ଆଜି ପବିତ୍ର ବାହୁଡା : ଜନ୍ମବେଦୀ ଛାଡି ଶ୍ରୀମନ୍ଦିରକୁ ବାହୁଡିବେ ଶ୍ରୀଜିଉ, ସୁରକ୍ଷା ବ୍ୟବସ୍ଥା କଡାକଡି
12/07/2019 at 8:17 AM

ପୁରୀ ୧୨|୭: ଆଜି ପବିତ୍ର ବାହୁଡା । ଜନ୍ମବେଦୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଶ୍ରୀମନ୍ଦିର ବାହୁଡିବେ ଶ୍ରୀଜିଉ । ସକାଳ ୪ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳଆଳତି, ସକାଳ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଏବଂ ସକାଳଧୂପ ନିତୀ ଅନୁଷ୍ଠିତ ହୋଇଛି । ଖେଚୁଡି ଭୋଗ ଖାଇ ରଥକୁ ପହଣ୍ଡିବିଜେ କରିବେ ମହାପ୍ରଭୁ। ଦିନ ୧୨ଟାରେ ଆରମ୍ଭ ହେବ ପହଣ୍ଡିଯାତ୍ରା। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ସେବକଙ୍କ ଗହଣରେ ରଥ ଉପରକୁ ବିଜେ କରିବେ ବ୍ରହ୍ମାଣ୍ଡ ଠାକୁର। ଦିନ ୧ଟାରୁ ୨ଟା ୩୦ ମଧ୍ୟରେ ରଥ ଉପରେ ପ୍ରଭୁଙ୍କୁ ବେଶ କରାଯିବ। ଆଦ୍ୟ ସେବକ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଦିନ ୨ଟା ୩୦ରେ ରଥରେ ଛେରାପହଁରା କରିବାର କାର୍ଯ୍ୟ କ୍ରମ ରହିଛି । ଏହାପରେ ଚାରମାଳ ଫିଟାଯାଇ ଘୋଡା ଲଗାଯିବ। ଅପରାହ୍ଣ ୪ଟା ସୁଦ୍ଧା ରଥଟଣା ଆରମ୍ଭ ପାଇଁ ପ୍ରଶାସନ ସ୍ଥିର କରିଛି ।