ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ରେଜଲ୍ଟ,ଆଜି ମହାଲଢେଇ ରାୟର ଦିନ : ବାଜି ମାରିବ କିଏ?

Published By : Prameya-News7 Bureau | November 10, 2020 IST

ଭୁବନେଶ୍ୱର ୧୦।୧୧: ଆଜି ହେଉଛି ମହାଲଢେଇ ରାୟର ଦିନ । ଆଜି ଆସିବ ଜନତାଙ୍କ ରାୟ । କାହାକୁ ମିଳିଛି କେତେ ଭୋଟ । କାହାର ବିଜୟ, କାହାର ପରାଜୟ, କାହା ମୁଣ୍ଡରେ ସୁନା କଳସ, ବାଜି ମାରିବ କିଏ, କାହାର ହେବ ସିଂହାସନ ଏସବୁ ଫଳାଫଳର ଚିତ୍ର ଆଜି ଧିରେ ଧିରେ ସ୍ପଷ୍ଟ ହୋଇଯିବ । ବାଇ ଇଲେକ୍ସନଠାରୁ ବିହାର ମହାଲଢେଇ- ଆଜି ହେଉଛି ଭୋଟ ଗଣତି । ଓଡ଼ିଶାର ଦୁଇଟି ବିଧାନସଭା ଆସନ ତିର୍ତ୍ତୋଲ ଓ ବାଲେଶ୍ବର ସଦର ପାଇଁ ନଭେମ୍ବର ୩ ତାରିଖରେ ହୋଇଥିଲା ଭୋଟ । ସେପଟେ ବିହାର ବିଧାନସଭା ପାଇଁ ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ ତାରିଖ ମୋଟ୍ ତିନିଟି ପର୍ଯ୍ୟାୟରେ ହୋଇଥିଲା ମତଦାନ । ଆଜି ଉପନିର୍ବାଚନ ଓ ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି  ।

ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତିର୍ତ୍ତୋଲରେ ଏସ୍.ଭି.ଏମ୍ କଲେଜଠାରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଇଭିଏମ୍ ଭୋଟ ଗଣତି ପାଇଁ ୨ଟି ହଲ୍ ବ୍ୟବସ୍ଥା ହୋଇଥିବା ବେଳେ ପୋଷ୍ଟାଲ ବ୍ୟାଲଟ୍ ଗଣତି ପାଇଁ ଗୋଟିଏ ହଲ୍ ର ବ୍ୟବସ୍ଥା ହୋଇଛି ।

wp:html /wp:html

ଇଭିଏମ୍ ଗଣତି ପାଇଁ ପ୍ରତ୍ୟେକ ହଲ୍ ରେ ୭ଟି ଲେଖାଏଁ ଏବଂ ମୋଟ୍ ୧୪ଟି ଟେବୁଲ ହୋଇଥିବା ବେଳେ ପୋଷ୍ଟାଲ ବ୍ୟାଲଟ୍ ପାଇଁ ୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଟେବୁଲ ପାଇଁ ସିସିଟିଭି ଓ ଟିଭି ବ୍ୟବସ୍ଥା କରାଯାଇଛି । ଗଣତି ପାଇଁ ୨୨ ଜଣ କାଉଣ୍ଟିଂ ସୁପରଭାଇଜର, ୨୨ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୨୪ ଜଣ ମାଇକ୍ରୋ ଅବଜରଭର୍ ନିୟୋଜିତ ହୋଇଛନ୍ତି। କାଉଣ୍ଟିଂ ପାଇଁ ନିୟୋଜିତ କର୍ମଚାରୀଙ୍କୁ ନଭେମ୍ବର ୬ ଓ ୮ ତାରିଖରେ ତାଲିମ ପ୍ରଦାନ କରାଯାଇଛି । ପ୍ରତ୍ୟେକ ହଲ୍ କୁ ଭଲଭାବେ ସାନିଟାଇଜ କରାଯାଇଛି ।

ସେହିପରି ବାଲେଶ୍ବରରେ ଗୋଟିଏ ରାଉଣ୍ଡରେ ୧୪ଟି ଇଭିଏମର ଗଣତି ହେବ । ମୋଟ୍ ୩୪୬ଟି ବୁଥ ପାଇଁ ୨୫ ରାଉଣ୍ଡରେ ଭୋଟ ଗଣତି  ହେବ । ପୋଷ୍ଟାଲ ବ୍ୟାଲଟ୍ ପାଇଁ ଏକ ସ୍ବତନ୍ତ୍ର ଟିମ୍ କରାଯାଇଛି । ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ ଉପସ୍ଥିତ ରହିବା ପରେ ଇଭିଏମ୍ ଖୋଲାଯିବ । ବାଲେଶ୍ବର ସଦର ଉପନିର୍ବାଚନରେ  ଚଳିତ ଥର ୧ ଲକ୍ଷ ୬୧ ହଜାର ୪୩୪ ଭୋଟର ମତଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.