ସୁପ୍ରିମକୋର୍ଟ ଶରଣରେ ବାବା ରାମଦେବ, ନିଜ ବିରୋଧରେ ରୁଜୁ ଏଫଆଇଆର ଉପରେ ରୋକ୍ ଲଗାଇବାକୁ ଦାବି

Published By : Prameya-News7 Bureau | June 23, 2021 IST

ନୂଆଦିଲ୍ଲୀ ୨୩।୦୬: ଏଲୋପାଥିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗ ଗୁରୁ ବାବା ରାମଦେବ ବର୍ତ୍ତମାନ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ଯାଚିକା ଦାୟର କରି ନିଜ ବିରୋଧରେ ରୁଜୁ ସମସ୍ତ ଏଫଆଇଆରର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ଏଲୋପାଥି ଚିକିତ୍ସା ଓ ଡାକ୍ତରଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ରାମଦେବଙ୍କ ବିରୋଧରେ ଅନେକ କେସ୍ ରୁଜୁ ହୋଇଛି। ଆବେଦନରେ ରାମଦେବ ଆଇଏମଏ ପକ୍ଷରୁ ତାଙ୍କ ବିରୋଧରେ ରୁଜୁ ଏଫଆଇଆରର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ରାମଦେବଙ୍କ ବିରୋଧରେ ଆଇଏମଏ ପାଟନା ଓ ରାୟପୁର ୟୁନିଟ୍  ପକ୍ଷରୁ କେସ ରୁଜୁ ହୋଇଛି। ରାମଦେବ ଏହି ଦୁଇଟି ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ମଧ୍ୟ ଦାବି କରିଛନ୍ତି।

ଜୟପୁର ପୋଲିସ ଗତ ସପ୍ତାହ ବୁଧବାର ଦିନ ବାବା ରାମଦେବଙ୍କ ବିରୋଧରେ ଏଲୋପାଥି ଚିକିତ୍ସା ପଦ୍ଧତି ଓ ଔଷଧକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ଏଫଆଇଆର ରୁଜୁ କରିଥିଲା। ସେହି ପରି ଇଣ୍ଡିଆନ ମେଡିକାଲ ଆସୋସିଏସନ, ଛତିଶଗଡ ୟୁନିଟ୍ ପକ୍ଷରୁ ମଧ୍ୟ ବାବାଙ୍କ ବିରୋଧରେ କେସ୍ ଦିଆଯାଇଥିଲା। ଯୋଗ ଗୁରୁଙ୍କ ବିରୋଧରେ ମହାମାରୀକୁ ନେଇ ବେପରୁଆ ବୟାନ ଦେବା ଅଭିଯୋଗରେ ଏଫଆଇଆର ରୁଜୁ କରାଯାଇଥିଲା। ବାବା ରାମଦେବଙ୍କ ଗତ ଦିନରେ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ସେ ଡାକ୍ତରଙ୍କ ଉପରେ ତାତ୍ସଲ୍ୟଭରା ବୟାନ ଦେଉଥିବା ଦେଖିବାକୁ ମିଳିଥିଲା। ଏହା ପରଠୁ ଆଇଏମଏ ଓ ଯୋଗ ଗୁରୁଙ୍କ ବିରୋଧରେ ବାକ୍ ଯୁଦ୍ଧ ଚରମରେ ପହଞ୍ଚିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.