କରୋନା ଟିକା ନେବେନି କହିଲେ ବାବା ରାମଦେବ!
3/01/2021 at 8:08 PM

ନୂଆଦିଲ୍ଲୀ ୩।୧: ଦେଶରେ କରୋନା ଟିକାର ଏମର୍ଜେନ୍ସି ଉପଯୋଗ ଲାଗି ସରକାରଙ୍କ ମଞ୍ଜୁରିକୁ ବିରୋଧୀ ଦଳ ଅଙ୍ଗୁଳି ଉଠାଇଛନ୍ତି। ଏଥିରେ ବାବା ରାମଦେବ କରୋନା ଟିକା ନେବେନି ବୋଲି ଘୋଷଣା କରିଛନ୍ତି। ଯାହା ବିରୋଧୀଙ୍କ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଟିଭିଏଇଟିନ୍ର ଏକ ସାକ୍ଷାତକାରରେ ରାମଦେବ କୋଭିଡ ଟିକା ନେବେନି ବୋଲି କହିଛନ୍ତି।
ସେ କହିଛନ୍ତି ଯେ ତାଙ୍କୁ କରୋନା କେବେ ହେବ ନାହିଁ। ପତଞ୍ଜଳି ଚିକିତ୍ସାରେ ସେ ଏପର୍ଯ୍ୟନ୍ତ କରୋନାରୁ ଦୂରରେ ଅଛନ୍ତି ଓ ଆଗକୁ ମଧ୍ୟ ସୁରକ୍ଷିତ ରହିବେ। ଟେଲିଭିଜନ କାର୍ଯ୍ୟକ୍ରମରେ ସମସ୍ତେ ଟିକା ନେବାର ଆବଶ୍ୟକତା ନାହିଁ ବୋଲି ବାବା ସ୍ପଷ୍ଟ ଭାବେ କହିଛନ୍ତି। ତେବେ ଯାହାର ଆବଶ୍ୟକତା ଅଛି ସେ ନେଇପାରନ୍ତି ବୋଲି କହିଛନ୍ତି। ଏହା ଛଡା କରୋନା ଭାକ୍ସିନ ସମସ୍ତେ ନେବା ଆବଶ୍ୟକ କି ନା ସେ ନେଇ ସରକାର ପ୍ରଥମେ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟଯେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବିଜେପି ସରକାରଙ୍କ କରୋନା ଟିକାକରଣ କରିବେ ନାହିଁ ବୋଲି ସ୍ପଷ୍ଟ ଘୋଷଣା କରିଛନ୍ତି। ସେହିପରି ଟିକାକୁ ନେଇ କଂଗ୍ରେସ ମଧ୍ୟ ନାନା କଥା କହୁଛି। ଏଥିରେ ଜାତୀୟ ରାଜଧାନୀରେ ଆନ୍ଦୋଳନରତ ଚାଷୀଙ୍କୁ ସରକାରଙ୍କ ଉପରେ ଭରସା ରଖିବା ପାଇଁ ବାବା ରାମଦେବ କହୁଥିବା ବେଳେ ଟିକା ପ୍ରସଙ୍ଗରେ କିନ୍ତୁ ନିଜେ ସରକାରଙ୍କୁ ଭରସା କରି ପାରୁନାହାନ୍ତି ତାହା ତାଙ୍କ କଥାରୁ ସ୍ପଷ୍ଟ ବୁଝାପଡୁଛି।
ତେବେ ଭାରତ ଔଷଧ ନିୟାମକ ସିରମ ଇନିଷ୍ଟେଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା କୋଭିସିଲ୍ଡ ଓ ଭାରତ ବାୟୋଟେକର ସ୍ୱଦେଶ ନିର୍ମିତ ଟିକା କୋଭାକ୍ସିନକୁ ସୀମିତ ଓ ଜରୁରି ଉପଯୋଗ ଲାଗି ରବିବାର ମଞ୍ଜୁରି ପ୍ରଦାନ କରିଛନ୍ତି। ଫଳରେ ଦେଶରେ ବ୍ୟାପକ ଟିକାକରଣର ମାର୍ଗ ପ୍ରଶସ୍ତ ହୋଇଯାଇଛି।