ଆଜି ଆସିବ ବାବ୍ରି ମସଜିଦ୍ ଭଙ୍ଗା ମାମଲାର ରାୟ : କୋର୍ଟରେ ହାଜର ହେବେନି ଆଡଭାନୀ, ଯୋଶୀ ଓ ଉମା ଭାରତୀ

Published By : Prameya-News7 Bureau | September 30, 2020 IST

ଲକ୍ଷ୍ନୌ ୩୦।୯: ଆଜି ଆସିବ ବାବ୍ରି ମସଜିଦ୍ ଭଙ୍ଗା ମାମଲାର ରାୟ । ଲକ୍ଷ୍ନୌର ସ୍ପେଶାଲ ସିବିଆଇ କୋର୍ଟ ବାବ୍ରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଇବେ । ତେବେ ଏହାର ରାୟ ବେଳେ ଏହାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ କୋର୍ଟରେ ଉପସ୍ଥିତ ରହିବେ ନାହିଁ । କରୋନା ଏବଂ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଏମାନେ କୋର୍ଟରେ ଉପସ୍ଥିତ ରହିବେ ନାହିଁ ।

୧୯୯୨ ମସିହା ଡିସେମ୍ବର ୬ ତାରିଖରେ ୧୬ ଶହ ଶତାବ୍ଦୀର ଏହି ମସଜିଦକୁ କରସେବକମାନେ ଭାଙ୍ଗି ଦେଇଥିଲେ । ମସଜିଦକୁ ଭାଙ୍ଗିବା ପାଇଁ ଉସକାଇବା ଅଭିଯୋଗରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂହ ଆଦିଙ୍କ ନାମରେ ମାମଲା ଚାଲିଛି । ସେହିପରି ଏହି ମାମଲାରେ ରାମ ମନ୍ଦିର ଟ୍ରଷ୍ଟର ପ୍ରମୁଖ ମହନ୍ତ ନୃତ୍ୟଗୋପାଳ ଦାସ, ବରିଷ୍ଠ ନେତା ବିନୟ କତିଆର ଏବଂ ସାଧ୍ବୀ ରୁତୁମ୍ଭରା ପ୍ରମୁଖ ଅଭିଯୁକ୍ତ ରହିଛନ୍ତି ।

ବାବ୍ରି ମସଜିଦ୍ ଘଟଣାର ତଦନ୍ତ କରି ସିବିଆଇ କୋର୍ଟରେ ୩୫୧ଜଣ ସାକ୍ଷୀ ଓ ୬ଶହ ପୃଷ୍ଠାର ଦସ୍ତାବିଜ ଦାଖଲ କରିଥିଲା । ପ୍ରକୃତରେ ୪୮ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । କିନ୍ତୁ ୩ ଦଶନ୍ଧି ଧରି ମାମଲାର ଶୁଣାଣି ଚାଲିଥିବାରୁ ୧୬ ଜଣ ଅଭିଯୁକ୍ତ ପ୍ରାଣ ହରାଇ ସାରିଛନ୍ତି । ଅଭିଯୁକ୍ତମାନେ ନିଜର ଭାଷଣ ଦ୍ବାରା ହିଁ କରସେବକମାନଙ୍କୁ ମସଜିଦ୍ ଭାଙ୍ଗିବାକୁ ଉସକାଇଥିବା ସିବିଆଇ କୋର୍ଟରେ ଯୁକ୍ତି ରଖିଥିଲା । ଏହି ହାଇ ପ୍ରୋଫାଇଲ ମାମଲାରେ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଅଯୋଧ୍ୟା ଓ ଲକ୍ଷ୍ନୌରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.