ଚନ୍ଦା ଲୋକଙ୍କୁ କରୋନା ସଂକ୍ରମଣ ସମ୍ଭାବନା ବେଶି, ଆମେରିକୀୟ ପ୍ରଫେସରଙ୍କ ରିସର୍ଚ୍ଚ ତଥ୍ୟ

Published By : Prameya-News7 Bureau | June 05, 2020 IST

ନୂଆଦିଲ୍ଲୀ ୦୫।୦୬: ଦୁନିଆରେ କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଭାରତରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ଏହା ମଧ୍ୟରେ ଏକ ନୂତନ ଅଧ୍ୟୟନ ସାମ୍ନାକୁ ଆସିଛି। ଗବେଷଣା ଅନୁଯାୟୀ ଚନ୍ଦାପଣ ଥିବା ବ୍ୟକ୍ତି କୋଭିଡ-୧୯ର ଗମ୍ଭୀର ଲକ୍ଷଣରେ ପୀଡିତ ହେବାର ଅଧିକ ସମ୍ଭାବନା ରହିଛି। ଅଧ୍ୟୟନର ପ୍ରମୁଖ ଲେଖକ ନିଜ ଟିମ୍‌ ସହ ମିଶି ଏହି ଅଧ୍ୟୟନ କରିଛନ୍ତି। ତେଣୁ ଆମେ ପୂର୍ବରୁ ଜାଣି ପାରିବା ଯେ, ଚନ୍ଦାପଣ ଥିବା ବ୍ୟକ୍ତିଙ୍କଠାରେ କରୋନା ହେବାର ଅଧିକ ସମ୍ଭାବନା ରହିଛି।

ଡେଲି ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଆମେରିକାର ବ୍ରାଉନ ୟୁନିଭର୍ସିଟିର ପ୍ରଫେସର କାର୍ଲସ୍‌ ଓ୍ଵାମ୍ବିୟର ସ୍ପେନରେ ଏହାକୁ ନେଇ ଦୁଇଟି ଅଧ୍ୟୟନ କରିଛନ୍ତି। ଗବେଷଣାରୁ ଜାଣିବାକୁ ମିଳିଛି ଯେ, ଅଧିକାଂଶ ଚନ୍ଦାପଣ ଥିବା ବ୍ୟକ୍ତି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି।

ସ୍ପେନ ହସ୍ପିଟାଲରେ ଯାଞ୍ଚ କରାଯାଇଥିବା ୪୧ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୭୧ ପ୍ରତିଶତ ଚନ୍ଦାପଣ ଥିବା ପ୍ରଥମ ଅଧ୍ୟୟନରୁ ଜଣା ପଡିଛି। ବିଶେଷ କରି  ହାରାହାରି ୩୧ ରୁ ୫୩ ବର୍ଷ ବୟସ ମଧ୍ୟରେ ଥିବା ଚନ୍ଦାପଣ ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି।

ଜର୍ଣ୍ଣାଲ ଅଫ ଦ ଆମେରିକନ ଏକାଡେମୀ ଅଫ ଇର୍ମଟୋଲୋଜିରେ ପ୍ରକାଶିତ ଦ୍ଵିତୀୟ ଅଧ୍ୟୟନରେ ଜଣା ପଡିଛି ଯେ, ମ୍ୟାଟ୍ରିଡ୍‌ ହସ୍ପିଟାଲରେ ୧୨୨ ପୁରୁଷ  କରୋନା ସଂକ୍ରମିତଙ୍କ ମଧ୍ୟରୁ ୭୯ ପ୍ରତିଶତ ପୁରୁଷ ଚନ୍ଦାପଣ ଥିଲେ।

କିଛି ବୈଜ୍ଞାନିକଙ୍କ ଅନୁଯାୟୀ ଆଣ୍ଡ୍ରୋଜେନ୍ ପୁରୁଷ ସେକ୍ସ ହର୍ମନ ଚୁଟି ଝଡିବାରେ ସହାୟକ ହୋଇଥାଏ। ଏହା କୋଷିକା ଉପରେ ଆକ୍ରମଣ କରିବାକୁ ଭାଇରସ୍‌ର କ୍ଷମତାକୁ ବୃଦ୍ଧି କରିଥାଏ। ପ୍ରଫେସର ଓ୍ଵାମ୍ବିୟର ଟେଲିଗ୍ରାଫକୁ କହିଛନ୍ତି, ଆଣ୍ଡ୍ରୋଜେନ୍ କିମ୍ବା ପୁରୁଷ ହର୍ମନ୍ ନିଶ୍ଚିତ ରୂପେ ଶରୀରର କୋଷିକାରେ ପ୍ରବେଶ କରିବା ନିମନ୍ତେ ଭାଇରସ୍‌ ପାଇଁ ଦ୍ଵାର ଖୋଲିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.