ବାଲେଶ୍ବର ସଦର ବିଧାନସଭା ଆସନ : ତିନି ପ୍ରମୁଖ ରାଜନୈତିକ ଦଳରେ ୩ଜଣ ଲେଖାଏଁ ଆଶାୟୀ, ବିଧାୟକ ଜୀବନ ପ୍ରଦୀପ ଟିକେଟ ପାଇବେ କି ନାହିଁ ସନ୍ଦେହ
6/03/2019 at 4:21 PM

ବାଲେଶ୍ବର ୬|୩ (ବ୍ରହ୍ମ ରଥ): ଆଜିର ଓଡ଼ିଶା ବା ପ୍ରାଚୀନ କଳିଙ୍ଗର ଅବିଚ୍ଛେଦ୍ୟ ଅଂଶ ବାଲେଶ୍ବର । ଭାରତବର୍ଷର ପୂର୍ବ ଉପକୂଳ ଏବଂ ଓଡ଼ିଶାର ଉତ୍ତର ଭାଗରେ ଅବସ୍ଥିତ ଏହି ଭୂଖଣ୍ଡର ଇତିହାସ ବେଶ୍ ସମୃଦ୍ଧ । ରାଜା ରାଜୁଡ଼ା ଶାସନ ହେଉ କି ବ୍ରିଟିଶ୍ ସାମ୍ରାଜ୍ୟ, କିମ୍ବା ଆଧୁନିକ ଓଡ଼ିଶା, ବାଲେଶ୍ବରର ପରିଚୟ ଏବଂ ଗୁରୁତ୍ବ ସବୁବେଳେ ସ୍ବତନ୍ତ୍ର ଓ ନିଆରା ।
ପ୍ରାଚୀନ କଳିଙ୍ଗ ରାଜ୍ୟର ଅଂଶ ଏବଂ ବଙ୍ଗୋପସାଗର କୂଳରେ ଅବସ୍ଥିତ ବାଲେଶ୍ବର ଅଞ୍ଚଳକୁ ୧୫୬୮ ଖ୍ରୀଷ୍ଟାବ୍ଦରେ ମୋଗଲମାନେ ଅଧିକାର କଲେ ।ଏହାପରେ ବଙ୍ଗଳାରେ ପ୍ରଭାବ ବିସ୍ତାର କରିଥିବା ବ୍ରିଟିଶରଙ୍କ କବ୍ଜାକୁ ଗଲା ବାଲେଶ୍ବର । ଅବଶ୍ୟ କିଛି ବର୍ଷ ପାଇଁ ଏହା ଭୋଁଷଲେ ମରାଠା ଶାସକଙ୍କ ଦଖଲକୁ ଯାଇଥିଲା। ଇଂରେଜ ଶାସନ ଅମଳରେ କଲିକତାର ପ୍ରଭାବ ବୃଦ୍ଧି ସହ ବାଲେଶ୍ବରର ମଧ୍ୟ ବଢିଲା ଗୁରୁତ୍ବ । ୧୬୩୩ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବାଲେଶ୍ବରରେ ଏକ କାରଖାନା ମଧ୍ୟ ପ୍ରତିଷ୍ଠା କଲା । ୧୯୧୨ ଯାଏଁ ବେଙ୍ଗଲ ପ୍ରେସିଡେନ୍ସିର ଅଂଶ ରହିଲା ବାଲେଶ୍ବର । ସ୍ବାଧିନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧୀଙ୍କ ୧୯୨୧ ଗସ୍ତ ଏବଂ ନୀଳଗିରି ପ୍ରଜା ଆନ୍ଦୋଳନ ପାଇଁ ବାଲେଶ୍ବର ଚର୍ଚ୍ଚାରେ ରହିଥିଲା । କିନ୍ତୁ ବେଙ୍ଗଲ ପ୍ରେସିଡେନ୍ସିର ଅଂଶ ଥିବାବେଳେ ୧୮୨୮ରୁ ବାଲେଶ୍ବରକୁ ମିଳିସାରିଥିଲା ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା । ୧୯୩୬ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସହ ବାଲେଶ୍ବର ଓଡ଼ିଶା ମାଟିର ଅବିଚ୍ଛେଦ୍ୟ ଅଙ୍ଗ ଭାବେ କ୍ଷାତି ଅବ୍ୟାହତ ରଖିଲା ।
