Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୧୪ ଓ ୨୧ରେ ଆସୁଛି ଦୁଇଟି ଲଘୁଚାପ, ୨୫ ଯାଏଁ ଲାଗି ରହିବ ବର୍ଷା

11/10/2020 at 8:28 AM

ଭୁବନେଶ୍ୱର,୧୧|୧୦: ଅନ୍ୟପଟେ ଆଗକୁ ଆଉ ଦୁଇଟି ଲଘୁଚାପ ଆସୁଛି । ଆଣ୍ଡାମାନ ସାଗରରେ ହିଁ ଆସନ୍ତା ୧୪ ଓ ୨୧ ତାରିଖରେ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବ। ଲଗାତାର ତିନି ତିନିଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏ ବର୍ଷା ଲାଗି ରହିବ। ତିନିଟି ଯାକ ଲଘୁଚାପ ଆନ୍ଧ୍ରପ୍ରଦେଶମୁହାଁ ହେବାର ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିବାର ଆଶଙ୍କା ରହିଛି ।

ପାଣିପାଗର ତାଜା ପୂର୍ବାନୁମାନ କହୁଛି, ଏଇ ଲଘୁଚାପ ପଛକୁ ପଛ ଆଉ ଦୁଇଟି ଲଘୁଚାପ ଆସୁଛି। ଗୋଟିଏ ଆସନ୍ତା ୧୩/୧୪ ତାରିଖବେଳକୁ ଆସିବ । ଅନ୍ୟଟି ଆସନ୍ତା ୨୧ ତାରିଖବେଳକୁ ଆସିପାରେ । ତେଣୁ ରାଜ୍ୟରେ ବର୍ଷା ଜାରି ରହିବ।

ପାଣିପାଗ ବିଭାଗ କହିଛି, ବର୍ତ୍ତମାନର ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ (ୱେଲ ମାର୍କଡ) ଅବସ୍ଥାରେ ପୂର୍ବ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଅଛି। ଆଜି ଏହା ଅବପାତରେ ପରିଣତ ହେବ। ଆହୁରି ଘନୀଭୂତ ହୋଇ ଭୀଷଣ ଅବପାତ ରୂପ ନେବ। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୨ ତାରିଖ (ସୋମବାର) ମଧ୍ୟାହ୍ନ ସୁଦ୍ଧା ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ସେତେବେଳକୁ ଏହା ଅବପାତ ଅବସ୍ଥାରେ ଥିବା ଅନୁମାନ କରାଯାଉଛି।

ଆକଳନ କରାଯାଉଛି, ଆଜି ଦକ୍ଷିଣ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳ ଓ ଉତ୍ତର ଆଭ୍ୟନ୍ତରୀଣ ଇଲାକାର ଅଳ୍ପ କେତେକ ଜାଗାରେ ବର୍ଷା ହୋଇପାରେ। ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ମାଲକାନଗିରି, ଜଗତସିଂହପୁର ଓ କୋରାପୁଟର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି।

ସୋମବାର (୧୨ ତାରିଖ) ବର୍ଷା ପରିମାଣ ବଢ଼ିପାରେ । ଦକ୍ଷିଣ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ଏହାବାଦ୍‌ ମାଲକାନଗିରି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ମଙ୍ଗଳବାର (୧୩ ତାରିଖ) ଦକ୍ଷିଣ ଓଡ଼ିଶା, ଉତ୍ତର ଉପକୂଳର ଅନେକ ସ୍ଥାନ ସମେତ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳର ଅଳ୍ପ କେତେକ ଜାଗାରେ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି, ରାୟଗଡ଼ାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି । ପାଣିପାଗ ବିଭାଗ ଆହୁରି କହିଛି, ଆସନ୍ତା ୧୪ ତାରିଖବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ପୁଣି ବର୍ଷା ବଢ଼ିବ।

କୃଷି ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ବର୍ତ୍ତମାନର ଲଘୁଚାପ ଘନୀଭୂତ ହୋଇ ଭୀଷଣ ଅବପାତ ହେବ। ୧୨ ତାରିଖ ବେଳକୁ ଅବପାତ ଅବସ୍ଥାରେ ବିଶାଖାପାଟଣା ପାଖରେ ଆନ୍ଧ୍ର ଉପକୂଳ ଛୁଇଁବ। ଏହା ପ୍ରଭାବରେ ରାଜ୍ୟରେ ଏବେ ବର୍ଷା ଲାଗି ରହିବ।

କେନ୍ଦ୍ରୀୟ ବଙ୍ଗୋପସାଗରରେ ମିଆଁମାର ଉପକୂଳରେ ଆସନ୍ତା ୧୨ ତାରିଖବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ଯାହାକି ୧୩ ତାରିଖରେ ଲଘୁଚାପ ରୂପ ନେବ । ୧୫ରେ ଅବପାତ ଓ ୧୬ରେ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ଅଛି। ଆସନ୍ତା ୧୮ ତାରିଖବେଳକୁ ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁପାରେ।

ସେହିପରି ଆସନ୍ତା ୨୧ ତାରିଖବେଳକୁ ଆଉ ଏକ ଲଘୁଚାପ ଆସିବ । ସମ୍ଭାବ୍ୟ ଲଘୁଚାପ ଦ୍ୱାରା ଆସନ୍ତା ୨୩ ତାରିଖରୁ ପୁଣି ରାଜ୍ୟରେ ବର୍ଷା ବଢ଼ିବ । ୧୨ରୁ ୧୪, ୧୭ରୁ ୧୯ ଓ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ରହିବ । ବିଶେଷ କରି ଉପକୂଳ ଅଞ୍ଚଳରେ ଅଧିକ ବର୍ଷା ହେବ । ଏହି ତିନୋଟି ଲଘୁଚାପ ଯୋଗୁ ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏଁ ବର୍ଷା ରହିବ । ତେଣୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ସମ୍ଭାବନା ଅଛି ।

ବର୍ତ୍ତମାନର ଲଘୁଚାପ ପ୍ରଭାବରେ ଶନିବାର ଅପରାହ୍‌ଣରୁ ପାଗରେ ପରିବର୍ତ୍ତନ ଆସିଛି । କେତେକ ଜାଗାରେ ବର୍ଷା ହୋଇଛି । ରବିବାର ସକାଳ ସୁଦ୍ଧା ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

   Related Posts