Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଢୁଛି ବଗଲା ଧର୍ମଶାଳା ବିବାଦ : ବିଜେପିର ଅଭିଯୋଗକୁ ବିଜେଡିର ଖଣ୍ଡନ, ସେପଟେ ଧର୍ମଶାଳା ବିକ୍ରି ହୋଇନଥିବା ସ୍ପଷ୍ଟ କଲା ପ୍ରଶାସନ

22/08/2020 at 6:49 PM

ପୁରୀ, ୨୨|୦୮: ବଢୁଛି ବଗଲା ଧର୍ମଶାଳା ବିବାଦ । ବଗଲା ଧର୍ମଶାଳାକୁ ପୁରୀ ଜିଲ୍ଲା ପ୍ରଶାସନ ବିକ୍ରି କରିଥିବା ଅଭିଯୋଗରେ ବିଜେପି ପ୍ରତିବାଦ କରୁଥିବାବେଳେ ଏଥିରେ ସାମିଲ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ବଗଲା ଧର୍ମଶାଳାକୁ ବିକ୍ରି ନକରିବାକୁ ସମ୍ବିତ ଦାବି କରିଛନ୍ତି । ସେପଟେ ସମ୍ବିତଙ୍କ ଏପରି ଆରୋପ ପଛରେ ରାଜନୀତି ଥିବା କହିଛି ବିଜେଡି । ରାଜନୈତିକ ଆରୋପ ପ୍ରତ୍ୟାରୋପ ଚାଲିଥିବାବେଳେ ଏହାରି ଭିତରେ ବଗଲା ଧର୍ମଶାଳା ବିକ୍ରି ହୋଇନଥିବା କିମ୍ବା କାହାକୁ ଆବଣ୍ଟନ ହୋଇନଥିବା ସ୍ପଷ୍ଟ କରିଛି ପୁରୀ ଜିଲ୍ଲା ପ୍ରଶାସନ ।

ବଗଲା ଧର୍ମଶାଳାକୁ ନେଇ ବଢ଼ୁଛି ବିବାଦ ।  ଏହାକୁ ନେଇ ରାଜନୀତି ବି ତେଜ୍‌ ହୋଇଛି । ପୁରୀରେ ବଗଲା ଧର୍ମଶାଳା ବିକ୍ରି ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ସ୍ଥାନୀୟ ବିଧାୟକଙ୍କ ନେତୃତ୍ବରେ ପୁରୀ ବଗଲା ଧର୍ମଶାଳା ପ୍ରତିବାଦରେ ସାମିଲ ହୋଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ପ୍ରଶାସନକୁ ଦାନସୁତ୍ରରେ ମିଳିଥିବା ବଗଳା ଧର୍ମଶାଳାକୁ କାହିଁକି ପୁରୀ ଜିଲ୍ଲା ପ୍ରଶାସନ ଲଂଜି ମାଲିକଙ୍କୁ ବିକ୍ରି କଲା ବୋଲି ପ୍ରଶ୍ନ ଉଠାଇଛନ୍ତି । ଏହାର ବିକ୍ରିକୁ ରଦ୍ଦ କରି କେବଳ ଧର୍ମଶାଳା ରଖିବାକୁ ସେ ଦାବି କରିଛନ୍ତି । ପୁରୀ ଉନ୍ନତି କରଣ ଲାଗି କେନ୍ଦ୍ରସରକାରଙ୍କ ଅବଢା ଯୋଜନାରେ ମିଳିଥିବା ଅନୁଦାନର ଅର୍ଥରୁ ଧର୍ମଶାଳା ରିନୋଭେସନ ପାଇଁ ୩ କୋଟି ଖର୍ଚ୍ଚ କରିଛି ଜିଲ୍ଲା ପ୍ରଶାସନ । ସେପଟେ କୋର୍ଟରେ ମାମଲା ରହିଛି । ଏସବୁ ସତ୍ବେ ବଗଲା ଧର୍ମଶାଳାକୁ ପ୍ଲଟ କରି ଆବଣ୍ଟନ କରିବା ପଛରେ ମନ୍ଦ ଉଦେଶ୍ୟ ଥିବା ଆରୋପ ଲଗାଇଛନ୍ତି ସମ୍ବିତ ପାତ୍ର ।