୧୯୫୧ରେ ବାଲେଶ୍ବର ସଦରର ପ୍ରଥମ ବିଧାୟକ ଭାବେ କଂଗ୍ରେସ ଟିକଟରେ ନିର୍ବାଚିତ ହୋଇଥିଲେ ସୁରେନ୍ଦ୍ରନାଥ ଦାଶ । କିନ୍ତୁ ଏହି ମର୍ଯ୍ୟଦାପୂର୍ଣ୍ଣ ଆସନରୁ ଓଡ଼ିଶା ବିଧାନସଭାକୁ ସର୍ବାଧିକ ୫ ଥର ପ୍ରତିନିଧିତ୍ବ କରିଛନ୍ତି ଭେଟେରାନ୍ ପଲିଟିସିଆନ୍ ଅରୁଣ ଦେ । ୧୯୭୪, ୧୯୮୦ ଓ ୧୯୯୦ରେ ସିପିଆଇ, ୧୯୯୫ରେ ସ୍ବାଧୀନ ଏବଂ ୨୦୦୪ରେ ଓଡ଼ିଶା ଗଣ ପରିଷଦର ବିଧାୟକ ହୋଇଥିଲେ ସେ । ବର୍ତ୍ତମାନର ବିଧାୟକ ଜୀବନ ପ୍ରଦୀପ ଦାଶ ୨୦୦୦ରେ ବିଜେପି ଟିକେଟରେ ଏବଂ ୨୦୦୯ ଏବଂ ୨୦୧୪ରେ ବିଜେଡି ଦଳରୁ ଯାଇଛନ୍ତି ବିଧାନସଭା ।
ବଙ୍ଗୋପସାଗର କୂଳରେ ଅବସ୍ଥିତ ବାଲେଶ୍ବର ଜିଲ୍ଲାରେ ଏକାଧିକ ନଦୀନାଳ ଅଛି । ଏ ଅଞ୍ଚଳର ଲୋକେ କୃଷି ସହ ମାଛମାରି, ଅନ୍ୟାନ୍ୟ ଛୋଟମୋଟ କାମ କରି ଗୁଜୁରାଣ ମେଣ୍ଟାନ୍ତି ।କିନ୍ତୁ ପ୍ରାକୃତିକ ଦୁର୍ବିପାକରେ ପ୍ରାୟ ପ୍ରତି ବର୍ଷ ସନ୍ତୁଳି ହୁଅନ୍ତି । ବାଲେଶ୍ବର ସଦର ନିର୍ବ।ଚନମଣ୍ଡଳୀର ପ୍ରମୁଖ ସମସ୍ୟା ଭିତରେ ବୁଢ଼।ବଳଙ୍ଗ ନଦୀବନ୍ଧକୁ ଅଧିକ ମଜବୁତ୍ କରିବା, ରିଙ୍ଗ ରୋଡ଼ ନିର୍ମ।ଣ, ବାଲେଶ୍ବର ସହରରେ ପାର୍କ ଓ ରାସ୍ତା ନିର୍ମ।ଣ ଏବଂ ଶୂନ ନଦୀରେ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ଇତ୍ୟାଦି ରହିଛି ।
ବାଲେଶ୍ବର ସଦର ବ୍ଲକର ୧୭ଟି ଓ ବସ୍ତା ବ୍ଲକର ୯ଟି ଗ୍ରାମପଂଚାୟତକୁ ନେଇ ଏହି ନିର୍ବ।ଚନ ମଣ୍ଡଳୀ ଗଠିତ । ଗତ୧୫ ଟି ନିର୍ବ।ଚନରେ ଏହି ଆସନରୁ କଂଗ୍ରେସ ୪ ଥର ବିଜୟ ଲାଭ କରିଥିବା ବେଳେ, ସିପିଆଇ ୩ ଥର, ବିଜେଡି ଓ ପ୍ରଜା ସୋସିଲିଷ୍ଟ ପାର୍ଟି ୨ଥର ଲେଖାଏଁ ଏବଂ ଜନତା ପାର୍ଟି , ବିଜେପି ଓ ଓଡ଼ିଶା ଗଣ ପରିଷଦ ଥରେ ଲେଖାଏଁ ଜିତିଛନ୍ତି ।
ମେଣ୍ଟ ସରକାରରେ ୨୦୦୦ରେ ବିଜେପି ଟିକଟରେ ଜିତିଥିଲେ ଜୀବନ ପ୍ରଦୀପ ଦାସ । ପରେ ଦଳ ବଦଳ କରି ୨୦୦୯ ଏବଂ ୨୦୧୪ରେ ସେ ବିଜେଡି ପ୍ରାଥୀ ହୋଇ ବିଜୟୀ ହେଲେ । ଏଥର ସେ ପୁଣି ବାଲେଶ୍ବର ସଦର ନିର୍ବ।ଚନମଣ୍ଡଳୀରୁ ଦଳୀୟ ଟିକେଟ୍ ଆଶା ରଖିବା ସ୍ବାଭାବିକ। କିନ୍ତୁ ସମୟ ସ୍ରୋତରେ ଅଭିଜ୍ଞ ଅରୁଣ ଦେ ମଧ୍ୟ ଏବେ ବିଜେଡିରେ । ତେଣୁ ଜୀବନ ପ୍ରଦୀପଙ୍କ ପାଇଁ ସମସ୍ୟା ହେବ କି ? ନିଜ ରିପୋର୍ଟ କାର୍ଡ ନେଇ ବିଧାୟକ ଜୀବନ ପ୍ରଦୀପ ଦାସ ବେଶ ପଜିଟିଭ୍ । କିନ୍ତୁ ଗଣତନ୍ତ୍ର ବ୍ୟବସ୍ଥାରେ କାହାକୁ ବିଧାନସଭା ପଠେଇବେ, କାହାକୁ ଜନ ପ୍ରତିନିଧି କରିବେ, ସେ ଚୁଡ଼ାନ୍ତ ଫଇସଲା ଜନତାଙ୍କ ହାତରେ ।

