ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ ଏପ୍ରିଲ୍‌ର ବେଷ୍ଟ କ୍ରିକେଟର, ୩ ମାସ ହେଲା ଭାରତୀୟଙ୍କ କବ୍‌ଜାରେ ଥିଲା ଏହି ଟାଇଟଲ୍‌

Published By : Prameya-News7 Bureau | May 10, 2021 IST

ଇସ୍ଲାମାବାଦ ୧୦/୫: ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ବାବର ଆଜମ ଗୋଟିଏ ପରେ ଗୋଟିଏ ରେକର୍ଡର ଅଧିକାରୀ ହେଉଛନ୍ତି। ବିଭିନ୍ନ ରେକର୍ଡ ରଚି ବଡ଼ କ୍ରିକେଟରଙ୍କୁ ପଛରେ ପକାଇଛନ୍ତି ଆଜମ। ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାଓ୍ବେ ବିପକ୍ଷରେ ବାବର ଆଜମ୍‌ ଜବରଦସ୍ତ ପ୍ରଦର୍ଶନ କରି ପୁଣି ଏକ ରେକର୍ଡ ନିଜ ନାଁରେ କରିଛନ୍ତି। ଭାରତ ବ୍ୟତୀତ ଅନ୍ୟ ଦେଶର ଖେଳାଳି ଭାବେ ସେ ଏହି ରେକର୍ଡ କରିଛନ୍ତି। ପ୍ରକୃତରେ ଆଇସିସି ପକ୍ଷରୁ ବାବର ଆଜମଙ୍କୁ ଏପ୍ରିଲ୍‌ ମାସର ବେଷ୍ଟ କ୍ରିକେଟର ବୋଲି ନାମିତ କରାଯାଇଛି।

ତେବେ ଏହି ଆଓ୍ବାର୍ଡ ପାଇଁ ବାବର ଆଜମଙ୍କ ସମେତ ଫଖର ଜମାଂ ଏବଂ କୋଶଳ ଭୁରତେଳ ନୋମିନେଟ୍‌ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫଖର ଜାମାଂ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିକଟରେ ବାବର ଆଜମ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦିନିକିଆ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଅକ୍ତିଆର କରିଥିଲେ।

ଜିମ୍ବାଓ୍ବେ ବିପକ୍ଷରେ ସେ ଟି-୨୦ କ୍ରିକେଟରେ ୨୦୦୦ ରନ୍‌ ପୂରା କରିଥିଲେ। ଏପ୍ରିଲ ମାସରେ ୩ଟି ଓ୍ବାନଡେ୍‌ ମ୍ୟାଚ୍‌ରେ ୭୬ ରନ୍‌ ଆଭେରେଜ୍‌ ସହ ୨୨୮ ରନ୍‌ କରିଥିଲେ। ଏହା ସହ ୭ଟି ଟି-୨୦ ମ୍ୟାଚ୍‌ରେ ୩୦୫ ରନ୍‌ କରିଥିଲେ ବାବର। ପାକିସ୍ତାନୀ ଟିମ୍‌ ଜିମ୍ବାଓ୍ବେକୁ ଟି-୨୦ ସିରିଜ୍‌ରେ ୨-୧ରେ ପରାସ୍ତ କରିଥିଲା। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମ୍‌କୁ ନିଜ ଦେଶରେ ଉଭୟ ଦିନିକିଆ ଏବଂ ଟି-୨୦ରେ ପରାସ୍ତ କରି ଫେରିଥିଲା ପାକ୍‌ ଟିମ୍‌।

ଆଇସିସିର ମାସିକ ବେଷ୍ଟ କ୍ରିକେଟର ବାଛିବା ପ୍ରକ୍ରିୟା ଚଳିତ ବର୍ଷ ଜାନୁଆରୀରୁ ଆରମ୍ଭ ହୋଇଛି। ଜାନୁଆରୀରେ ଋଷଭ ପନ୍ତ, ଫେବୃଆରୀରେ ରବିଚନ୍ଦ୍ରନ ଅଶ୍ବିନ, ମାର୍ଚ୍ଚରେ ଭୁବନେଶ୍ବର କୁମାର ବେଷ୍ଟ କ୍ରିକେଟର ଅଫ୍‌ ମନ୍ଥ ଆଓ୍ବାର୍ଡ ପାଇଥିଲେ। କିନ୍ତୁ ଏପ୍ରିଲ୍‌ରେ ଏହି ଆଓ୍ବାର୍ଡ ଟିମ୍‌ ଇଣ୍ଡିଆ ହାତରୁ ଖସିଯାଇଥିବା ବେଳେ ପାକିସ୍ତାନ ଟିମ୍‌ର ବାବର ଆଜମଙ୍କୁ ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.