ଭଣ୍ଡ ବାବା ନିତ୍ୟାନନ୍ଦ ବିରୋଧରେ ଯାଞ୍ଚ କରୁଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ : ନାବାଳିକାଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିବା ଅଭିଯୋଗ

Published By : Prameya-News7 Bureau | March 14, 2020 IST

ଭୁବନେଶ୍ୱର ୧୪/୦୩ : ଆମ ଦେଶରେ ଲୋକେ ବାବାମାନଙ୍କ ଉପରେ ବହୁତ ବିଶ୍ୱାସ କରନ୍ତି ଯେଉଁଥିପାଇଁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି | ଆପଣମାନେ ଆଗରୁ ବହୁତ ଭଣ୍ଡ ବାବାଙ୍କ କାହାଣୀ ସମ୍ପର୍କରେ ଶୁଣିଥିବେ | ଆଜି ଜାଣିବା ଆଉ ଜଣେ ଭଣ୍ଡ ବାବାଙ୍କ କାହାଣୀ | ଏହି ବାବା ଯେଉଁ କାମ କରିଛନ୍ତି ତାହା ଆପଣ କଳ୍ପନା ମଧ୍ୟ କରିପାରିବେନି | ଏହି ଭଣ୍ଡ ବାବା ବିରୋଧ ମାମଲା ରୁଜ୍ଜୁ ହେବା ପରେ ସେ ଦେଶ ଛାଡି ପଳାୟନ କରିଥିଲା ଏବଂ ଏକ ନୂଆ ଦେଶ କିଣି ପକେଇଲେ | ଯୌନ ଶୋଷଣ ଏବଂ ଅପହରଣ ଅଭିଯୋଗରେ ଥିବା ଏହି ବାବା ଦେଶଠୁ ୧୬ ହଜାର କିମି ଦୂରକୁ ଯାଇ ଏକ ନୂଆ ଦେଶ ଗଠନ କରିବାକୁ ଦାବି କରିଥିଲେ | କିନ୍ତୁ ଏହି ବାବାଙ୍କ କାହାଣୀରେ ଏବେ ଏକ ନୂଆ ଟ୍ଵିଷ୍ଟ ଆସିଛି | ବାବାଙ୍କ ବିରୋଧରେ ଯୌନ ଶୋଷଣ ମାମଲାର ଯାଞ୍ଚ କରୁଥିବା ପୋଲିସକର୍ମୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି | ଶିଶୁଙ୍କୁ ଯୌନ ଶୋଷଣ ଦେଉଥିବା ଅଭିଯୋଗରେ ପୋଲିସକର୍ମୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି |

ସ୍ଵୟଂଭୂ ବାବା ସ୍ୱାମୀ ନିତ୍ୟାନନ୍ଦଙ୍କ ବିରୋଧରେ ରୁଜ୍ଜୁ ହୋଇଥିବା ଅପହରଣ ମାମଲାର ଯାଞ୍ଚ କରୁଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ପୋକସୋ ଆକ୍ଟ ଜରିଆରେ ମାମଲା ରୁଜ୍ଜୁ ହୋଇଛି | ବାବା ନିତ୍ୟାନନ୍ଦଙ୍କ ଆଶ୍ରମରେ ଥିବା ଶିଶୁଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିବା ଅଭିଯୋଗରେ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି | କୋର୍ଟଙ୍କ ଆଦେଶ ଅନୁଯାୟୀ ମାର୍ଚ୍ଚ ୬ ତାରିଖରେ ୧୪ ଜଣଙ୍କ ବିରୋଧରେ ଏହି ମାମଲା ରୁଜ୍ଜୁ ହୋଇଛି | ଏହି ୧୪ ଜଣଙ୍କ ମଧ୍ୟରେ ଶିଶୁ କଲ୍ୟାଣ କମିଟିର ଜଣେ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି |

