ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ସହ ଧୋକା ଅଭିଯୋଗ, ଓଭର ଥ୍ରୋରୁ ୬ ନୁହେଁ ୫ ରନ ମିଳିବା କଥା କହିଛନ୍ତି ଏହି ଦିଗ୍ଗଜ ଅମ୍ପାର
15/07/2019 at 5:53 PM

ଆଇସିସି ବିଶ୍ୱକପ୍ ୨୦୧୯ରେ ପୁଣି ଖରାପ ଅମ୍ପାୟାରିଂର ଅଭିଯୋଗ ଉଠିଛି। ତେବେ ଏଥିପାଇଁ ଅମ୍ପାୟାରଙ୍କୁ ଦାୟୀ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ଦିଗ୍ଗଜ ଆଇସିସି ଅମ୍ପାୟାର ସାଇମନ ଟଫେଲ। ବିଶ୍ୱକପ୍ ରେ ନ୍ୟୁଜିଲ୍ୟାଣ୍ଡ ସହ ଧୋକା କରାଯାଇଥିବା ନେଇ ସମ୍ବାଦପତ୍ର ‘ ଦି ଏଜ୍ ’ସହ ଏକ ସାକ୍ଷାତକାରରେ ଟଫେଲ ଅମ୍ପାୟାରଙ୍କ ତ୍ରୁଟିକୁ ସ୍ୱୀକାର କରିଛନ୍ତି, ହେଲେ ଖେଳର ସେତେବେଳର ପରିସ୍ଥିତି ହିଁ ସେମାନଙ୍କ ଦ୍ୱାରା ଏଭଳି ଭୁଲ ହୋଇଥାଇପାରେ ବୋଲି କହିଛନ୍ତି। ଏଣୁ ପ୍ରସଙ୍ଗରେ ସିଧାଶଳଖ ଅମ୍ପାୟାର ଦାୟି ନୁହଁନ୍ତି ବୋଲି ଟଫେଲ କହିଛନ୍ତି।

ରବିବାର ଇଂଲଣ୍ଡର ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିଲା ଦ୍ୱାଦଶ ଆଇସିସି ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ । ବେଶ ରୋମାଞ୍ଚକର ଥିବା ଏହି ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡକୁ ମାତ ଦେଇ ଚାମ୍ପିୟନ ବିବେଚିତ ହୋଇଛି ଇଂଲଣ୍ଡ। ତେବେ ଇଂଲଣ୍ଡକୁ ଆଇସିସିଙ୍କ ଚାମ୍ପିୟନ ଘୋଷଣା ସହ ଆରମ୍ଭ ହୋଇଯାଇଛି ବିବାଦ। ଏଥିରେ ନ୍ୟୁଜିଲ୍ୟାଣ୍ଡ ସହ ଧୋକା କରାଯାଇଥିବା ଏବେ ଅଭିଯୋଗ ଉଠିଛି। ଓଭର ଥ୍ରୋରୁ ଇଂଲଣ୍ଡ ୬ ନୁହେଁ ୫ ରନ୍ ପାଇଥିବା ଏବେ ସ୍ପଷ୍ଟ ହୋଇଥିବା ବେଳେ ଏଥିପାଇଁ କିନ୍ତୁ ଅମ୍ପାୟାରଙ୍କୁ ଦାୟି କରାଯାଇ ପାରିବନି ବୋଲି କହିଛନ୍ତି ଆଇସିସି ଅମ୍ପାୟର ଟଫେଲ।

ମ୍ୟାଚର ଶେଷ ଓଭରରେ ଇଂଲଣ୍ଡକୁ ଜିତିବା ପାଇଁ ଆଉ ୧୫ ରନର ଆବଶ୍ୟକତା ଥିଲା। ଓଭରର ତୃତୀୟ ବଲରେ ଷ୍ଟୋକ୍ସ ଏକ ଆକର୍ଷକ ଛକ୍କା ମାରିଥିଲେ। ୪ର୍ଥ ବଲରେ ଷ୍ଟୋକ୍ସ ୨ ରନ ପାଇଁ ଉଦ୍ୟମ କରିବା ବେଳେ ନ୍ୟୁଜିଲ୍ୟାଣ୍ଡର ଫିଲ୍ଡର ମାର୍ଟିନ ଗପ୍ଟିଲ ଏକ ଥ୍ରୋ କରିଥିଲେ। ଯାହା ଷ୍ଟୋକ୍ସଙ୍କ ବ୍ୟାଟରେ ବାଜି ବାଉଣ୍ଡ୍ରିକୁ ଚାଲିଯାଇଥିଲା। ଏଣୁ ତାଙ୍କୁ ଦ୍ୱିତୀୟ ରନ୍ ସଂଗ୍ରହ କରିବାକୁ ପଡି ନଥିଲେ ହେଁ ସ୍କୋର ବୋର୍ଡରେ ଟିମ୍ କୁ ୬ ରନ୍ ମିଳିଥିଲା। ସେତେବେଳେ ଏହି ଘଟଣା ପ୍ରତି କେହିଗୁରୁତ୍ୱ ଦେଇ ପାରିନଥିଲେ। ତେବେ ପରେ ଟିଭି ଆକ୍ସନ ରିପ୍ଲେରୁ ଘଟଣା ଏବେ ପଦାକୁ ଆସିଛି। ତେବେ ସେତେବେଳେ ଅମ୍ପାୟାରଙ୍କ ନଜର ବ୍ୟାଟସ୍ ମ୍ୟାନ ନୁହେଁ ବଲ ଉପରେ ଥିଲା। ଏଣୁ ବ୍ୟାଟସମ୍ୟାନ କେତେ ରନ କଲେ ତାହା ହଠାତ ଜାଣି ନ ହୋଇ ଥାଇପାରେ ବୋଲି କହିଛନ୍ତି ଆଇସିସି ଅମ୍ପାୟାର। ତେବେ ଏହି ବଳକା ରନ ହିଁ ଟିମ୍ ଇଂଲଣ୍ଡକୁ ଦେଇଛି ବିଶ୍ୱ ଚାମ୍ପିୟନ ଆଖ୍ୟା।