Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାଇଜେରିୟ ଅପହରଣକାରୀଙ୍କ ନିକଟରୁ ବନ୍ଧକ ଓଡିଆଙ୍କ ମୁକ୍ତି ଲାଗି ହାଇକମିଶନଙ୍କୁ ପତ୍ର ଲେଖିଲେ ବୈଜୟନ୍ତ

2/05/2019 at 5:37 PM

ଭୁବନେଶ୍ବର ୨।୫:  ନାଇଜେରୀୟ ଜଳଦସ୍ୟୁଙ୍କ ଦ୍ବାରା ଲାଗୋସରୁ ଅପହୃତ ହୋଇଥିବା ତୈଳବାହୀ ଜାହାଜର ଓଡିଆ ନାବିକଙ୍କ ମୁକ୍ତି ଲାଗି ବିଜେପି ଜାତୀୟ ଉପସଭାପତି  ବୈଜୟନ୍ତ ପଣ୍ଡା ନାଇଜେରିଆସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପତ୍ର ଲେଖିଛନ୍ତି । ଗତ ଏପ୍ରିଲ ୧୯ ତାରିଖରେ ଜଳଦସ୍ୟୁମାନେ  ‘ଏମଟି ଆପେକସ’ ନାମକ ଏକ ତୈଳବାହୀ ଜାହାଜକୁ ଅପହରଣ କରିନେଇଛନ୍ତି । ଏଥିରେ କାର୍ଯ୍ୟ କରୁଥିବା ଓଡିଆ ନାବିକ ସୁଦୀପ କୁମାର ଚୌଧୁରୀଙ୍କ ସମେତ ୪ ଭାରତୀୟ ଓ ୨ ନାଇଜେରୀୟ ନାବିକଙ୍କୁ ଅପହରଣକାରୀ ବନ୍ଧକ ରଖିଛନ୍ତି ।

ଏ ନେଇ ଚୌଧୁରୀଙ୍କ ପତ୍ନୀ ଭାଗ୍ୟଶ୍ରୀ ଦାସଙ୍କ ନିବେଦନ କ୍ରମେ ବୈଜୟନ୍ତ ଅପହୃତ ଭାରତୀୟ ନାଗରିକଙ୍କ ସନ୍ଧାନ ନେବା ସହ ସେମାନଙ୍କ ମୁକ୍ତିଲାଗି ପଦକ୍ଷେପ ନେବାକୁ ବୈଜୟନ୍ତ ଉଚ୍ଚାୟୁକ୍ତଙ୍କୁ ନିବେଦନ କରିଛନ୍ତି । ୧୯ ତାରିଖ ଦିନ ଏମଟି ଆପେକସ ଲାଗୋସ ବନ୍ଦରରୁ ପ୍ରସ୍ଥାନ କରିବା ବେଳେ ସମୁଦ୍ର ଲୁଟେରାଙ୍କ ଶିକାର ହୋଇଥିଲା। ସେମାନେ ଜାହାଜ ସମେତ ସମସ୍ତ ଚାଳକଦଳ ସଦସ୍ୟଙ୍କୁ ଅପହରଣ କରିନେଇଛନ୍ତି । ଜାହାଜରେ ଓଡିଆ କର୍ମଚାରୀ ସୁଦୀପ ଥାର୍ଡ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ସେ ବ୍ରହ୍ମପୁରର ମୂଳ ବାସିନ୍ଦା ହୋଇଥିବା ବେଳେ   ଭୁବନେଶ୍ବର ଖାରବେଳନଗର ଅଞ୍ଚଳର ପ୍ରଦୀପ୍ତ କୁମାର ଚୌଧୁରୀଙ୍କ ପୁତ୍ର ଅଟନ୍ତି ।

ସୁଦୀପ୍ତଙ୍କ ସହ ଅପହୃତ ହୋଇଥିବା ଭାରତୀୟଙ୍କ ମଧ୍ୟରେ ଜାହାଜ ଓଏସ୍ ଅଙ୍କିତ ହୁଡା, ଅଏଲର ଚିରାଗ ଯାଦବ, ଏଓସ୍ ପି.ସାଇ ଅଭିନାଶ ଓ ଫିଟର ଏମ. ରବି ମଧ୍ୟ ଅଛନ୍ତି । ବୈଜୟନ୍ତ ସମସ୍ତ ଚାଳକଦଳ ସଦସ୍ୟଙ୍କ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବା ଲାଗି ଉଚ୍ଚାୟୁକ୍ତଙ୍କୁ ନିବେଦନ କରିଛନ୍ତି ।  

   Related Posts