ଚିଲିକା ଉପରେ ହେଲିକପ୍ଟର ଉଡାଣ ବିବାଦ: ବୈଜୟନ୍ତଙ୍କ ପାଇଁ ବାହରିଲେ ଦାମ ଓ ବିଜେପି, ତେଜିଲା ରାଜନୀତି

Published By : Prameya-News7 Bureau | September 18, 2018 IST

ଭୁବନେଶ୍ବର୧୮|୯: ତେଜୁଛି ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣ ବିବାଦ । ଏପ୍ରସଙ୍ଗକୁ ଗଣ୍ଠି କରିଛି ବିଜେଡି । କଂଗ୍ରେସ ବି ମୌକା ଦେଖି ଜୟ ପଣ୍ଡାଙ୍କୁ ଘେରିବାକୁ ଭୁଲିନି । ଅବଶ୍ୟ ସିଧା ନହେଲେ ବି ବୁଲେଇ ବଙ୍କେଇ ବୈଜୟନ୍ତଙ୍କୁ ଡିଫେଣ୍ଡ କରିବାକୁ ବାହାରିଛି ବିଜେପି । ଏପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାନସଭା ଭିତରେ ଓ ବାହାରେ ଦାବି କରିଥିବା ବେଳେ ବିଜେପି କହିଛି ବୈଜୟନ୍ତଙ୍କ ପାଇଁ ଯେଉଁ ଆଇନ ସେହି ଆଇନ କାହିଁକି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲାଗୁ ନହେବ ।ଅନ୍ୟପକ୍ଷରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ସିଧାସଳଖ ବୈଜୟନ୍ତଙ୍କ ପାଇଁ ବାହାରିଛନ୍ତି। ଶ୍ରୀମନ୍ଦିର ଓ ଚିଲିକା ଉପରେ ଉଡିଥିବା ବୈଜୟନ୍ତଙ୍କ ହେଲିକପ୍ଟର ବିବାଦକୁ ନେଇ ବିଧାନସଭାରୁ ବାହାର ସବୁଠି ବୋବାଲ। ବୈଜୟନ୍ତଙ୍କୁ ଗିରଫ ଦାବିରେ ବିଜେଡି ନେତାଙ୍କ ବିକ୍ଷୋଭ । ପ୍ରଶ୍ନକାଳ ଆରମ୍ଭରେ ଏପ୍ରସଙ୍ଗ ଉଠାଇବା ସହ ଗୃହ ମୁଲତବୀ ପରେ ଗାନ୍ଧିମୂର୍ତ୍ତି ତଳେ ବି ଏନେଇ ବିଜେଡି ସଦସ୍ୟ ପ୍ରତିବାଦ କରିଛନ୍ତି । ଶୂନ୍ୟକାଳରେ ବିରୋଧିଦଳ ନେତା ଏ ପ୍ରସଙ୍ଗ ଉଠାଇ କହିଛନ୍ତି, ଯେଉଁମାନେ ଶ୍ରୀମନ୍ଦିର ଉପରେ ହେଲିକପ୍ଟର ଉଡାଇଥିଲେ ସେମାନଙ୍କ ବିରୋଧରେ ଫୌଜଦାରୀ ଦଣ୍ଡ ବିଧାନ ହେଉ । କାରଣ ପୁରୀ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହଁ ବରଂ ଏକ ଆଧ୍ୟାତ୍ମିକ କ୍ଷେତ୍ର । ହେଲେ ବିଜେପିର ଯୁକ୍ତି ଭିନ୍ନ । ଯେଉଁମାନେ ଆଇନ ଉଲ୍ଲଙ୍ଘନ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିର ଦାବି । ଏହା କହିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ବିବାଦ ଭିତରକୁ ଟାଣିବାକୁ ଚେଷ୍ଟା କରିଛି। ନିଜେ ନବୀନ ବ୍ରହ୍ମଗିରି ଗସ୍ତ ବେଳେ ଚିଲିକା ଉପରଦେଇ ହେଲିକପ୍ଟରରେ ଯାଇଥିବା ଦର୍ଶାଇ ସମାନ ଆଇନର ଫଣ୍ଡା ବଖାଣିଛି। ତେବେ ଏତିକିବେଳେ ବୈଜୟନ୍ତଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି ଦାମ।କହିଛନ୍ତି ରାଜନୈତିକ ାକ୍ରୋଶ ରଖି ବୈଜୟନ୍ତଙ୍କୁ ଫସାଇବାକୁ ଉଦ୍ୟମ ହେଉଛି। ବୈଜୟନ୍ତଙ୍କ ହେଲିକପ୍ଟର ଚିଲିକାରେ ଲ୍ୟାଣ୍ଡ କରିଛି କି ନା ତାଉପରୁ ପରଦା ହଟିନି । ୧୫ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ହିଁ ଏୟାରପୋର୍ଟ ଅଥରିଟିଙ୍କ ରାଡାର କାମ କରୁଥିବାରୁ ହେଲିକପ୍ଟର ଚିଲିକାରେ ଲ୍ୟାଣ୍ଡ କରିଛି କି ନା ଜଣାପଡିନି । କିନ୍ତୁ ଜୟ ପଣ୍ଡା କେଉଁ ରୁଟ୍ ରେ ହେଲିକପ୍ଟର ଉଡାଇବେ ସେନେଇ ଏୟାରପୋର୍ଟ ଅଥରିଟିଙ୍କ ଠାରୁ ପରିମିସନ ନେଇଛନ୍ତି । ତେବେ ଏନେଇ ପୋଲିସରେ ଅଭିଯୋଗ ହେବାପରେ ବୈଜୟନ୍ତଙ୍କ ହେଲିକପ୍ଟରକୁ ସିଜ୍ କରାଯାଇଛି । ବ୍ଲାକ ବକ୍ସ ଚେକ୍ କରିବାକୁ ଡିଜିସିଏକୁ ଅନୁରୋଧ କରାଯାଇଛି। ସେପଟେ ଚିଲିକାରେ ହେଲିକପ୍ଟର ଉଡାଇଥିବାରୁ ଉଭୟ ବୈଜୟନ୍ତ ପଣ୍ଡା ଓ ନବୀନ ପଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ପୁରୀ ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ମାମଲାର ତଦନ୍ତ ଚାଲିଛି ।କିନ୍ତୁ େହା ବେଆଇନ । ଧାର୍ମିକସ୍ଥଳ ଦୃଷ୍ଟିରୁ କେବଳ ତିରୁପତି ତିରୁମାଳା ମନ୍ଦିର ଚତୁର୍ପାର୍ଶ୍ବ ନୋ-ଫ୍ଲାଇଙ୍ଗ ଜୋନ୍ ଭିତରେ ରହୁଛି । ପୁରୀ ବଡଦାଣ୍ଡକୁ ନୋ ଫ୍ଲାଙ୍ଗ ଜୋନ୍ ଘୋଷଣା କରିବାକୁ ଓଡିଶା ସରକାରଙ୍କ ଦାବିକୁ ଡିଜିସିଏ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏହା ଆନ୍ତର୍ଜାତୀୟ ବିମାନ ଚଳାଚଳର ଏକ ରୁଟ୍ ହୋଇଥିବାରୁ ଏହାକୁ ନୋ- ଫ୍ଲାଇଙ୍ଗ ଜୋନ୍ ଘୋଷଣା କରିନି ଡିଜିସିଏ । ତେବେ ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣ ବିବାଦ ଆଗକୁ କେଉଁ ମୋଡ ନେଉଛି ତାକୁ ସମସ୍ତେ ଅପୋକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.