ବାବ୍ରୀ ମସଜିଦର ପକ୍ଷକାର ଇକବାଲ ଅନସାରୀଙ୍କ ସିବିଆଇ କୋର୍ଟକୁ ଅପିଲ୍- ଆଡଭାଣୀ, ଯୋଶୀ ସମସ୍ତଙ୍କୁ ଦୋଷମୁକ୍ତ କରି ସମାପ୍ତ କରନ୍ତୁ ମାମଲା

Published By : Prameya-News7 Bureau | September 17, 2020 IST

ଅଯୋଧ୍ୟା ୧୭।୦୯: ଅଯୋଧ୍ୟାରେ ବିବାଦୀୟ ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ରାୟ ଆସିବାର ଦୁଇ ସପ୍ତାହ ପୂର୍ବରୁ ବାବ୍ରୀ ମସଜିଦ କେସ୍‌ର ମୁଦଇ ଇକବାଲ ଅନସାରୀ ସିବିଆଇର ସ୍ଵତନ୍ତ୍ର ଅଦାଲତଙ୍କୁ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ଅନସାରୀ ଲାଲକୃଷ୍ଣ ଆଡଭାଣୀ, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂହ ସହିତ ସମସ୍ତ ୪୮ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରି ପୂରା ମାମଲାକୁ ସମାପ୍ତ କରିବାକୁ ଅନୁରୋଧ କରିଛନ୍ତି।

ଇକବାକ ଅନସାରୀ ଏକ ଚ୍ୟାନେଲ ସହିତ ଆଲୋଚନା ବେଳେ କହିଛନ୍ତି, ବାବ୍ରି ମସଜିଦ ବିଧ୍ଵଂସ ମାମଲାରେ ଅଭିଯୁକ୍ତଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଘଟି ସାରିଛି। ଯେଉଁମାନେ ଅଛନ୍ତି, ସେମାନେ ଏବେ ବୃଦ୍ଧ ହୋଇ ଗଲେଣି। ମୁଁ ଚାହୁଁଛି ସମସ୍ତଙ୍କ ଉପରୁ କେସ୍‌ ହଟାଇ ଦିଆଯାଉ ଏବଂ ପୂରା ମାମଲାକୁ ଏଠି ସମାପ୍ତ କରାଯାଉ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କୌଣସି ବିବାଦ ଏବେ ଆଉ ବାକି ନାହିଁ। ୨୮ ବର୍ଷ ପୁରୁଣା ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ସାକ୍ଷୀ ମହାରାଜ, ସାଧ୍ଵୀ ରିତମ୍ଭରା, ବିଶ୍ଵ ହିନ୍ଦୁ ପରିଷଦର ନେତା ଚମ୍ପତ ରାୟ ସହିତ ୩୨ ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ସେପ୍ଟେମ୍ଵର ୩୦ରେ ରାୟ ଶୁଣାଇବ।

ହାସିମ ଅନସାରୀଙ୍କ ପୁତ୍ର ଇକବାଲ ଦେଶର ସାମାଜିକ ସୌହାର୍ଦ୍ଦ୍ୟ ମଜବୁତ ପାଇଁ ହିନ୍ଦୁ ଓ ମୁସଲିମଙ୍କୁ ପରସ୍ପର ଏକାଠି ରହିବାକୁ ଅପିଲ୍ ମଧ୍ୟ କରିଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟ ପରେ ଅନେକ ବର୍ଷ ଧରି ଚାଲି ଆସିଥିବା ବିବାଦର ଅନ୍ତ ଘଟିଛି ଏବଂ ଏବେ ରାମ ମନ୍ଦିର ନିର୍ମାଣ ଆରମ୍ଭ ମଧ୍ୟ ହୋଇ ସାରିଛି। ଉଲ୍ଲେଖନୀୟ ଅଯୋଧ୍ୟାରେ ବିବାଦୀୟ ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ସ୍ଵତନ୍ତ୍ର ସିବିଆଇ ଅଦାଲତ ସମସ୍ତ ପକ୍ଷଙ୍କ ଦଲିଲ, ସାକ୍ଷୀଙ୍କ ବୟାନ ଶୁଣିବା ପରେ ସେପ୍ଟେମ୍ଵର ୧ରେ ମାମଲାର ଶୁଣାଣି ପୂରା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.