ବାବା ନିତ୍ୟାନନ୍ଦଙ୍କ ଜଣେ ଅନୁଗାମୀ ଗିରିଶ ତୁରଲପତିଙ୍କ ଅଭିଯୋଗକ୍ରମେ ଅଦାଲତ ମାମଲା ରୁଜ୍ଜୁ କରିବାକୁ ଆଦେଶ ଦେଇଥିଲେ | ଯେଉଁ ପୋଲିସ ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜ୍ଜୁ ହୋଇଛି ସେହି ଥାନାରେ ନିତ୍ୟାନନ୍ଦଙ୍କ ବିରୋଧରେ ୩ଟି ଶିଶୁଙ୍କ ଅପହରଣ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା | ଯାଞ୍ଚ ଅଧିକାରୀ ତଥା ଶିଶୁ କଲ୍ୟାଣ କମିଟିର ସଦସ୍ୟ ଆଶ୍ରମର ନାବାଳିକାଙ୍କୁ ଆପତ୍ତିଜନକ ପ୍ରସନ କରିବା ସହ ତାଙ୍କୁ ମାନସିକ ଉତ୍ପୀଡ଼ନ ମଧ୍ୟ ଦେଇଥିଲେ | 

ଯେଉଁ ଆଶ୍ରମରେ ଏହିସବୁ ଗୋରଖଧନ୍ଦା ଚାଲିଥିଲା ସେହି ଆଶ୍ରମ ଭଣ୍ଡ ବାବା ନିତ୍ୟାନନ୍ଦଙ୍କର | ବାବା ନିତ୍ୟାନନ୍ଦ ଦେଶ ଛାଡି ପଳାୟନ କରି ଅନ୍ୟ ଦେଶରେ ନିଜର ସାମ୍ରାଜ୍ୟ ବିସ୍ତାର କରିଛି | ସେହି ସାମ୍ରାଜ୍ୟର ରାଜା ମଧ୍ୟ ସେ ନିଜେ, ଭଗବାନ ମଧ୍ୟ ସେ | ଗିରଫ ଭୟ ନିତ୍ୟାନନ୍ଦ ଦେଶରୁ ପଳାୟନ କରି ଅଲଗା ଦେଶରେ ରହୁଛି | ନିତ୍ୟାନନ୍ଦଙ୍କ ନୂଆ ଦେଶ ଅର୍ଥାତ ସାମ୍ରାଜ୍ୟର ନାଁ ହେଲା କୈଲାସା | ଏହା କୌଣସି ଆଶ୍ରମ କିମ୍ବା ଅଡ୍ଡା ନୁହଁ ବରଂ ସମ୍ପୂର୍ଣ ଏକ ରାଷ୍ଟ୍ର | ଦୁନିଆର ଏକ ମାତ୍ର ହିନ୍ଦୁ ରାଷ୍ଟ୍ର | ଏହି ରାଷ୍ଟ୍ରର ନିଜର ପାସପୋର୍ଟ ମଧ୍ୟ ରହିଛି | ନିଜର ସମ୍ବିଧାନ ମଧ୍ୟ ଅଛି | ଏହାସହ ନିଜର ପ୍ରଧାନମନ୍ତ୍ରୀ, ନିଜ କ୍ୟାବିନେଟ, ନିଜ ସେନା ରହିଛି |

ଅପରାଧୀ ତଥା ପଳାୟନ ବାବା ନିତ୍ୟାନନ୍ଦଙ୍କ କହିବାନୁଯାୟୀ, ଦୁନିଆର ଯେକୌଣସି ହିନ୍ଦୁ ଏହି ରାଷ୍ଟ୍ରର ନାଗରିକତା ପାଇପାରିବେ | ସେ ନିଜର ସନାତନ ଧର୍ମର ରକ୍ଷକ ବୋଲି ଦାବି କରୁଛନ୍ତି | ନିତ୍ୟାନନ୍ଦ ନିଜ ସାଧବୀଙ୍କ ସହ ଯୌନ ସମ୍ପର୍କ ରଖିଥିଲେ ଏବଂ ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା | ଏହାପରେ ସେ ଦେଶ ଛାଡି ଫେରାର ହୋଇ ଲାଟିନ ଆମେରିକାର ଇକ୍ରୋଡର ନିକଟରେ ଏକ ଟାପୁ କିଣି ତାହାକୁ ନୂଆ ଦେଶ ଘୋଷଣା କରି ତାହାକୁ କୈଲାସା ନାଁ ଦେଇଛି | 

