ଶ୍ମଶାନରେ ବଳି ଉଦ୍ୟମ, ସାହସ କରି ଖସି ଆସିଲା ନାବାଳିକା ଛାତ୍ରୀ: ସନ୍ଦିଗ୍ଧ ତାନ୍ତ୍ରିକ ଫେରାର

Published By : Prameya-News7 Bureau | March 04, 2020 IST

ସାଲେପୁର୪।୩ : ଗାଁର ଜଣେ ନାବାଳିକାଙ୍କୁ  ଅଚେତ କରି ଶ୍ମଶାନକୁ ନେଇ ବଳି ଦେବାକୁ ଉଦ୍ୟମ କରାଯିବା ବେଳେ ନାବାଳିକା ଜଣକ କୌଣସି ପ୍ରକାରେ ସେଠାରୁ ଖସି ପଳାଇ ଆସିଛନ୍ତି । କଟକ ଜିଲ୍ଲା ସାଲେପୁର ଥାନାନ୍ତର୍ଗତ ମିର୍ଜାପୁର ପଞ୍ଚାୟତର ଛୋଟିପଡ଼ା ଗ୍ରାମରେ ଘଟିଛି ସନ୍ଦିଗ୍ଧ ତନ୍ତ୍ରସାଧନା ସମ୍ପର୍କିତ ଏକ ଅଭାବନୀୟ ଘଟଣା । କେବଳ ସେତିକି ନୁହେଁ, ଗାଁର ଆଉ ୩ ଜଣ ଛାତ୍ରଛାତ୍ରୀ ହଠାତ୍‌ ଅଚେତ ହୋଇପଡ଼ିବା ପରେ ସନ୍ଦିଗ୍ଧ ତନ୍ତ୍ର ସାଧକ ଜଣକ ଗାଁ ଛାଡ଼ି ଫେରାର ହୋଇଯାଇଛନ୍ତି ।

ଏହି ଦୁଇଟିଯାକ ଘଟଣା ପରେ ଗାଁରେ ତନ୍ତ୍ର ଓ ଗୁଣିଗାରେଡି କରାଯାଉଥିବା ସନ୍ଦେହ ବଢିଛି । ଏ ସମ୍ପର୍କରେ ନାବାଳିକା ଓ ଅନ୍ୟ ୨ ନାବାଳକଙ୍କ ପରିବାର ଲୋକେ ସାଲେପୁର ଥାନାରେ ଏତଲା ଦେଇ ତୁରନ୍ତ ଅଭିଯୁକ୍ତ ତନ୍ତ୍ର ସାଧକକୁ ଗିରଫ କରିବା ଲାଗି ଦାବି କରିଛନ୍ତି । ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲେ ହେଁ କିଛି ଠୋସ୍‌ ପ୍ରମାଣ ଯୋଗାଡ଼ କରିପାରି ନାହିଁ କିମ୍ବା ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇପାରି ନାହିଁ । ଏହି ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ଭୟଭୀତ ହୋଇପଡ଼ିଛନ୍ତି ।

ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଛୋଟିପଡ଼ା ଗ୍ରାମର ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ୧୩ ବର୍ଷୀୟ ଜଣେ ନାବାଳିକା ଗତ ମାସ ୨୨ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଅଜାଣମଠ ପରିସରରେ ଥିବା ପଡ଼ିଆକୁ ଶୌଚ ଲାଗି ଯାଇଥିଲେ । ଅନ୍ଧାରର ସୁଯୋଗରେ ଉକ୍ତ ଗ୍ରାମର ଗଗନ ବିହାରୀ ସ୍ୱାଇଁ ଓ ତା’ର ଜଣେ ସହଯୋଗୀ ଛାତ୍ରୀଙ୍କ ମୁହଁରେ କପଡ଼ା ବାନ୍ଧି ଦେଇ ତାଙ୍କୁ ଅଚେତ କରିଦେଇଥିଲେ । ପରେ ନିକଟରେ ଥିବା ଶ୍ମଶାନକୁ ନେଇ ତାଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ କରି ତନ୍ତ୍ର ସାଧନ ଉଦ୍ଦେଶ୍ୟରେ ବଳି ଦେବା ପାଇଁ ସେଠାରେ ବସାଇ ପୂଜାର୍ଚ୍ଚନା କରିଥିଲେ ।

ନାବାଳିକାଙ୍କ ଚେତା ଫେରିବା ପରେ କୌଶଳକ୍ରମେ ସେଠାରୁ ସେ ଖସି ଆସି ଘରେ ସମସ୍ତ କଥା କହିଥିଲେ। ଏ ସମ୍ପର୍କରେ ନାବାଳିକାଙ୍କ ବାପା ଅଭିଯୁକ୍ତ ଗଗନଙ୍କୁ ପଚାରିବାରୁ ଗଗନ ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲା । ଏହି ଘଟଣାର କିଛି ଦିନ ପରେ ତାନ୍ତ୍ରିକ ଗଗନ ପୂଜାର୍ଚ୍ଚନା କରି ଗାଁର ବିଭିନ୍ନ ଛକରେ ମନ୍ତୁରା ସିନ୍ଦୂର ଓ ଫୁଲ ରଖିଥିଲା । ଘଟଣାକ୍ରମେ ସମ୍ପୃକ୍ତ ନାବାଳିକାଙ୍କ ଭାଇ ଓ ଉକ୍ତ ଗ୍ରାମର ଅନ୍ୟ ଦୁଇ ଜଣ ଛାତ୍ର ହଠାତ୍‌ ଅଚେତ୍‌ ହୋଇଯିବା ସହ ବିଭିନ୍ନ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରିଥିଲେ । ଗଗନ ତନ୍ତ୍ର ସାଧନା କରୁଥିବାରୁ ବାଉତି ପେଷଣ କରି ଏମାନଙ୍କୁ ଏଭଳି ହଇରାଣ ହରକତ କରୁଥିବା ପିଲାଙ୍କ ଅଭିଭାବକମାନେ ଥାନାରେ ଆଜି ଏତଲା ଦେଇଛନ୍ତି ।

ସୋମବାର ରାତିରେ ଅଚେତ ହୋଇ ପଡ଼ିଥିବା ଏହି ତିନି ଜଣ ନାବାଳକଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଓ ପରେ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର କୌଣସି ରୋଗ ନ ଥିବା କହିବାରୁ ଅଭିଭାବକମାନେ ପିଲାଙ୍କୁ ଆଣି ପୁଣି ଝଡ଼ାଫୁଙ୍କା ଚଳାଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ସାଲେପୁର ଥାନା ଆଇଆଇସି ଦେବେନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଛି ଓ ତଦନ୍ତ ଜାରି ରହିଛି । ତଦନ୍ତ ପରେ ଏହି ଘଟଣା ଉପରୁ ପର୍ଦ୍ଦା ହଟିବ । ଅଭିଯୁକ୍ତ ଫେରାର୍‌ ଥିବାରୁ ତାକୁ ଧରିବା ଲାଗି ଉଦ୍ୟମ ଜାରି ରହିଛି । ପୁଲିସ୍‌ ନିରପେକ୍ଷ ତଦନ୍ତ କଲେ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.