଦଣ୍ଡିିତ ହୋଇଥାଏ । ସମାଜରେ ନିନ୍ଦିତ ହୋଇଥାଏ । ମାତ୍ର, ଏ ଘଟଣାରେ ତଦନ୍ତ ରିପୋର୍ଟ ଏବଂ ପରିଣାମ ହୋଇଛି ସମ୍ପୂର୍ଣ୍ଣ  ଓଲଟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.