ଆଇପିଏଲ ୨୦୨୧ର ବାକି ମ୍ୟାଚ୍ ଖେଳିବେ ନାହିଁ ଅଷ୍ଟ୍ରେଲିଆ ଖେଳାଳି !

Published By : Prameya-News7 Bureau | May 26, 2021 IST

ନୂଆଦିଲ୍ଲୀ ୨୬।୦୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ପ୍ରଶଂସକଙ୍କୁ ମଙ୍ଗଳବାର ଖୁସି ଖବର ମିଳିଥିଲା ଯେ ଆଇପିଏଲର ବଳକା ମ୍ୟାଚ୍ ସେପ୍ଟେମ୍ବରରେ ୟୁଏଇରେ ହେବାର ସମ୍ଭାବନା  ରହିଛି। ମାତ୍ର ପ୍ରଶଂସକଙ୍କ ପାଇଁ ଆସିଛି ଖରାପ ଖବର। ମିଡିଆ ରିପୋର୍ଟ ଅନୁଯାୟୀ, ଯଦି ସେପ୍ଟେମ୍ବରରେ ଆଇପିଏଲ ପୁନର୍ବାର ଆରମ୍ଭ ହୁଏ ତେବେ ଅନେକ ଅଷ୍ଟ୍ରେଲିଆ ଖେଳାଳିଙ୍କୁ  ଦେଖିବାକୁ ମିଳିନପାରେ। କାରଣ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଟି-୨୦ ବିଶ୍ଵ କପ୍ ପୂର୍ବରୁ ୩ ରୁ ୪ ସିରିଜ୍ ଖେଳିବାର ଅଛି। ତେଣୁ ଖେଳାଳିଙ୍କ ୟୁଏଇ ଯିବା ମୁସ୍କିଲ।

ସର୍ବ ପ୍ରଥମେ ଅଷ୍ଟ୍ରେଲିଆ ଦଳର ଓ୍ଵେଷ୍ଟଇଣ୍ଡିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ କଙ୍ଗାରୁ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ। ଅନେକ ବଡ ଖେଳାଳି ଏହି ଗସ୍ତରେ ଯାଉ ନାହାନ୍ତି। ଏଥିରେ ପାଟ୍ କମିନ୍ସ, ଡେଭିଡ ଓ୍ଵାର୍ଣ୍ଣର ଓ ଡାନିଏଲ ସାମ୍ସ ମଧ୍ୟ ସାମିଲ।

ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପରେ ଅଷ୍ଟ୍ରେଲିଆ ଦଳ ବାଂଲାଦେଶ ଗସ୍ତ କରିବ। ଏହି ଗସ୍ତରେ ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଏହି ସିରିଜରେ ଖେଳାଳିଙ୍କୁ ଜୈବ ନିରାପତ୍ତା ବଳୟରେ ରହିବାକୁ ପଡିବ। ତେଣୁ ଖେଳାଳିଙ୍କୁ ଆଇପିଏଲ ଖେଳିବା ମୁସ୍କିଲ। ଯଦି ଅଷ୍ଟ୍ରେଲିଆ ଖେଳାଳି ଆଇପିଏଲର  ବଳକା ମ୍ୟାଚ୍ ଖେଳନ୍ତି ନାହିଁ ତେବେ ଦଳଗୁଡିକର ସମନ୍ଵୟ ବିଗିଡିପାରେ।

କେବଳ ଅଷ୍ଟ୍ରେଲିଆ ନୁହେଁ, ଇଂଲଣ୍ଡର ଖେଳାଳି ମଧ୍ୟ ଆଇପିଏଲର  ବାକି ମ୍ୟାଚ୍ ଖେଳିବା ମୁସ୍କିଲ। କାରଣ ଦଳକୁ ପାକିସ୍ତାନ ଗସ୍ତ କରିବାର ଅଛି। ବିସିସିଆଇ ଆଇପିଏଲ ୨୦୨୧ର  ବଳକା ମ୍ୟାଚ୍ ପାଇଁ ଓ୍ଵିଣ୍ଡୋ କାଢିବାରେ ସଫଳ ହୋଇଥିଲେ ମଧ୍ୟ ବିଦେଶୀ ଖେଳାଳିଙ୍କ ବିନା ଏହି ଟୁର୍ଣ୍ଣାମେଣ୍ଟର ରୋମାଞ୍ଚ କେତେ ରହିବ ତାହା ଏବେ ଦେଖିବା ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.