ସମର୍ଥକଙ୍କ ସହ ବିଜେପିରେ ମିଶିଲେ ବିଜେଡ଼ି ଛାଡ଼ିଥିବା ବାବୁ ସିଂ
12/03/2019 at 6:01 PM

ଭୁବନେଶ୍ବର ୧୨/୩: ବିଜେଡ଼ି ଛାଡ଼ିଥିବା ବାବୁ ସିଂ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦୁଇ ଦିନ ତଳେ ବାବୁ ସିଂ ବିଜେଡ଼ି ଛାଡ଼ିଥିଲେ। ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ବାବୁ ସିଂ ବିଜେଡ଼ିର ଜଣେ ଭଲ ସଙ୍ଗଠକ ଥିଲେ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଜେପିରେ ଯୋଗ ଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା,ନେତ୍ରୀ ଅପରାଜିତା ଷଡ଼ଙ୍ଗୀ,ଅଭିନେତ୍ରୀ ଅପରାଜିତା ମହାନ୍ତି ,ଦଳର ଉପସଭାପତି ସମୀର ମହାନ୍ତି,ଦଳର ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବାବୁ ସିଂଙ୍କୁ ଦଳକୁ ସଭାପତି ବସନ୍ତ ପଣ୍ଡା ସ୍ବାଗତ କରିଥିଲେ।

ବାବୁ ସିଂ କହିଥିଲେ ଯେ ସେ ଜଣେ ଭଲ ସଙ୍ଗଠକ। ଦୀର୍ଘ ଦିନ ହେଲା ବିଜେଡ଼ି ପାଇଁ ସେ ସଙ୍ଗଠନ କରି ଆସୁଥିଲେ ମଧ୍ୟ ଦଳ ତାଙ୍କୁ ଉପେକ୍ଷା କରିଥିଲା। ଫଳରେ ସେ ବିଜେଡ଼ି ଛାଡ଼ିବା ପାଇଁ ବାଧ୍ୟ ହୋଇଛନ୍ତି। ଆଗାମୀ ଦିନରେ ବିଜେପି ପାଇଁ ସଙ୍ଗଠନ କରି ସେ ନିଜର ଦକ୍ଷତା ପ୍ରମାଣ କରିବେ। ବାବୁ ସିଂଙ୍କ ସମେତ ତାଙ୍କର ବହୁ ସମର୍ଥକ ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି।

ଏହି ଅବସରରେ କେନ୍ଦ୍ରାପଡ଼ା, ବେଗୁନିଆ ଓ ବୋଲଗଡ଼ର କିଛି କର୍ମୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ବରର କିଛି ଛାତ୍ର ନେତା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଅପରାଜିତା ଷଡ଼ଙ୍ଗୀ ମିଶ୍ରଣ ପର୍ବରେ କହିଛନ୍ତି ଯେ ବିଜେପି ଯେଉଁ ପରିବର୍ତ୍ତନର ଆହ୍ବାନ ଦେଇଛି ସେଥିରେ ଭୁବନେଶ୍ବରର ଲୋକସଭା ନିର୍ବାଚନ ମଣ୍ଡଳୀ ସବୁଠୁ ଆଗରେ ରହିଛି।