ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, କରୋନା ପଜିଟିଭ୍ଙ୍କ ପାଇଁ ପୁରା ଗାଁକୁ କଲେ କଣ୍ଟେନମେଣ୍ଟ୍ ଜୋନ୍
5/06/2020 at 4:57 PM

ବାଲିପାଟଣା, ୦୫|୦୬: ବାଲିଅନ୍ତା ବ୍ଲକ ଜୟଦେବ ଗ୍ରାମ ପଞ୍ଚାୟତ କେନ୍ଦୁବିଲ୍ୱ ଗ୍ରାମରୁ ଜଣେ ପ୍ରବାସୀଙ୍କ ଟେଷ୍ଟ କରୋନା ରିପୋଟ୍ ପଜିଟିଭ୍ ଆସିବା ପରେ ଗ୍ରାମକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ସରପଞ୍ଚ ।
ସୂଚନାନୁସାରେ, କେନ୍ଦୁବିଲ୍ବ ଗ୍ରାମର ଜଣେ କେରଳ ଫେରନ୍ତା କ୍ଵାରେନଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଦୁଇ ଦିନ ପୂର୍ବେ ସେ କ୍ଵାରେନଣ୍ଟାଇନ୍ ସେଣ୍ଟରରୁ ଘରକୁ ଫେରି ହୋମ୍ କ୍ଵାରେନଣ୍ଟାଇନରେ ଥିଲେ । ପରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା ।
ସଂକ୍ରମଣର ଆଶଙ୍କା କରି ବିଡିଓ, ଆଡିସିନାଲ୍ ତହସିଲଦାରଙ୍କ ସହ ଆଲୋଚନା ପରେ ଜୟଦେବ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଜ୍ଞାପରମିତା ଜେନାମଣୀ କେନ୍ଦୁବିଲ୍ବ ଗ୍ରାମର ଉପରସାହି, ରାଉଳା, ନାନାକାର, ପେଟବଜାର, ଏବଂ ଜୟଦେବ ବଜାର କୁ ୧୨ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଏହି ଅଞ୍ଚଳରୁ କେହି ବାହାରକୁ ଯାଇ ପାରିବେ ନାହିଁ କିମ୍ବା ବାହାର ଅଞ୍ଚଳର କୌଣସି ବ୍ୟକ୍ତି ଏହା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ମେଡିକାଲ୍ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ।
ଅତ୍ୟାବଶ୍ୟକୀୟ ଦ୍ରବ୍ୟ କ୍ରୟ କରିବା ପାଇଁ ପଞ୍ଚାୟତ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହା ସହ ଗ୍ରାମକୁ ସାନିଟାଇଜ୍ କରାଯାଇଛି । କରୋନା ସଂକ୍ରମିତଙ୍କୁ ଭୁବନେଶ୍ଵର କୋଭିଡ଼ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ସଂକ୍ରମିତଙ୍କ ପରିବାର ସଦସ୍ୟଙ୍କର କରୋନା ଟେଷ୍ଟ କରାଯିବ । ସମସ୍ତେ ସହଯୋଗ କରିବା ପାଇଁ ସରପଞ୍ଚ ନିବେଦନ କରିଛନ୍ତି ।