ବାଟହୁଡି ବଡ଼ଚଣା ଥାନା ବଡ଼ବାବୁ ସସ୍ପେଣ୍ଡ: ଚୋରା ଗାଡିରେ ନାଲିବତୀ ଲଗାଇ ଯାଇଥିଲେ ପୁରୀ, ସେବାୟତ ବି ଫସିଲେ
20/04/2020 at 8:34 PM

ପୁରୀ୨୦/୪: କରୋନା ମହାମାରୀ ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକଡାଉନ୍ କଟକଣା। କେବଳ ଅତ୍ୟାବଶ୍ୟକ ସେବାକୁ ଛାଡିଲେ ସମସ୍ତ ଅଫିସ, ଧର୍ମ ପୀଠ ସବୁଠି ଜାରି ହୋଇଛି କଟକଣା । ଏସବୁ ସତ୍ତ୍ବେ ଯାଜପୁର ଜିଲ୍ଲାର ବଡଚଣା ଥାନା ଆଇାଇସି ଦୀପକ କୁମାର ଜେନା ଏହାକୁ ଉଲ୍ଲଙ୍ଘନ କରିଛନ୍ତି। ନିଜ ପରିବାର ସହ ଏକ ଚୋରା ଗାଡିରେ ପୁରୀ ଯାଇ ଜଣେ ସେବାୟତଙ୍କ ସହାୟତାରେ ଶ୍ରୀମନ୍ଦିର ପ୍ରବେଶ କରିଥିବାରୁ ତାଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟନୁଷ୍ଠାନ । କରୋନା କଟକଣା ଆଇନ୍ ଉଲ୍ଲଙ୍ଘନ ନେଇ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାର୍ଯ୍ୟରୁ ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ।
ରକ୍ଷକ ସାଜିଲେ ଭକ୍ଷକ । କରୋନା କଟକଣା ଉଲ୍ଲଘନ ସହ ଶ୍ରୀମନ୍ଦିରରେ ଜୋରଜବରଦସ୍ତ ପ୍ରବେଶ ବଡଚଣା ଆଇଆଇସିଙ୍କୁ ମହଙ୍ଗା ପଡିଛି । କଟକଣା ଉଲ୍ଳଘଂନ ସହ ଏକ ଚୋରା ଗାଡିରେ ସପରିବାର ସହ ପୁରୀ ଯାଇ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କରିଥିଲେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା । ଏଭଳି ବେଆଇନ୍ କାର୍ଯ୍ୟ କରିଥଇବା ଆଇଆଇସି ଦୀପକ କୁମାର ଜେନାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି। ଲକଡାଉନ୍ ନିୟମ ଭାଙ୍ଗିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଡିଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

ବଡଚଣା ଆଇଆଇସି ଏବଂ ତାଙ୍କୁ ସହଯୋଗ କରିଥିବା ସେବାୟତଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଏତଲା ହୋଇଛି। ଏହାସହ ଆଇପିସିର ୫୧ (ଖ) ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂକ୍ରାମକ ରୋଗ ଧାରା ୩ ଓ ୪୪୮ ଧାରା ଅନୁଯାୟୀ ବଳପୂର୍ବକ ପ୍ରବେଶ ଭଳି ଦଫା ଲାଗିଛି । ଏହି ଘଟଣାରେ ବଡଚଣା ଆଇଆଇସି, ଜଣେ ମହିଳା ଏବଂ ଜଣେ ସେବାୟତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଶ୍ରୀମନ୍ଦିରକୁ ପ୍ରବେଶ କରିଥିବା ଉକ୍ତ ୩ଜଣଙ୍କ ବିରୋଧରେ ତଦନ୍ତ ଚାଲିଥିବା ପୁରୀ ଏସ୍ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି
ତେବେ ବଡ ପ୍ରଶ୍ନ ଉଠୁଛି କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା କଟକଣାକୁ ଖୋଦ ଜଣେ ପୋଲିସ ଅଧିକାରୀ ଉଲ୍ଲଙ୍ଘନ କଲେ କାହିଁକି ? ଶ୍ରୀମନ୍ଦିର ଭିତରକୁ ଜୋର ଜବରଦସ୍ତ କାହା ସାହସରେ ପ୍ରବେଶ କଲେ ? ବଡଚଣା ଆଇଆଇସି ପରିବାର ସହ ଯେଉଁ ଗାଡିରେ ଜଗନ୍ନାଥ ଦର୍ଶନ କରିବାକୁ ଯାଇଥିଲେ ଉକ୍ତ ଗାଡିଟି ପୂର୍ବରୁ ଚୋରୀ ହୋଇଥିଲା ଗାଡିଟି ଜବତ ହୋଇଥିବା ନେଇ ଗାଡି ମାଲିକଙ୍କୁ ମଧ୍ୟ ଅବଗତ କରାଯାଇଥିଲା । କିନ୍ତୁ ଏହି ଚୋରା ଗାଡି ଗାଡି ମାଲିକଙ୍କୁ ହସ୍ତାନ୍ତର କରାଯାଇନଥିଲା । ନିଜେ ଆଇଆଇସି ଏହି ଚୋରା ଗାଡିରେ ନାଲିବତି ଲଗାଇ ବଡଚଣାରୁ ପୁରୀ ଯିବା କେଉଁ ଆଇନ୍ ସମ୍ମତ ? ମାର୍ଚ୍ଚ ୨୦ ରୁ ଶ୍ରୀମନ୍ଦିରରେ ସମସ୍ତ ଭକ୍ତଙ୍କ ପ୍ରବେଶ ନେଇ କଟକଣା ଥିବା ବେଳେ ଜଣେ ଆଇଆଇସି ଏହାକୁ ଖୋଲାଖୋଲି ଉଲଙ୍ଘନ ଏବେ ବଡ ପ୍ରଶ୍ନବାଚୀ ଛିଡା କରିଛି।
ସେପଟେ ଆଇଆଇସି ଦୀପକ ଜେନାଙ୍କ ବିରୋଧରେ ପୁରୀ ପୋଲିସ ପକ୍ଷରୁ କୋହଳ ଦଫା ନାଗୁ ହୋଇଥିବାରୁ ଏହାକୁ ନେଇ ଉଠିଛି ପ୍ରଶ୍ନ । କେବଳ ନିଲମ୍ବନ ନୁହେଁ ବରଂ ଆଇଆଇସି ଦୀପକ କୁମାର ଜେନାଙ୍କୁ କାର୍ଯ୍ୟରୁ ସଂପୁର୍ଣ୍ଣ ବହିଷ୍କାର କରିବା ସହ ତାଙ୍କୁ ସହଯୋଗ କରିଥିବା ପୂଜାପଣ୍ଡା ସେବାୟତଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜୋରଦାର ହୋଇଛି ।