"ବଜ୍ରକାପ୍ତା" ପାଇଁ ବ୍ୟାପିଛି କରୋନା ଭାଇରସ୍ , ଚୀନ୍‌ ବିଶେଷଜ୍ଞଙ୍କ ସଙ୍ଗୀନ ତଥ୍ୟ

Published By : Prameya-News7 Bureau | February 08, 2020 IST

ନୂଆଦିଲ୍ଲୀ ୦୮।୦୨: ସାରା ବିଶ୍ବରେ ଏବେ କରୋନା ଚିନ୍ତା ।  ଏବେ କରୋନା ଭାଇରସ ନେଇ ଲୋକେ ଭୟଭୀତ ଏବଂ ଆତଙ୍କିତ ଅବସ୍ଥାରେ ନିଜର ଜୀବନଯାପନ କରୁଛନ୍ତି । କରୋନା ଭୂତାଣୁର ପ୍ରତିଷୋଧକ ପାଇଁ ବୈଜ୍ଞାନିକ ଓ ଡାକ୍ତରମାନେ ଗବେଷଣାରେ ଲାଗି ପଡ଼ିଛନ୍ତି । ଅନ୍ୟପଟେ କରୋନା ଚୀନରୁ ଡେଇଁ ବିଶ୍ଵର ପ୍ରାୟ ୨୫ ଟି ଦେଶରେ ନିଜର କାୟା ବିସ୍ତାର କରିସାଲାଣି। ପ୍ରତ୍ୟେକ ଦେଶ ସେଠାରେ ଥିବା ନିଜର ନାଗରିକ ଓ ଛାତ୍ରଙ୍କୁ ବାହାର କରିବା ପ୍ରୟାସରେ ଜୁଟିଛନ୍ତି। ଭାରତ ସରକାର ମଧ୍ୟ ଚୀନରୁ ନିଜର ନାଗରିକକୁ ବାହାର କରି ନିଜ ଦେଶକୁ ଆଣୁଛି। ଏହା ମଧ୍ୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସୁଛି। ବଜ୍ରକାପ୍ତା (ପାଙ୍ଗୋଲିନ)ରୁ ବ୍ୟାପିଛି କରୋନା ଭାଇରସ୍‌! ଚୀନର କେତେକ ବିଶେଷଜ୍ଞ ଏଭଳି ତଥ୍ୟ ପ୍ରକାଶ କରିଛନ୍ତି । ବଜ୍ରକାପ୍ତା ଚୀନରେ ଔଷଧ ଓ ସୁସ୍ୱାଦୁ ଖାଦ୍ୟ ଭାବେ ବେଶ୍‌ ପରିଚିତ । ତେବେ ବଜ୍ରକାପ୍ତା ଏବେ ପ୍ରତିଶୋଧ ନେଉଛି ବୋଲି ଚୀନରେ ସୋସିଆଲ ମିଡିଆରେ ଖବର ଭାଇରାଲ ହେବାରେ ଲାଗିଛି ।

କରୋନା ଭୂତାଣୁ   ପ୍ରଥମେ ବାଦୁଡ଼ିଠାରୁ ଭୂତାଣୁ ସୃଷ୍ଟି ହୋଇଥଲା,  ପରେ ବଜ୍ରକାପ୍ତା ଏବଂ ପରେ  ମଣିଷ ଦେହକୁ ସଂକ୍ରମିତ ହୋଇଛି ବୋଲି ଆଶଙ୍କା କରାଯାଉଛି।  ବଜ୍ରକାପ୍ତାରୁ ମିଳିଥିବା ଭୂତାଣୁ ସଂକ୍ରମିତ ମଣିଷର ନମୂନା ସହ ୯୯ ପ୍ରତିଶତ ମିଶୁଛି ବୋଲି ସାଉଥ୍‌ ଚୀନ୍‌ କୃଷି ବିଶ୍ୱବିଦ୍ୟାଳୟର ଗବେଷକମାନେ  ଦାବି କରିଥିବା ଜଣାପଡିଛି । ସେମାନଙ୍କ ଯୁକ୍ତି ଯେ ବାଦୁଡ଼ି କରୋନା ଭାଇରସ ସୃଷ୍ଟି ପଛରେ ଥିଲେ ମଧ୍ୟ ବଜ୍ରକାପ୍ତା ଯୋଗୁ ଏହା ମଣିଷ ଦେହକୁ ବ୍ୟାପିଛି । କେନ୍ଦ୍ର ଚୀନ୍‌ର ଉହାନ ସହରରେ ଏକ ପଶୁ ବଜାରରେ ଗତ ବର୍ଷ ପ୍ରଥମେ କରୋନା ଭାଇରସ ଠାବ ହୋଇଥିଲା । ଗବେଷକମାନେ ବିଭିନ୍ନ ପଶୁଙ୍କ ଠାରୁ ପ୍ରାୟ ୧ ହଜାର ନମୁନା ନେଇ ପରୀକ୍ଷା କରିଛନ୍ତି । ବଜ୍ରକାପ୍ତା ଦେହରେ ଥିବା ଭାଇରସ ଓ କରୋନା ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରେ ୯୯% ଭାଇରସର ସମାନତା ଲକ୍ଷଣ ଠାବ ହୋଇଛି । ତେଣୁ ଗବେଷକମାନେ ଏବେ ସ୍ଥିର ନିଶ୍ଚିତ ହୋଇଛନ୍ତି। ବଜ୍ରକାପ୍ତା ଖାଇବାର ସ୍ୱାଦ ହିଁ ଲୋକଙ୍କୁ ମୃତ୍ୟୁମୁଖକୁ ଟାଣି ନେଇଛି ।ଅନ୍ୟପଟେ ଏସିଆ ମହାଦେଶରେ ବଜ୍ରକାପ୍ତା ଚୋରା ଚାଲାଣ ପଦାକୁ ଆସି ସାରିଛି। ଚୀନର ଉହାନରେ ଜୀବନ୍ତ ବନ୍ୟ ପଶୁ ବିକ୍ରି ଯୋଗୁଁ ଏହା ବ୍ୟାପିଥିବା ସନ୍ଦେହ କରାଯାଉଛି। ତେଣୁ ଉହାନରୁ ଏହି ସଂକ୍ରମଣ ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଥିବା କୁହାଯାଉଛି। 

