ଧର୍ମପଦ ଯଦି ଆସନ୍ତେ, ତାହାଲେ ସେ କଣ ଭାବନ୍ତେ ?

Published By : Prameya-News7 Bureau | February 12, 2020 IST

ଭୁବନେଶ୍ବର ୧୨।୦୨: କୋଣାର୍କ ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେବା ନେଇ ପୁଣି ପ୍ରଶ୍ନ । ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଯେଉଁଠାରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଖସୁଛି ସେଠାରେ ଲଗାଯାଉଛି ସାଧାରଣ ପଥର । ଏହାକୁ ନେଇ ସୋସିଆଲ ମିଡିଆରେ ଗଦା ଗଦା ପ୍ରଶ୍ନ ଉଠିବା ପରେ ଉଦ୍ ବେଗ ପ୍ରକାଶ ପାଇଛି । କିଛି ତ ଏମିତି ବି କହିଛନ୍ତି ଯଦି ଧର୍ମପଦ ତାର ବାପା ବିଶୁ ମହାରଣାଙ୍କୁ ନେଇ ଦେଖିବାକୁ ଆସନ୍ତେ କୋଣାର୍କ ସେ କଣ ଭାବନ୍ତେ।

ମୁଁ ଧର୍ମପଦ। ୭୭୦ ବର୍ଷ ତଳକଥା। ଯେତେବେଳେ ଏହି କୋଣାର୍କ ମନ୍ଦିର ତୋଳିବା ପାଇଁ, ୧୨ ଶହ ବଢ଼େଇଙ୍କ ମାନ ରଖିବା ଲାଗି, ମୁଁ ସାତତାଳ ସମୁଦ୍ର ପାଣିକୁ ଡେଇଁପଡ଼ିଥିଲି। ମୁଁ ସେହି ଧର୍ମପଦ। ମୋ କୋଣାର୍କ ଦେଖିବାକୁ ଚାହୁଁଛି।  ବାରଶହ ବଢେଇ, ରାଜା ଲାଙ୍ଗୁଳା ନରସିଂହ ଦେବ ଯାହାକୁ ଗଢ଼ିଥିଲେ।  କାହିଁ ସେ କୋଣାର୍କ ଯାହାକୁ ବାରଶହ ବଢ଼େଇ ଗଢ଼ିଥିଲେ। କାହିଁ ସେ କୋଣାର୍କ ଯେଉଁଠି ହଜାର ହଜାର ନର୍ତ୍ତକୀ ମୂର୍ତ୍ତି ହୋଇଯାଇଥିଲେ। କାହିଁ ସେ କୋଣାର୍କ ଯିଏ ରଥ ଭଳି ଠିଆ ହୋଇଥିଲା ଆଉ ସୂର୍ଯ୍ୟଦେବଙ୍କୁ ରଥାରୁଢ଼ କରୁଥିଲା, ଯେଉଁଠି ପ୍ରତିଟି ଚକରେ ଥିଲା ସମୟକୁ ଜୟ କରିବାର ଉଦ୍ଦାମତା। ହେଲେ ସବୁକିଛି ଏବେ ଯେମିତି ସାଧାସିଧା। ପୁନରୁଦ୍ଧାର ନାଁରେ ଏମିତି କରିଦେଇଛ ମୋ କୋଣାର୍କକୁ। ମୁଁ ଦେଖିଛି ଗ୍ରିସର ଐତିହ୍ୟକୁ ଦେଖନ୍ତୁ। ଏସବୁତ ମୋ ଠାରୁ ଆହୁରି ଶହ ଶହ ବର୍ଷ ପୁରୁଣା କାହିଁକି ସେମାନେ ତ ସେମିତି ଠିଆ ହୋଇଛନ୍ତି। କିନ୍ତୁ କୋଣାର୍କକୁ ଏମିତି ବିବର୍ଣ୍ଣ କଲ କାହିଁକି। ଏନେଇ ମୁଁ ପ୍ରଶ୍ନ ପଚାରିଛି ଆଉ ମୋ ସହିତ ମଧ୍ୟ ଅନେକ ଉତ୍କଳବାସୀ ପ୍ରଶ୍ନ ପଚାରିଛନ୍ତି।

ଏମିତି କେତେ କଣ କଥା କେତେ କଣ ଦୋଷାରୋପ ଚାଲୁଛି ଚାଲିବ । କିନ୍ତୁ ଏସବୁର ଦୋଷକୁ କେହି ମୁଣ୍ଡକୁ ନେବେନି। କିନ୍ତୁ ସତରେ ସେ କୋଣାର୍କ କଣ ଆଉ ତାର ପୂର୍ବ କଳାକୃତିକୁ ଫେରି ପାଇବ ନା ତାକୁ ଦେଖି ସାରା ବିଶ୍ବ ବାରଶହ ବଢ଼େଇଙ୍କୁ ମନେ ପକାଇବ? ଆଉ କିଛି ବର୍ଷ ପରେ ଏ କୋଣାର୍କ ମୋ କୋଣାର୍କ ହୋଇ ରହିବନି ନୂଆ ଦୁନିଆର ପ୍ରତ୍ନ ତତ୍ତ୍ବ ବିଭାଗର କାରଗର ମାନଙ୍କ ଲାଲ କୋଣାର୍କ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.