ବିଧାୟକଙ୍କ ଦୃଢୋକ୍ତି ଆଉ ଜନତାଙ୍କ ପ୍ରତିକ୍ରିୟାର ପରିଣତି କ’ଣ ହେବ ତାହା ୨୦୧୯ ଭୋଟ୍ ଗଣତି ପରେ ହିଁ ସ୍ପଷ୍ଟ ହେବ । ତାହା ଆଉ କିଛି ମାସ ପରର କଥା । କିନ୍ତୁ ଜାଗିଲେଣି ଯୋଦ୍ଧା । ନିର୍ବାଚନ ଯୁଦ୍ଧରେ ସେନାପତି ହେବାକୁ ଭିଡିଲେଣି ପାଗ । ତିନି ପ୍ରମୂଖ ଶିବିରରେ ଆଶାୟୀଙ୍କ ଭିଡ଼।
୨୦୧୯ର ଚର୍ଚ୍ଚାରେ ଟିକେ ବି ପଛରେ ନାହିଁ ବାଲେଶ୍ବର ସଦର ।ଏଠାରେ ସବୁ ଶିବିରରେ ନିର୍ବାଚନୀ ଉଷ୍ମତା । ଆଶାୟୀଙ୍କ ଲବି ସାଙ୍ଗକୁ ସଂଗଠନ ଓ ସମର୍ଥନ ପାଇଁ ରଣନୀତି ମଧ୍ୟ ବାରି ହେଲାଣି ।

୨୦୧୯ରେ ବିଜେଡ଼ିରୁ କିଏ ହେବେ ପ୍ରାର୍ଥୀ ? ବର୍ତମାନର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ବ୍ୟତୀତ, ଗତ ଥର କଂଗ୍ରେସରୁ ନିର୍ବ।ଚନ ଲଢ଼ି ୨୮ହଜାର ୬୫୦ଭୋ୍ଟ୍ ପାଇ ୩ୟ ସ୍ଥାନରେ ଥିବା ଅଭିଜ୍ଞ ନେତା ଅରୁଣ ଦେ ମଧ୍ୟ ଶଙ୍ଖ ଚିହ୍ନରେ ଛିଡ଼। ହେବାକୁ ଆଶାବାଦୀ । ସେହିଭଳି ଯୁବ ନେତା ରଘୁନାଥ ଲେଙ୍କା ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି।

ବିଜେପିରୁ ପୁଣି ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡୁଛନ୍ତି ଦଳର ଜିଲ୍ଲା ସଭାପତି ମଦନମୋହନ ଦତ୍ତ । ଗତ ଥର ସେ ୩୭ ହଜାର ୮୪ ଭୋଟ୍ ପାଇ ଥିଲେ । କିନ୍ତୁ ୯ ହଜାର ୭୯୧ ଭୋଟ୍ରେ ହାରିଥିଲେ । ସେପଟେ ବିଜେପିରୁ ଛିଡ଼।ହେବାକୁ ମନ ମଧ୍ୟ ବଳାଇଛନ୍ତି ଯୁବ ନେତା ବାଦଲ ଦାସ ।

କଂଗ୍ରେସ ଆଶାୟୀ ତାଲିକାରେ ସବୁଠୁ ଆଗରେ ଗତ ଥର ସ୍ୱାଧୀନ ପ୍ରାର୍ଥୀ ମାନସ ରଞ୍ଜନ ଦାସପଟ୍ଟନାୟକ। ୨୦୧୪ରେ ସେ ୨୪ହଜାର ୭୨୦ଟି ଭୋଟ୍ ପାଇଥିଲେ। କଂଗ୍ରେସ ଜିଲ୍ଳା ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା ମଧ୍ୟ ଆଶାୟୀ ।

ବାଲେଶ୍ବର ସଦର ନିର୍ବ।ଚନିମଣ୍ଡଳୀରେ ପ୍ରତିଦ୍ବନ୍ଦିତା ପ୍ରାୟତଃ ତ୍ରିମୁଖୀ ହୋଇଥାଏ। ୨୦୧୯ରେ ମଧ୍ୟ ଏଭଳି ହେବାର ଆଶା କରାଯାଏ। କିଏ ପାଇବେ ଦଳୀୟ ଟିକେଟ୍ ? କିଏ ହେବେ ପରବର୍ତ୍ତୀ ବିଧାୟକ ତାହା ଭୋଟ୍ ଗଣତି ପରେ ଜଣା ପଡ଼ିବ ।