୨୦୦୨-୦୩ରେ ଚୀନ ଓ ହଂକଂରେ ସାର୍ସ (ସିଭିୟର ଆକ୍ୟୁଟ ରେସପିରାଟୋରୀ ସିଣ୍ଡ୍ରୋମ୍‌) ଭାଇରସ ଯୋଗୁ ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ । ଗବେଷଣାରୁ ଜଣାପଡ଼ିଥିଲା ଏହି ଭାଇରସ ବାଦୁଡ଼ି ଦେହରୁ ଆସିଥିଲା ଏବଂ  କଟାସ/ଶାଳିଆପତିନୀ ଦ୍ୱାରା ଏହା ମଣିଷ ଦେହରେ ବ୍ୟାପିଥିଲା । ଏବେ ସମାନ ପ୍ରକ୍ରିୟାରେ ବାଦୁଡ଼ି ଓ ବଜ୍ରକାପ୍ତା ମାଧ୍ୟମରେ ମଣିଷ ଦେହକୁ କରୋନା ଭାଇରସ ବ୍ୟାପିଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି ।

ଓଡ଼ିଶାରେ ବଜ୍ରକାପ୍ତା (ପାଙ୍ଗୋଲିନ୍‌) ଚୋରା ଚାଲାଣ ଘଟଣା ବେଶ୍‌ ଚର୍ଚ୍ଚାରେ ରହିଛି । ବଜ୍ରକାପ୍ତା ଚାଲାଣ ରାକେଟକୁ ଧରିବା ଲାଗି ପୁଲିସ, ବନ ବିଭାଗ, କ୍ରାଇମବ୍ରାଞ୍ଚ ଏବଂ ଏସଟିଏଫ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲୋକଙ୍କୁ ଗିରଫ କରିସାରିଲାଣି । ସାଧାରଣତଃ ଓଡ଼ିଶାରୁ ଚୀନ୍‌, ଭିଏତନାମ, ମ୍ୟାଁମାର ଓ ହଂକଂକୁ ବଜ୍ରକାପ୍ତା ଚାଲାଣ ହୋଇଥାଏ । ନୟାଗଡ଼ ଓ କଟକ ଜିଲ୍ଲା ଏହି ରାକେଟର କେନ୍ଦ୍ର ବୋଲି ମଧ୍ୟ ଜଣାପଡ଼ିଛି । ଏପରିକି ଓଡ଼ିଶାର କେତେକ ଅଞ୍ଚଳରେ ମଧ୍ୟ ଲୋକମାନେ ବଜ୍ରକାପ୍ତା ଖାଉଥିବାର ଦେଖାଦେଇଛ । ତେଣୁ କରୋନା ଭାଇରସ ଠାରୁ ସେମାନେ କେତେକ ନିରାପଦ ତାହା ମଧ୍ୟ ଚିନ୍ତାର ବିଷୟ ।

ଇଣ୍ଟରନ୍ୟାସନାଲ ୟୁନିଅନ ଫର୍‌ କଞ୍ଜରଭେସନ ଅଫ୍‌ ନେଚର (ଆଇୟୁସିଏନ୍‌)ର ତଥ୍ୟ ଅନୁସାରେ ବିଶ୍ୱରେ ସବୁଠାରୁ ଅଧିକ ଚୋରା ଚାଲାଣ ହେଉଥିବା ପ୍ରାଣୀ ମଧ୍ୟରେ ବଜ୍ରକାପ୍ତା ୧ ନମ୍ବରରେ ରହିଛି । ବିଗତ ଏକ ଦଶନ୍ଧି ମଧ୍ୟରେ ଏସିଆ ଓ ଆଫ୍ରିକାରେ ପ୍ରାୟ ୧୦ ଲକ୍ଷ ବଜ୍ରକାପ୍ତା ଚାଲାଣ ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି । ଉପକାରୀ ହୋଇ ନଥିଲେ ମଧ୍ୟ ବଜ୍ରକାପ୍ତା ଚୀନ ଓ ପ୍ରାୟ ସମସ୍ତ ଦକ୍ଷିଣ ଏସୀୟ ରାଷ୍ଟ୍ରରେ ପାରମ୍ପରିକ ଔଷଧ ପାଇଁ ଖୋଜାପଡ଼େ । ଏହାର ମଧ୍ୟ ଚାହିଦା ଏତେ ଯେ ଏହା କଳାବଜାର ହୋଇଥାଏ ।

ତେବେ ଚୀନରେ କରୋନା ଭାଇରସ ମୃତକଙ୍କ ସଂଖ୍ୟା ୭ଶହରୁ ଅଧିକ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୫୨୦ରେ ପହଞ୍ଚିଛି । କେବଳ ଗୋଟିଏ ଦିନରେ ଚୀନ୍‌ରେ ୭୩ ଜଣ ପ୍ରାଣ ହରାଇଥିଲାବେଳେ ୩୧୪୩ ଜଣ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ ବ୍ୟତୀତ କରୋନା ଭାଇରସ ଆହୁରି ୨୫ ଟି ଦେଶରେ ବ୍ୟାପିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.