ଆଜି ବଡଓଷା ; ଆଠଗଡ ଧବଳେଶ୍ବର ପୀଠ ଚଳଚଞ୍ଚଳ, ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ
21/11/2018 at 8:59 AM

କଟକ ୨୧|୧୧: କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ କ୍ଷେତ୍ର ଆଠଗଡର ଧବଳେଶ୍ବର ପୀଠରେ ଆଜି ପାଳିତ ହେଉଛି ବଡଓଷା । ପଂଚୁକର ତୃତୀୟ ଦିନ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସଂଧିକ୍ଷଣରେ ପାଳିତ ହୁଏ ଏହି ବଡଓଷା । ଆଜି ଭୋର ୪ଟାରେ ଶ୍ରୀ ଦେବଙ୍କ ନୀତିକାନ୍ତି କରା ଯିବା ପରେ ୧୦୮ଗରା ଜଳରେ ବିଗ୍ରହଙ୍କୁ ସ୍ନାନ କରିଥିଲା । ଏହା ପରେ ଶ୍ରୀ ଦେବଙ୍କୁ ବଡ଼ସିଂହାର ବେଶରେ ସଜିତ କରାଯିବା ପରେ ପହୁଡ଼ ଖୋଲା ଯାଇଥିଲା । ଶ୍ରଦ୍ଧାଳୁମାନେ ଧାଡିରେ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି । ଦୂର ଦୁରାନ୍ତରୁ ଯେଉଁ ଭକ୍ତମାନେ ଧବଳେଶ୍ବର ପୀଠକୁ ଆସିଛନ୍ତି ସେମାନେ ନିଷ୍ଠାର ସହିତ ରାତି ଉଜାଗର ରହି ଏହି ବ୍ରତ ପାଳିବେ । ଅପରାହ୍ନଠାରୁ ପୀଠକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ସେଥିପାଇଁ ପ୍ରଶାସନ ତରଫରୁ ୧୭ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ଝୁଲା ପୋଲ ଓ ମନ୍ଦିରକୁ ସିସିଟିଭି ନଜର ରେ ରଖାଯାଇଛି । ଡଙ୍ଗାରେ ଯାତ୍ରୀଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ବାଧ୍ୟତାମୂଳକ କରାଯାଇଛି । ରାତି ୩ ଟା ରେ ଶ୍ରୀ ଦେବଙ୍କ ନିକଟରେ ଗଜଭୋଗ ଲାଗି ହେବା ପରେ ୨୨ତାରିଖ ସକାଳୁ ଶ୍ରଦ୍ଧାଳୁମାନେ ଗଜଭୋଗ ପାଇ ବଡଓଷା ବ୍ରତ ସମାପନ କରିବେ।