ଖସୁଛି ବୈତରଣୀର ଜଳସ୍ତର, ବିପଦ ସଙ୍କେତ ତଳେ ହେଉଛି ପ୍ରବାହିତ

Published By : Prameya-News7 Bureau | May 29, 2021 IST

ଭଦ୍ରକ, ୨୯|୦୫: ଖସୁଛି ବୈତରଣୀ ନଦୀର ଜଳସ୍ତର । ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ତଳକୁ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଛି ।

ନଦୀର ବିପଦ ସଂକେତ ୧୭. ୮୩ ମିଟର ଥିବା ବେଳେ ଶନିବାର ସକାଳ ୬ଟା ସୁଦ୍ଧା୧୭.୪୬ମିଟରରେ ଜଳ ପ୍ରବାହିତ ହେଉଛି । ସେହିପରି  ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଜଳ ଘେରରେ ଥିବା ପଞ୍ଚାୟତ ଗୁଡିକରୁ ଧୀରେ ଧୀରେ ପାଣି କମିବାରେ ଲାଗିଛି ।

ବାତ୍ୟା ‘ୟସ୍’ ଯୋଗୁଁ ଜିଲ୍ଲାବ୍ୟାପୀ ପ୍ରବଳ ବର୍ଷା ହୋଇଥିବା ବେଳେ ସେହି ଜଳ ନିଷ୍କାସିତ ହୋଇନାହିଁ । ସମୁଦ୍ର ଜୁଆର ପାଣି ଗାଁ ଗଣ୍ଡାରେ ପଶିବା ସହ ବୈତରଣୀ ବନ୍ୟା ଜଳସ୍ତର କମୁଥିବା  ବେଳେ  ବିପଦ ସଂକେତ ତଳେ ରହିଛି । ବୈତରଣୀର ଶାଖା ଗେଙ୍ଗୁଟି ଓ କୋଚିଳା ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଧାମନଗର ବ୍ଲକର ୮ଟି ପଞ୍ଚାୟତ ଓ ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ମୁଖ୍ୟରାସ୍ତା ଉପରେ ୩ ରୁ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବନ୍ୟାଜଳ ଚାଷ ଜମିରେ ପଶି  ଅଂଚଳ ଜଳମଗ୍ନ କରିଥିବା ବେଳେ ବହୁ ସ୍ଥାନରେ ରାସ୍ତା ଉପରେ ପାଣି ସୁଅ ଛୁଟିବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେହିପରି ଦିହୁଡ଼ି, ଆନନ୍ଦପୁର, ଖଡିପଦା, ଷୋହଡା, ପଧାନୀ, କରଦା ଆଦି ପଞ୍ଚାୟତର ୨୫ରୁ ଉର୍ଦ୍ଧ୍ଵ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି । ସେହିପରି ଯାଜପୁରରୁ ଧାମନଗରକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତା ଖଡିପଦାଠାରେ ୪ ଫୁଟର ବନ୍ୟାଜଳ ପ୍ରବେଶ କରୁଥିବା ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଭଣ୍ଡାରିପୋଖରୀ ବ୍ଲକରେ ଷୋଳମପୁର, ନପଙ୍ଗ, ମାଳଦା, ରହଣିଆ, ବାଲିପୋଖରୀ ଆଦି ପଞ୍ଚାୟତ ପାଣି ଘେରରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.