ତେବେ ଏହି ଟାପୁର ନକ୍ସା କେବଳ ବାବା ନିତ୍ୟାନନ୍ଦ ପାଖରେ ହିଁ ଅଛି | ବିଶ୍ୱ ମାନଚିତ୍ରରେ ଥିବା ଏହି କୈଲାସାର ନକ୍ସା କେବଳ ଏକ ପ୍ରତୀକାତ୍ମକ ଫଟୋ | ବାସ୍ତବିକତା ସହ ଏହାର କିଛି ସମ୍ପର୍କ ନାହିଁ | କାରଣ ଏହି ରାଷ୍ଟ୍ର ସତରେ କେଉଁଠି ଅଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ | ତେବେ ଏହି ହିନ୍ଦୁ ରାଷ୍ଟ୍ରର ଲୋକେସନ ସ୍ପଷ୍ଟ ହୋଇନାହିଁ ସତ କିନ୍ତୁ ତାଛଡା ଅନ୍ୟ ସବୁ ଖୁଲାସା ନିତ୍ୟାନନ୍ଦ ନିଜ ୱେବସାଇଟରେ କରିସାରିଛି | ଏହି ରାଷ୍ଟ୍ରର ଜାତୀୟ ପଶୁ ହେଲା ଭଗବାନ ଶିବଙ୍କ ବାହନ ନନ୍ଦୀ | କୈଲାସାର ନିଜର ପାସପୋର୍ଟ ଅଛି, ନିଜର ଜାତୀୟ ପତାକା ଅଛି ଯେଉଁଥିରେ ନନ୍ଦୀ ସହ ନିତ୍ୟାନନ୍ଦଙ୍କ ଫଟୋ ରହିଛି | ପତାକାରେ ନିତ୍ୟାନନ୍ଦଙ୍କୁ ଭଗବାନ ଶିବଙ୍କ ଅନ୍ଦାଜରେ ଦେଖିବାକୁ ମିଳେ | କୈଲାସାର ଜାତୀୟ ଫୁଲ ପଦ୍ମ, ଜାତୀୟ ବୃକ୍ଷ ବରଗଛ |

କୈଲାସାର ୱେବସାଇଟ ଅନୁସାରେ ଏହା ପୃଥିବୀର ସବୁଠାରୁ ମହାନ ହିନ୍ଦୁ ରାଷ୍ଟ୍ର | ଯେକୌଣସି ଲିଙ୍ଗ, ଗୋତ୍ର, ଜାତି ହେଉନା କାହିଁକି ଏହି ରାଷ୍ଟ୍ର ଦୁନିଆର ସମସ୍ତ ହିନ୍ଦୁଙ୍କୁ ସ୍ୱାଗତ କରେ | ତେବେ ଏଠାକୁ ଆସୁଥିବ ହିନ୍ଦୁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ୱେବସାଇଟରେ ଦର୍ଶାଇ ଦିଆଯାଇଛି | ତେବେ ଯେଉଁ ପଳାୟନ ବାବା ନିତ୍ୟାନନ୍ଦ ବିରୋଧରେ ଶିଶୁ ଅପହରଣ ଏବଂ ଉତ୍ପୀଡ଼ନ ଅଭିଯୋଗ ହୋଇଛି ସେହି ବାବା ଆଜି ଦାବି କରୁଛନ୍ତି ଯେ ସମସ୍ତ ହିନ୍ଦୁ ଏଠାରେ ସୁରକ୍ଷିତ | ତେବେ ଏଠାରେ ପ୍ରଶ୍ନ ଉଠୁଛି ୭/୮ ବର୍ଷ ହେଲା ଦେଶରୁ ପଳାୟନ କରିଥିବା ନିତ୍ୟାନନ୍ଦ ଏଠାରେ ନିଜର ରାଷ୍ଟ୍ର ଗଠନ କରିବା ପଛରେ କଣ ରହିଛି କାରଣ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.