ବାଇଡେନଙ୍କ ଶପଥ ଗ୍ରହଣ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି : ଏଫବିଆଇ ରଖିଛି ନଜର, ୧୫୦୦୦ ୟୁଏସ ନ୍ୟାଶନାଲ୍ ଗାର୍ଡ ନିୟୋଜିତ

Published By : Prameya-News7 Bureau | January 19, 2021 IST

ଲଣ୍ଡନ, ୧୯/୦୧: ଆମେରିକାର ରାଜଧାନୀ ଓ୍ୱାଶିଂଟନରେ ହିଂସା ଆରମ୍ଭ ହେବା ପରେ ଜରୁରୀକାଳିନ ସ୍ଥିତି ଲାଗୁ ହୋଇଥିଲା । ଏହାପରେ ହ୍ୱାଇଟ ହାଉସକୁ ଏକ ଦୁର୍ଗରେ ପରିଣତ କରିଦିଆଯାଇଛି । ଜାନୁଆରୀ ୨୦ରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥଗ୍ରହଣ ସମାରୋହକୁ ନଜରରେ ରଖି ସିକ୍ରେଟ୍ ସର୍ଭିସ୍ ଓ ୟୁଏସ ନ୍ୟାଶନାଲ ଗାର୍ଡସଙ୍କୁ ମଧ୍ୟ ମୁତୟନ କରାଯାଇଛି । କୌଣସି ପ୍ରକାର ହିଂସାକୁ ପ୍ରତିହତ କରିବାକୁ ମଲ୍ଟି ଏଜେନ୍ସି କମାଣ୍ଡରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ୨୪ ଘଣ୍ଟା ଓ୍ୱାଶିଂଟନ ଉପରେ କଡା ନଜର ରଖାଯାଇଛି ।

ଗତ ସପ୍ତାହରେ ୟୁଏସ କ୍ୟାପିଟଲ ବିଲ୍ଡିଂରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହିଂସାକାଣ୍ଡ ଭିଆଇଥିଲେ । ସେହିପରି ବାଇଡେନଙ୍କ ଶପଥଗ୍ରହଣ ସମାରୋହରେ ମଧ୍ୟ ହିଂସା ଆଶଙ୍କା ରହିଛି । ଏହାକୁ ନେଇ ଟ୍ରମ୍ପ ନିଜେ କହିଥିଲେ ଯେ, ତାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପାଇଁ ଆମେରିକାବାସୀ କ୍ଷୁବ୍ଘ ରହିଛନ୍ତି ।

ଓ୍ୱାଶିଂଟନ ପୋଷ୍ଟ ସହ ଆଲୋଚନା କରି ଜଣେ ପୂର୍ବତନ ଗୁଇନ୍ଦା ଅଧିକାରୀ କହିଛନ୍ତି ଯେ, ଆମେରିକାରେ ଏବେ ସୁରକ୍ଷା ସମ୍ବନ୍ଧରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଜାନୁଆରୀ ୬ରେ କ୍ୟାପିଟଲ ବିଲ୍ଡିଂ ଉପରେ ଆକ୍ରମଣ ହୋଇଥିଲା । ଏବେ ଆକ୍ରମଣ ହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନ୍ୟାଶନାଲ୍ ଗାର୍ଡଙ୍କୁ କୌଣସି ଅନୁମତି ଦରକାର ନାହିଁ । କାହାକୁ ଏଫବିଆଇ ସ୍ୱାଟ୍ ଟିମ୍ ପାଇଁ ଜରୁରୀ କଲ୍ କରିବା ଦରକାର ନାହିଁ । ରେଡିଏସନ୍ ପ୍ରୋଟେକ୍ସନ, ବମ୍ ଡିଟେକ୍ଟର ଓ ହିଂସା ପ୍ରତିରୋଧୀ ବାହିନୀ ମୁତୟନ ଅଛନ୍ତି ।

ଓ୍ୱାଶିଂଟନରେ ସୁରକ୍ଷା ପାଇଁ ୧୫୦୦୦ରୁ ଅଧିକ ୟୁଏସ ନ୍ୟାଶନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି । ଏହାମଧ୍ୟରୁ ୧୦୦୦୦ଜଣଙ୍କୁ ପଡିଆରେ ନିୟୋଜିତ କରାଯାଇଛି । ଅନ୍ୟ ୫ହଜାର ଯବାନ ଷ୍ଟାଣ୍ଡବାୟରେ ରହିବେ ।

ଏଫବିଆଇ କ୍ୟାପିଟଲ ବିଲ୍ଡିଂରେ ଗତ ସପ୍ତାହରେ ଘଟିଥିବା ହିଂସା ପରେ ବାଇଡେନଙ୍କ ଶପଥଗ୍ରହଣରେ ପୁଣି ହିଂସା ଆଶଙ୍କା କରିଥିଲା । ଏହାସହ ଦେଶର ୫୦ଟି ରାଜ୍ୟରେ ଆନ୍ଦୋଳନ ନେଇ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଦଙ୍ଗା ଆଶଙ୍କା ମଧ୍ୟ ରହିଥିଲା । ତେଣୁ ସୁରକ୍ଷା ଦୃଷିକୋଣରୁ ଅଧିକ ଯବାନ ମୁତୟନ ହେବା ସହ ଓ୍ୱାଶିଂଟନ ଉପରେ କଡା ନଜର ରଖାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.