ବାହୁଡା ଯାତ୍ରା : ନବଦିନାତ୍ମକ ଯାତ୍ରା ସାରି ବାହୁଡିଲେ ମହାପ୍ରଭୁ, ଆସନ୍ତାକାଲି ସୁନାବେଶ

Published By : Prameya-News7 Bureau | July 12, 2019 IST

ପୁରୀ ୧୨|୭:  ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଲେ ମହାପ୍ରଭୁ । ଶ୍ରୀନଅର ନିକଟରେ ଲକ୍ଷ୍ମୀ-ନାରାୟଣ ଭେଟ କରାଗଲା । ନିର୍ଦ୍ଧାରିତ ସମୟ ଠାରୁ ପାଖାପାଖି ୩ଘଣ୍ଟା ପୂର୍ବରୁ ପୁରୀରେ ରଥଟଣା ହୋଇଥିଲା । କାଲି ରଥାରୁଢ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରିବେ ଭକ୍ତ ।

{"id":132961}

ବାହୁଡ଼ିଲେ ମହାବାହୁ । ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ିଲେ ଚତୁର୍ଦ୍ଧାମୁରତି । ଆଜି ସକାଳୁ ସକାଳୁ ଶ୍ରୀଜିଉଙ୍କ ନୀତିକାନ୍ତି ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇଥିଲା । ଦିନ ୧୨ଟା ବେଳେ ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ଅଧଘଣ୍ଟା ପୂର୍ବରୁ ଶେଷ ହୋଇଥିଲା ଶ୍ରୀବିଗ୍ରହମାନଙ୍କ ପହଣ୍ଡି । ପ୍ରଥମେ ମହାପ୍ରଭୁ ସୁଦର୍ଶନ, ପରେ ପରେ ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଆଉ ଶେଷରେ ଝୁଲି ଝୁଲି ନାକଚଣା ଦ୍ବାର ଦେଇ ରଥକୁ ବାହାରି ଆସିଥିଲେ କାଳିଆ ଠାକୁର । କେତେବେଳେ ଭକ୍ତଙ୍କୁ ତ କେତେବେଳେ ନନ୍ଦିଘୋଷକୁ ପୁଣି କେତେବେଳେ କଣେଇ କଣେଇ ଜନ୍ମବେଦୀକୁ ଚାହୁଁଥିଲେ ଚକାନୟନ । ଭକ୍ତିରେ ଭିଜିଥିଲା ଶରଧାବାଲି । ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ସାରା ଗଗନ ପବନ ।

{"id":132962}

ପରମ୍ପରା ମୁତାବକ ଚତୁର୍ଦ୍ଧାମୁରତି ରଥାରୁଢ଼ ହେବା ପରେ ପାଲିଙ୍କିରେ ବସି ଛେରା ପହଁରା ପାଇଁ ପହଞ୍ଚିଥିଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ । ସେପଟେ ସଅଳ ସଅଳ ନୀତି ସାରିବାକୁ ବ୍ୟସ୍ତ ଥିଲେ ସେବାୟତ । ଛେରାପହଁରା ନୀତି ସରିବା ବେଳକୁ ଆରମ୍ଭ ହୋଇଯାଇଥିଲା ରଥରୁ ଚାରମାଳ ଫିଟା ନୀତି । ଅପରାହ୍ନ ୪ଟା ବେଳକୁ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଏହାର ପ୍ରାୟ ୩ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଦିନ ଗୋଟାଏ ୧୫ବେଳକୁ ବଡ଼ ଠାକୁର ଶ୍ରୀବଳଭଦ୍ର ମହାପ୍ରଭୁଙ୍କୁ ତାଳଧ୍ବଜ ରଥଟଣା ଆରମ୍ଭ ହୋଇଥିଲା ।

{"id":132963}

ତାଳଧ୍ବଜ କିଛି ବାଟ ଯିବା ପରେ ଗଡ଼ିଥିଲେ କାମ୍ପିଲ୍ୟବାସିନୀ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଆଉ ଶେଷରେ ଭକ୍ତଙ୍କ ଗହଳି ଭିତରେ ଘର ଘର ନାଦ କରି ଗଡ଼ିଥିଲେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ବାଟରେ ପୋଡ଼ପିଠା ଖାଇବାକୁ ମାଉସୀମାଆ ମନ୍ଦିର ନିକଟରେ ଟିକିଏ ଅଟକିଯାଇଥିଲେ ମହାପ୍ରଭୁ । ନୀତି ସମ୍ପନ୍ନ ପରେ ପୁଣି ତିନି ରଥ ବଢ଼ିଥିଲେ ଆଗକୁ ।

{"id":132964}

ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ମଧ୍ୟ ଟ୍ରାଫିକ୍‌ କଟକଣା, ସୁରକ୍ଷା ବ୍ୟବସ୍ଥା ସବୁ କିଛି ଉପରେ ଗୁରୁତ୍ବ ଦେଇଥିଲା ପ୍ରଶାସନ । ଆସନ୍ତାକାଲି ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ । ବାହୁଡ଼ା ଓ ସୁନାବେଶ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.