ବାଲାକୋଟ୍‌ରେ ଜୈଶ୍-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପ୍ ଆକାର ବୃଦ୍ଧି, ଆଉ ଦୁଇଟି ନୂଆ କୋଠାରେ ତାଲିମ୍ ନେଉଛନ୍ତି ଆତଙ୍କବାଦୀ

Published By : Prameya-News7 Bureau | February 15, 2020 IST

ନୂଆଦିଲ୍ଲୀ ୧୫।୨: ସୀମା ଆରପଟେ ପାକ୍ ସମର୍ଥିତ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଭାରତ ବିରୋଧୀ ଅଭିଯାନ ଲାଗି ତାଲିମ ଶିବିରକୁ ସକ୍ରିୟ କରିଥିବା ଜଣାପଡିଛି । ପାକିସ୍ତାନ ବାଲାକୋଟ୍ ରେ ଥିବା ଜୈଶ୍-ଇ-ମହମ୍ମଦର ଯେଉଁ ଆତଙ୍କବାଦୀ କ୍ୟାମ୍ପରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରି ଧ୍ବଂସ କରିଦେଇଥିଲା ତାହା ଏବେ ପୁଣି ସକ୍ରିୟ ହୋଇଉଠିଛି । ଜୈଶ୍-ଇ-ମହମ୍ମଦର ଏହି କ୍ୟାମ୍ପ୍‌ରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।

ଗତବର୍ଷ ଫେବୃଆରୀରେ ଜମ୍ମୁକାଶ୍ମୀର ପୁଲଓ୍ବାମାରେ ସିଆରପିଏଫର ଫୌଜ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏୟାର ଷ୍ଟ୍ରାଇକ୍ କରିଥିଲା । ଭାରତୀୟ ବାୟୁସେନା ଆକ୍ରମଣ କରି ଜୈଶ୍-ଏ-ମହମ୍ମଦର କ୍ୟାମ୍ପ୍‌କୁ ଧ୍ବଂସ କରିଦେଇଥିଲା । ସେହି ସମୟରେ ଜୈଶ୍ କ୍ୟାମ୍ପ୍‌ରେ ପ୍ରାୟ ୩ଶହ ଆତଙ୍କବାଦୀ ଟ୍ରେନିଂ ନେଉଥିଲେ । ଏବେ ପୁଣି ଜୈଶ୍ ସଂଗଠନ ସକ୍ରିୟ ହୋଇଛି ।

ଭାରତୀୟ ବାୟୁସେନାର ଅଧ୍ୟକ୍ଷ ବିପିନ ରାଓ୍ବତ ଗତବର୍ଷ ସେପ୍ଟେମ୍ବର ମାସରେ କହିଥିଲେ ଯେ, ବାଲାକୋଟ୍ ରେ ଆତଙ୍କବାଦୀ ଶିବିର ପୁଣି ସକ୍ରିୟ ହୋଇଛି । ଏହି କ୍ୟାମ୍ପ୍ ରେ ଆହୁରି ଦୁଇଟି କୋଠା ନିର୍ମାଣ କରାଯାଇଥିବା ମଧ୍ୟ ଜଣାପଡିଛି । ବାଲାକୋଟ୍ ରେ ଆତଙ୍କୀ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି ।

ପୁଲଓ୍ବାମା ଆକ୍ରମଣ ପରେ ଭାରତ ପକ୍ଷରୁ ପାକିସ୍ତାନକୁ ଦିଯାଇଥିବା ଡୋଜିଅରରେ ଦର୍ଶାଯାଇଛି ଯେ, ବାଲାକୋଟ୍ ପ୍ରଶିକ୍ଷଣ କ୍ୟାମ୍ପ୍ ପ୍ରାୟ ୬ ଏକର ଜମିରେ ରହିଛି । ଏହି କ୍ୟାମ୍ପ୍ ରେ ପ୍ରାୟ ୬ଶହ ଆତଙ୍କବାଦୀ ବସିବାର ସୁବିଧା ରହିଛି । ଭାରତ ପ୍ରାତଃ ଟ୍ରେନିଂ ବେଳେ ଏହି କ୍ୟାମ୍ପ ରେ ଆକ୍ରମଣ କରିଥିଲା ।

ଗୁଇନ୍ଦା ବିଭାଗର ଅନ୍ୟ ଜଣେ ଅଧିକାରୀଙ୍କ ଅନୁସାରେ ଯେତେବେଳେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା ସେବେଠାରୁ ପାକିସ୍ତାନ ଜମ୍ମୁକାଶ୍ମୀରରେ ନୂଆ ଆତଙ୍କବାଦୀଙ୍କୁ ପ୍ରବେଶ କରାଇବାରେ ଲାଗିପଡିଥିଲା । ଘାଟିରେ ପ୍ରବଳ ତୁଷାରପାତ ଯୋଗୁଁ ମଧ୍ୟ ପାକିସ୍ତାନ ପ୍ରୟାସ ଜାରି ରହିଥିଲା । ସେମାନଙ୍କୁ ଏଲଓସିରୁ ଅନ୍ତର୍ଜାତୀୟ ସୀମାରେ ପ୍ରବେଶ କରାଇଦେଇଥିଲା ।

ଜାନୁଆରୀ ୩୦ ତାରିଖରେ ଜମ୍ମୁକାଶ୍ମୀର ଅନ୍ତର୍ଜାତୀୟ ସୀମା ଆରପଟୁ ୩ ଜଣ ସନ୍ଦିଗ୍ଧ ପ୍ରବେଶ କରୁଥିବା ବେଳେ ଜାତୀୟ ରାଜପଥ ନଗରୋଟା ନିକଟରେ ସେମାନଙ୍କୁ ଏନକାଉଣ୍ଟର କରାଯାଇଥିଲା । ଏଫଏଟିଏଫ ଅନୁଯାୟୀ ପାକିସ୍ତାନ କିଛି ଆତଙ୍କବାଦୀ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ।

ମାତ୍ର ଏବେ ବାଲାକୋଟ୍‌ରେ ଜୈଶ୍-ଇ-ମହମ୍ମଦ ଆତଙ୍କୀ ସଂଗଠନ ତାର କ୍ୟାମ୍ପକୁ ସକ୍ରିୟ କରିଛି । ଖୁବ୍ ଶୀଘ୍ର ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ମଧ୍ୟ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.