କରୋନା ମୁକାବିଲା ପାଇଁ ଆଗକୁ ଆସିଲା ବଜାଜ୍ ଗ୍ରୁପ, ଘୋଷଣା କଲା ୧୦୦ କୋଟିର ଆର୍ଥିକ ସହାୟତା

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ ୨୭/୦୩ : କରୋନା ଭାଇରସରେ ଆକ୍ରାନ୍ତ ଲୋକଙ୍କୁ ସାହାଯ୍ୟ କରିବାକୁ ବଜାଜ ଗ୍ରୁପ ଆଗକୁ ଆସିଛି। ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ଏହି ଅନୁଷ୍ଠାନ ୧୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଛି। ଗୋଷ୍ଠୀ ଏକ ବିବୃତ୍ତିରେ କହିଛି ଯେ କରୋନା ଭାଇରସ ବିପଦ ମଧ୍ୟରେ ଲୋକମାନେ ଭଲ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ସେଥିପାଇଁ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ କରାଯାଉଛି।

ବଜାଜ ଗୃପ ଏହାର ବିବୃତ୍ତିରେ କହିଛି ଯେ କୋଭିଡ -୧୯ ବିରୋଧରେ ଦେଶର ଲଢେଇରେ ଆମେ ୧୦୦ କୋଟି ଟଙ୍କା ଅନୁଦାନ ରାଶି ଘୋଷଣା କରୁଛି । ସରକାର ଏବଂ ୨୦୦ ଟି ଏନଜିଓ ସହଭାଗୀମାନଙ୍କର ନେଟୱାର୍କ ସହିତ କାର୍ଯ୍ୟ କରି ଆମେ ନିଶ୍ଚିତ କରିବୁ ଯେ ଆବଶ୍ୟକ ସମ୍ବଳ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚି ପାରିବ |

ଏହି ପ୍ରୟାସରେ ପୁନେରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ନବୀକରଣରେ ସାହାଯ୍ୟ କରାଯିବ ଯେଭଳି କୋଭିଡ -୧୯କୁ  ନିୟନ୍ତ୍ରଣ କରାଯାଇପାରିବ । ଏହି ସହାୟତା ରାଶି ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡ଼ିକରେ କାର୍ଯ୍ୟକାରୀ ହେବ | ଏହି ରାଶି ଡାକ୍ତରଖାନାର ଆଇସିୟୁ, ଚିକିତ୍ସା ଉପକରଣ, ଭେଣ୍ଟିଲେଟର ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଇତ୍ୟାଦି କିଣିବାରେ ବ୍ୟବହୃତ ହେବ | ଆଇସୋଲେସନ ୟୁନିଟ୍ ନିର୍ମାଣ ପାଇଁ ମଧ୍ୟ ସହାୟତା ରାଶି ମଧ୍ୟ ବ୍ୟବହୃତ ହେବ | ପୁନେ, ପିମ୍ପ୍ରି-ଚିଞ୍ଚୱାଡ ଏବଂ ପୁନେର ଗ୍ରାମାଞ୍ଚଳରେ ଏକ ପ୍ରମୁଖ ଅଭିଯାନ ଆରମ୍ଭ କରାଯିବ । ରାଷ୍ଟ୍ରୀୟ  କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର ଏକ ଟ୍ୱିଟରେ କମ୍ପାନୀର ଏହି ଘୋଷଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରେ ବଜାଜ ଗୃପର ଏହି ଘୋଷଣାକୁ ଆଟାଚ କରିଛନ୍ତି।

ଦିନ ମଜୁରିଆ, ଶ୍ରମିକ, ବାସହୀନ ଏବଂ ଫୁଟପାଥରେ ଜୀବନ ବିତାଉଥିବା ଲୋକଙ୍କ ସହାୟତା ପାଇଁ କମ୍ପାନୀ  ଚେଷ୍ଟା କରିବ | ଖାଦ୍ୟ ଯୋଗାଣ, ଗୃହ, ପରିମଳ ଏବଂ ସ୍ୱାସ୍ଥ୍ୟସେବା ପ୍ରତି ଅଧିକ ଧ୍ୟାନ ଦିଆଯାଉଛି ବୋଲି କମ୍ପାନୀ କହିଛି। କରୋନା ଜୀବାଣୁ ବିସ୍ତାର ହେବା ପରେ ଲୋକମାନେ ଯେକୌଣସି ପ୍ରକାରେ ନିଜ ନିଜ ଗାଁକୁ ଫେରୁଥିବାର ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ସହାୟତା ରାଶି ଅଧିକାଂଶ ଗ୍ରାମାଞ୍ଚଳରେ ଖର୍ଚ୍ଚ ହେବ।

କମ୍ପାନୀର ପ୍ରୟାସ ହେଲା ବିଭିନ୍ନ ପରିବାରକୁ ଋଣ ଆକାରରେ ଟଙ୍କା ଦେଇ ରୋଜଗାର ଆରମ୍ଭ କରିବା | ପରେ, ଯେତେବେଳେ ଋଣ ପରିଶୋଧ କରାଯିବ ସେହି ରାଶିରେ ଅନ୍ୟ ପରିବାରକୁ ସାହାଯ୍ୟ ଯୋଗାଇ ଦିଆଯିବ | ଏହାଦ୍ୱାରା ଅନେକ ପରିବାର ପାଇଁ ରୋଜଗାରର ସମ୍ଭାବନା ବୃଦ୍ଧି ପାଇବ | ଏହା ସହିତ କମ୍ପାନୀ କୋଭିଡ -୧୯ ଉପରେ ସଚେତନତା ଅଭିଯାନ କରିବା ଉପରେ ମଧ୍ୟ ଧ୍ୟାନ ଦେଉଛି ଯାହାଦ୍ୱାରା ଲୋକମାନେ ଏହି ମହାମାରୀରୁ ରକ୍ଷା ପାଇପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.