ବାବ୍ରି କେସ୍: ଆଡଓ୍ଵାଣୀ, ଯୋଶୀ ଓ ଉମା ଭାରତୀଙ୍କ ମାମଲାର ନିଷ୍ପତ୍ତି ଶୁଣାଇବାକୁ ସୁପ୍ରିମକୋର୍ଟ ଦେଲେ ସମୟସୀମା

Published By : Prameya-News7 Bureau | August 22, 2020 IST

ନୂଆଦିଲ୍ଲୀ ୨୨।୦୮: ସୁପ୍ରିମକୋର୍ଟ ବାବ୍ରି ମସଜିଦ ବିଧ୍ଵଂସ ମାମଲାରେ ନିଜର ରାୟ ଶୁଣାଇବା ପାଇଁ ସିବିଆଇ ଅଦାଲତକୁ ସେପ୍ଟେମ୍ବର ୩୦ର ନୂତନ ସମୟ ସୀମା ଦେଇଛନ୍ତି। ଏହି ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀ, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କ ଉପରେ ଅପରାଧିକ ଅଭିଯୋଗ ହୋଇଛି। ବିଚାରପତି ରୋହିଣ୍ଟନ ଏଫ ନରିମମଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ସ୍ଵତନ୍ତ୍ର ଅଯୋଧ୍ୟା ବିଚାରପତିଙ୍କ ଅନୁରୋଧ କ୍ରମେ ମାମଲାର ଚୂଡାନ୍ତ ରାୟ ଦେବା ପାଇଁ ସମୟ ସୀମା ବଢାଇଛନ୍ତି। ସ୍ଵତନ୍ତ୍ର ଅଯୋଧ୍ୟା ବିଚାରପତି ମାମଲାର ପ୍ରଗତି ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବା, ମୋକଦ୍ଦମାକୁ ସମାପ୍ତ କରିବା ପାଇଁ ଆଉ କିଛି ସମୟ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ଦେଇଥିଲେ।

ପୀଠ ଅଗଷ୍ଟ ୧୯ ନିଜର ଆଦେଶରେ କହିଛନ୍ତି, ବିଦ୍ଵାନ ସ୍ଵତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କ ରିପୋର୍ଟ ପଢିବା ପରେ ଜଣା ପଡିଛି ଯେ ମାମଲାର ବିଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ତେଣୁ ଏହାର ମୋକଦ୍ଦମା ସାରିବାକୁ ସୁପ୍ରିମକୋର୍ଟ ଆଉ ଗୋଟିଏ ମାସର ସମୟ ସୀମା ଦେଇଛନ୍ତି। ଏହି କେସ୍‌ରେ ଶେଷ ଥର କୋର୍ଟର ଆଦେଶ ମେ ମାସରେ ଆସିଥିଲା। ସିବିଆଇ ଅଦାଲତର ସ୍ଵତନ୍ତ୍ର ବିଚାରପତିଙ୍କ ଅନୁରୋଧ କ୍ରମେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ସାରିବାକୁ ୨୦୨୦ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମୟ ଦେଇଥିଲେ। ହେଲେ କରୋନା ଯୋଗୁଁ ମାମଲାର ଶୁଣାଣି ପାଇଁ କୌଣସି ପକ୍ଷ କୋର୍ଟରେ ହାଜର ହେବା ମୁସ୍କିଲ ହୋଇଥିଲା।

ପୀଠ ବିଚାରପତିଙ୍କୁ ଶୁଣାଣି ପୂରା ପାଇଁ ଭିଡିଓ କନଫରେନ୍ସିଂର ଉପଯୋଗ କରିବା ଏବଂ ନିର୍ଦ୍ଧାରିତ ସମୟ ଭିତରେ ମୋକଦ୍ଦମା ସାରିବାକୁ ପରାମର୍ଶ ଦେଇଥିଲେ। ଗତ ମାସରେ ସ୍ଵତନ୍ତ୍ର ସିବିଆଇ ଅଦାଲତ  ବିଜେପି ନେତା ଆଡଭାଣୀ ଓ ଯୋଶୀଙ୍କ ବୟାନ ରେକର୍ଡ ପାଇଁ ଭିଡିଓ କନଫରେନ୍ସିଂର ବ୍ୟବହାର କରିଥିଲା। ସମସ୍ତେ ଅଭିଯୋଗକାରୀଙ୍କ ତରଫରୁ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ସେମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଫସା ଯାଉଥିବା କହିଥିଲେ। ବାବ୍ରି ବିଧ୍ଵଂସକରେ କୌଣସି ପ୍ରକାରର ଭୂମିକାକୁ ସେମାନେ ଖଣ୍ଡନ କରିଛନ୍ତି। ଏହା ସହିତ କହିଛନ୍ତି ସେମାନେ ଏମିତି କୌଣସି କାର୍ଯ୍ୟରେ ଭାଗ ନେଇ ନାହାନ୍ତି ଯାହା ଦେଶର ଏକତା ଓ ଅଖଣ୍ଡତାକୁ ପ୍ରଭାବିତ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.