ନିଜେ ଟଏଲେଟ୍ ସଫା କରିବେ, ବେଡ୍ ସଜାଇବେ ଓ ବାହାର ରେଷ୍ଟୁରାଣ୍ଟରୁ ଖାଦ୍ୟ ମଗାଇବେ... ବ୍ରିସବେନରେ ଟିମ୍ ଇଣ୍ଡିଆକୁ ଏମିତି ବ୍ୟବହାର

Published By : Prameya-News7 Bureau | January 12, 2021 IST

ନୂଆଦିଲ୍ଲୀ ୧୨।୦୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟ ପାଇଁ ବ୍ରିସବେନ ପହଞ୍ଚିଥିବା ଭାରତୀୟ ଦଳକୁ ମଙ୍ଗଳବାର ଏମିତି ହୋଟେଲ୍‌ରେ ରହିବାକୁ ଦିଆଯାଇଛି  ଯେଉଁଠି ମୌଳିକ ସୁବିଧା ମଧ୍ୟ ନାହିଁ। କେବଳ ଏତିକି ନୁହେଁ ଖେଳାଳିଙ୍କୁ  ଖୋଦ୍ ଟଏଲେଟ୍ ସଫା କରିବାକୁ ପଡୁଛି ଏବଂ ବାହାରର ଏକ ଭାରତୀୟ ରେଷ୍ଟୁରାଣ୍ଟରୁ ଖାଦ୍ୟ ମଗାଇବାକୁ ପଡୁଛି।

ଭାରତୀୟ କ୍ରିକେଟ୍ ବୋର୍ଡର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏଥିରେ ଦଖଲ ଦେବାକୁ ପଡିଛି। ବିସିସିଆଇ ପୁଣି ଥରେ କହିଛି ଯେ ଖେଳାଳିଙ୍କ ହିତରକ୍ଷା ସବୁଠୁ ଉର୍ଦ୍ଧ୍ଵରେ। କୁହାଯାଉଛି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଂପାଦକ ଜୟ ଶାହା ଓ ସିଇଓ ହେମାଙ୍ଗ ଅମିନ୍‌ଙ୍କ ଅଭିଯୋଗ ମିଳିବା ପରେ କ୍ରିକେଟ୍ ଅଷ୍ଟ୍ରେଲିଆର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି। ଏହା ପରେ କ୍ରିକେଟ୍ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ କୌଣସି ସମସ୍ୟା ହେବ ନାହିଁ ବୋଲି ଆଶ୍ଵାସନା ଦେଇଛି।

ବୋର୍ଡର ସୂତ୍ର ଅନୁଯାୟୀ, ହୋଟେଲ୍‌ରେ ରୁମ୍ ସର୍ଭିସ ଏପରିକି ହାଉସକିପିଂ ମଧ୍ୟ ନାହାନ୍ତି। ଜିମ୍‌ ମଧ୍ୟ ଅନ୍ତରାଷ୍ଟ୍ରୀୟସ୍ତରର ନୁହେଁ। ସ୍ଵିମିଂ ପୁଲ୍‌ର ଅବସ୍ଥା ଏମିତି ସେଠାକୁ ଯାଇ ହେବ ନାହିଁ। ଖେଳାଳିଙ୍କୁ ଏହି ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ସବୁ କିଛି ଓଲଟା ରହିଛି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଜାନୁଆରୀ ୧୫ରୁ ବ୍ରିସବେନରେ ଖେଳାଯିବ। ସେଠାରେ କରୋନା ମହାମାରୀ ବଢୁଥିବା ମାମଲା ଓ ନ୍ୟୁ ସାଉଥ ଓ୍ଵେଲ୍ସ ସହିତ ସୀମା ଉପରେ ଲକ୍‌ଡାଉନ୍‌ କାରଣରୁ ହୋଟେଲ୍‌ରେ ସଙ୍ଗରୋଧ ପାଇଁ କଡା ନିୟମ ରହିଛି। ଖେଳାଳିଙ୍କୁ ପରସ୍ପର ମଧ୍ୟରେ ମିଶିବାକୁ ଅନୁମତି ଦିଆଯାଇଛି। ସେଠାରେ ଖେଳାଳିଙ୍କୁ ଟିମ୍ ରୁମ ଦିଆଯାଇଛି। ହୋଟେଲ୍‌ ଭିତରେ ଖେଳାଳି ପରସ୍ପର ମଧ୍ୟରେ ମିଶି ପାରିବେ।

ଏମିତି ରିପୋର୍ଟ ସାମ୍ନାକୁ ଆସିଛି ଯେ, ବ୍ରିସବେନରେ  ଯେଉଁ ହୋଟେଲ୍‌ରେ ଭାରତୀୟ ଦଳ ରହିଛନ୍ତି, ସେଠାରେ ଯେଉଁ ସୁବିଧା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ଏବେ ଯାହା ମିଳୁଛି ତାହା ସଂପୂର୍ଣ୍ଣ ଓଲଟା ରହିଛି। ହୋଟେଲ୍‌ରେ ଅନ୍ୟ ଅତିଥି ନଥିଲେ ମଧ୍ୟ ଖେଳାଳିଙ୍କୁ ନିଜ ଫ୍ଲୋରରୁ ବାହାରକୁ ଯିବାକୁ ଅନୁମତି ମିଳୁନାହିଁ।

ସୂତ୍ର ଅନୁଯାୟୀ, ଯେବେ ମ୍ୟାନେଜରଙ୍କୁ ଅଭିଯୋଗ ବିଷୟରେ ଅବଗତ କରାଗଲା, ସେ କହିଥିଲେ ଦୁଇ ଦଳ ପାଇଁ ସମାନ ନିୟମ। କେବଳ ଗୋଟିଏ ଦଳ ପାଇଁ ସଙ୍ଗରୋଧ ପାଇଁ କଠୋର ନିୟମ ନାହିଁ। ବିସିସିଆଇ ଦଳର ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହିତ ଯୋଗାଯୋଗରେ ରହିଛି। ଯେତେ ଶୀଘ୍ର ହେବ ବୋର୍ଡ ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ ଚଳାଇଛି। ଭାରତୀୟ ଦଳ ଆଶା ପ୍ରକାଶ କରିଛନ୍ତି ଯେ, ଗାଙ୍ଗୁଲି ଓ ଶାହା ସମାଧାନର ରାସ୍ତା କାଢିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.