ଦୁନିଆର ଏକ ନମ୍ବର ଟି-୨୦ ବ୍ୟାଟସମ୍ୟାନ ହେଲେ ବାବର, ଓ୍ଵାନିନ୍ଦ ନମ୍ବର ଓ୍ଵାନ ବୋଲର

Published By : Prameya-News7 Bureau | November 03, 2021 IST

ନୂଆଦିଲ୍ଲୀ ୦୩।୧୧: ଚଳିତ ଟି-୨୦ ବିଶ୍ଵ କପରେ ଚମତ୍କାର ପ୍ରଦର୍ଶନ କରିଥିବା ପାକିସ୍ତାନର ଅଧିନାୟକ ବାବର ଆଜମ ଓ ଶ୍ରୀଲଙ୍କାର ବୋଲର ଓ୍ଵାନିନ୍ଦୁ ହସରଙ୍ଗାଙ୍କୁ ପୁରସ୍କାର ମିଳିଛି। ଆଇସିସି ଦ୍ଵାରା ସଦ୍ୟ ପ୍ରକାଶିତ ଟି-୨୦ ବ୍ୟାଟସମ୍ୟାନ ଏବଂ ବୋଲର ମାନ୍ୟତାରେ ବାବର ଓ ହସରଙ୍ଗା ଶୀର୍ଷରେ ପହଞ୍ଚିଛନ୍ତି। ବାବର ଆଜମ ଟି-୨୦ ବିଶ୍ଵ କପ୍ ୨୦୨୧ରେ ବ୍ୟାଟସମ୍ୟାନ ଓ ଅଧିନାୟକ ଭାବେ ଦମଦାର  ପ୍ରଦର୍ଶନ ଜାରି ରଖିଛନ୍ତି। ଲଗାତାର ଚାରି ମ୍ୟାଚ୍ ଜିତିବା ପରେ ପାକିସ୍ତାନ ସେମି ଫାଇନାଲରେ ପହଞ୍ଚିଛି। ବାବର ଇଂଲଣ୍ଡର ଡେଭିଡ୍ ମଲାନଙ୍କୁ ପଛରେ ପକାଇ ଟି-୨୦ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ବାବର ଆଜମ ପାକିସ୍ତାନ ପାଇଁ ଟି-୨୦ ବିଶ୍ଵ କପ୍‌ରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ସେ ଚାରୋଟି ଇନିଂସରୁ ୧୨୪.୫୨ ଷ୍ଟ୍ରାଇକ ରେଟ୍‌ ଏବଂ ୬୬  ହାରରେ ୧୯୮ ରନ କରିଛନ୍ତି। ଗତ ସପ୍ତାହରେ ଦ୍ଵିତୀୟ ସ୍ଥାନରେ ଥିବା ବାବର(୮୩୪) ୧୪ ପଏଣ୍ଟ ପାଇ ଡେଭିଡ୍ ମଲାନଙ୍କୁ ପଛରେ ପକାଇଛନ୍ତି। ମଲାନ ୮୩୧ ପଏଣ୍ଟରୁ ୭୯୮କୁ ଖସି ଆସିଛନ୍ତି।

ବାବର ଆଜମ କେବଳ ଟି-୨୦ରେ ନୁହେଁ  ବରଂ ଦିନିକିଆ ମାନ୍ୟତାରେ ମଧ୍ୟ ଶୀର୍ଷରେ ରହିଛି। ସେ ପୂର୍ବରୁ ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷରେ ଅଛନ୍ତି। ଆଜମ ଚଳିତ ବର୍ଷ ଏପ୍ରିଲରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଅତିକ୍ରମ କରି ଶୀର୍ଷରେ ପହଞ୍ଚିଥିଲେ। ଦିନିକିଆରେ ଆଜମଙ୍କ ରେଟିଂ ପଏଣ୍ଟ ୮୭୩ ରହିଥିବା ବେଳେ କୋହଲି ଓ ରୋହିତ ଶର୍ମା କ୍ରମଶଃ ୮୪୪ ଓ ୮୧୩ ସହ ଯଥାକ୍ରମରେ ଦ୍ଵିତୀୟ ଓ ତୃତୀୟରେ ରହିଛନ୍ତି।

wp:html /wp:html

ଆଇସିସି ଟି-୨୦ ମାନ୍ୟତାରେ  ତୃତୀୟରେ ଅଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ(୭୩୩)। ଚତୁର୍ଥରେ ଅଛନ୍ତି ପାକିସ୍ତାନର ମହମ୍ମଦ ରିଜଓ୍ଵାନ(୭୩୧)। ପଞ୍ଚମରେ ଭାରତୀୟ ଅଧିନାୟକ ବିରାଟ କୋହଲି(୭୧୪) ଏବଂ ଭାରତର ଲୋକେଶ ରାହୁଲ(୬୭୮) ଅଷ୍ଟମ ସ୍ଥାନରେ ରହିଛନ୍ତି।

ଶୀର୍ଷରେ ଓ୍ଵାନିନ୍ଦୁ

ଆଇସିସି ଟି-୨୦ ବୋଲିଂ ମାନ୍ୟତାରେ ଶ୍ରୀଲଙ୍କାର ଓ୍ଵାନିନ୍ଦୁ ହସରଙ୍ଗା ଶୀର୍ଷରେ ପହଞ୍ଚିଛନ୍ତି। ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ମଧ୍ୟ। ସେ ଟି-୨୦ ବିଶ୍ଵ କପରେ ଚମତ୍କାର ଫର୍ମରେ ଅଛନ୍ତି ଏବଂ ୧୪ ନେଇ ତାଲିକାରେ ଶୀର୍ଷରେ ଅଛନ୍ତି। ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୯ ରନ ଦେଇ ୩ ଓ୍ଵିକେଟ୍ ରହିଛି। ତାଙ୍କର ବୋଲିଂ ଇକୋନୋମି ୫.୦୪ ରହିଛି। ଓ୍ଵାନିନ୍ଦୁ ହସରଙ୍ଗା ଟି-୨୦ ମାନ୍ୟତାରେ ୭୭୬ ରେଟିଂ ପଏଣ୍ଟ ସହ ଶୀର୍ଷରେ ଅଛନ୍ତି। ତାଲିକାରେ ଦ୍ଵିତୀୟରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ତବରେଜ ଶମସି(୭୭୦)। ତୃତୀୟରେ ୭୩୦ ପଏଣ୍ଟ ସହ ଇଂଲଣ୍ଡର ଆଦିଲ ରଶିଦ। ଆଫଗାନିସ୍ତାନର ଷ୍ଟାର ସ୍ପିନର ରଶିଦ ଖାନ ଓ ମୁଜିବ ଉର ରେହମାନ କ୍ରମଶଃ ଚତୁର୍ଥ ଓ ପଞ୍ଚମରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଏନରିଚ୍ ନୋତର୍ତ୍ତେ ସପ୍ତମ ସ୍ଥାନକୁ ଉଠିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.