‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦ ଆଇସିୟୁରେ ଭର୍ତ୍ତି: ନିଦ ବଟିକା ଖାଇ କଲେ ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | June 18, 2021 IST

ନୂଆଦିଲ୍ଲୀ ୧୮/୦୬ : ଦିଲ୍ଲୀ ମଲବୀୟ ନଗରରେ ବାବା କା ଢାବା ଚଲାଉଥିବା କାନ୍ତା ପ୍ରସାଦଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇପଡିଛି। ନିଦ ବଟିକା ଖାଇବା ପରେ କାନ୍ତା ପ୍ରସାଦଙ୍କ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ସେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ଆଶଙ୍କା କରିଛି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି।

ପୋଲିସ ସୂତ୍ରରୁ କୁହାଯାଇଛି ଯେ କାନ୍ତା ପ୍ରସାଦଙ୍କ ପତ୍ନୀ କହିଛନ୍ତି ସେ ୨୦୨୦ ଡିସେମ୍ବରରେ ରେଷ୍ଟୁରାଣ୍ଟ ଖୋଲିଥିଲେ କିନ୍ତୁ ତାହା ଚାଲିନଥିଲା। ଫଳରେ ସେମାନଙ୍କ ବହୁତ କ୍ଷତି ହୋଇଛି। କାନ୍ତା ପ୍ରସାଦଙ୍କ ପୁଅ କର୍ଣ୍ଣ ପୋଲିସକୁ ଦେଇଥିବା ବୟାନକୁ ନେଇ ସାଉଥ ଡିସିପି ଅତୁଲ ଠାକୁର କହିଛନ୍ତି ଯେ ଗୁରୁବାର ରାତିରେ କାନ୍ତା ମଦ୍ୟପାନ କରିବା ପରେ ନିଦ ବଟିକା ଖାଇ ଦେଇଥିଲେ। ତାଙ୍କ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ପୋଲିସର ସୂଚନାନୁସାରେ, ଗୁରୁବାର ରାତି ପ୍ରାୟ ୧୧ଟା ୧୫ ମିନିଟରେ ସଫଦରଜଙ୍ଗ ହସ୍ପିଟାଲରୁ ସୂଚନା ମିଳିଥିଲା ଯେ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ଅଣାଯାଇଛି l ଯିଏ ନିଦ ବଟିକା ସେବନ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ବ୍ୟକ୍ତି ଜଣକ ମଲବୀୟ ନଗରରେ ବାବା କା ଢାବା ଚଲାଉଥିବା କାନ୍ତା ପ୍ରସାଦ ବୋଲି ଜଣାପଡିଥିଲା। ପ୍ରାରମ୍ଭିକ ପଚରାଉଚୁରାରେ ତାଙ୍କ ପତ୍ନୀ କହିଥିଲେ ଯେ ୨୦୨୦ ଡିସେମ୍ବରରେ ବାବା ନିଜେ ମଲବୀୟ ନଗର ଅଞ୍ଚଳରେ ଭଡାରେ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ, ଯାହା ଚାଲିନଥିଲା। ମାସିକ ଭଡା ଲକ୍ଷେ ଟଙ୍କା ଥିବାବେଳେ ମାସିକ ରୋଜଗାର ୩୦ ହଜାର ଥିଲା। ଏହି କାରଣରୁ ରେଷ୍ଟୁରାଣ୍ଟ ବନ୍ଦ କରାଯାଇଥିଲା ଏବଂ କିଛି ଦିନ ପୂର୍ବରୁ ସେ ପୁଣି ପୁରୁଣା ଢାବା ଆରମ୍ଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.