 ଧର୍ମଶାଳାକୁ ବେଆଇନ୍‌ ଭାବେ ବିକ୍ରି ହୋଇଛି ବୋଲି ବିଜେପି ଅଭିଯୋଗ କରିଥିବାବେଳେ ଏହାର ଜବାବ ରଖିଛି ବିଜେଡି ।  ରାଜ୍ୟ ସରକାରଙ୍କ ଉଦ୍ୟମରେ ପ୍ରାୟ ୧୦ ହଜାର ଯାତ୍ରୀଙ୍କ ପାଇଁ ଧର୍ମଶାଳା ନିର୍ମାଣ କରାଯାଉଛି। ବଗଳା ଧର୍ମଶାଳା ସଂପର୍କରେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଉଥିବା କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି । ସେପଟେ ବଗଲା ଧର୍ମଶାଳା ବିକ୍ରି ହୋଇ ନଥିବା ନେଇ ନକ୍ସା ସହ ପ୍ରେସ ନୋଟ ଜାରି କରିଛି ପୁରୀ ଜିଲ୍ଲା ପ୍ରଶାସନ ।  ଏଥିରେ ଉଲ୍ଲେଖ ଅଛି ଯେ,   ପୁରୀର ଖାତା ନମ୍ବର ୨୪୨ ଏବଂ ୧୫୦ର ବଳଗଣ୍ଡି ମୌଜାର ୨ ଏକର ୭୩୮ ଡିସିମିଲି ଜମିରେ ରହିଛି । ପୂର୍ବରୁ ଲଜିଂ ହାଉସ ଫଣ୍ଡ କମିଟି ମାଲିକାନାରେ ଥିବା ଏହି ଧର୍ମଶାଳାରେ ୨ଶହ ଭକ୍ତ ରହିବାର ସୁବିଧା ଅଛି । ଏବେ ଘରୋଇ ଲଜିଂ ମାଲିକଙ୍କୁ ଏହି ଧର୍ମଶାଳା ଆବଣ୍ଟନ କି ବିକ୍ରି ହୋଇ ନାହିଁ ବୋଲି ସ୍ପଷ୍ଟ କରିଛି ପ୍ରଶାସନ । ମୋଟ ଜମିର  କେବଳ ୧୨ ପ୍ରତିଶତ ଜମି ଶ୍ରୀମନ୍ଦିରଠୁ ୭୫ ମିଟର କରିଡୋର ଭିତରେ ସୌନ୍ଦର୍ଯ୍ୟକରଣ ପାଇଁ ଜମି ହରାଇଥିବା ସେବାୟତ, ଏବଂ ଲୋକଙ୍କୁ ଥଇଥାନ କରିବା ଲାଗି ବ୍ୟବହାର ହୋଇଛି ବୋଲି ପୁରୀ ଜିଲ୍ଲା ପ୍ରଶାସନ କହିଛି ।

ପୁରୀରେ ବଗଲା ଧର୍ମଶାଳାକୁ ୧୯୦୫ରେ କହ୍ନେୟା ଲାଲ ବଗଲା ନାମକ ଜଣେ ଭକ୍ତ ଦାନ ସୁତ୍ରରେ ଦେଇଥିଲେ । ଏହି ଧର୍ମଶାଳା ଭକ୍ତଙ୍କ ରହଣି ପାଇଁ ବ୍ୟବହାର କରାଯାଉଥିଲା । ଏବେଏହି ଜମିରୁ ଶ୍ରୀମନ୍ଦିର କରିଡୋରରେ ଜମି ହରାଇଥିବା ଲୋକଙ୍କୁ ଥଇଥାନ କରିବା ଯୋଜନା ହେବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

   Related Posts