ଗୁଣିକରି ମୃତ୍ୟୁଦଣ୍ଡ ଦେବାର ଭୟ ଦେଖାଉଥିଲେ ବୃଦ୍ଧ, ପଥରରେ ଛେଚି ହତ୍ୟା କରିଥିବା ପାଞ୍ଚଜଣଙ୍କୁ ଗିରିଫ କଲା ପୋଲିସ୍‌

Published By : Prameya-News7 Bureau | April 09, 2021 IST

ଗଞ୍ଜାମ, ୦୯/୦୪: ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଡ଼ିମିରିପଙ୍କାଳ ଗ୍ରାମର ୭୫ ବର୍ଷୀୟ ବୃଦ୍ଧ ଧର୍ମା ନାୟକଙ୍କୁ ଗତ ମାସ ୩୦ ତାରିଖରେ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯାଇଥିଲେ ଅଭଯୁକ୍ତ । ହତ୍ୟାରେ ସମ୍ପୃକ୍ତ ଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ବଡଗଡ଼ ପୋଲିସ ଗିରଫ କରିଛି । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏନେଇ ସୂଚନା ଦେଇଛନ୍ତି ଆସ୍କା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ।

ଗିରଫ ଅଭିଯୁକ୍ତମାନେ ହେଲେ ଡ଼ିମିରିପଂକାଳ ଗ୍ରାମର ବୁଦ୍ଧିରାମ ନାୟକ , ବୁଲୁ ନାୟକ, ଧୋବା ନାୟକ, ରୋହିତ ନାୟକ ଆଉ ଜଣେ ଲେମ୍ଭାକୁମ୍ପା ଗ୍ରାମର ଦାସ ନାୟକ । ସେମାନଙ୍କ ଠାରୁ ରକ୍ତ ଭିଜା ହାତୁଡା ସହ ଦୁଇଟି ମଟର ସାଇକେଲ ଓ ମୋବାଇଲ ଜବତ କରିଛି ପୋଲିସ ।

ମୃତ ଧର୍ମା ନାୟକ ନିଜକୁ ଗୁଣିଆ କହି ଲୋକଙ୍କ ଘର ସମ୍ମୁଖରେ ଚାଉଳ, ପାଉଁଶ, ଫୁଲ, ଅଙ୍ଗାର ପକାଇ ମୃତ୍ୟୁଦଣ୍ଡର ଭୟ ଦେଖାଉଥିଲା । ପରବର୍ତ୍ତୀ ସମୟରେ ଘର ଲୋକଙ୍କ ଭିତରୁ କାହାରି କାହାରି ସ୍ୱାସ୍ଥ୍ୟ ଖରାପ ହେଉଥିଲା । ଆଉ କାହାର ଅଜଣା ରୋଗରେ ଜୀବନ ଯାଉଥିଲା । ଯାହାକୁ ନେଇ ଧର୍ମା ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରି ତାକୁ ହତ୍ୟା କରିବାକୁ ଯୋଜନା କରିଥିଲେ ଅଭିଯୁକ୍ତ ।

ଗତ ମାସ ୩୦ ତାରିଖରେ ସାଇକେଲ ଧରି ନିକଟସ୍ଥ ଗାଁକୁ ଜଳଖିଆ ଖାଇବାକୁ ଆସିଥିବା ଜାଣି ପୂର୍ବରୁ ଯୋଜନା ମୁତାବକ ଅଭିଯୁକ୍ତମାନେ ମିଶିକରି ହତ୍ୟା କରିଥିଲେ l ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ଗଡ଼ ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.