ଜୟପୁରରେ ଆତ୍ମଘୋଷିତ ବାବା-ମାତା ; ନାଗ ଉପରେ ବାବା, ପଦ୍ମ ଉପରେ ବସିଛନ୍ତି ମାତା
17/01/2019 at 11:40 AM

ଜୟପୁର ୧୭|୧: ନାଗ ଉପରେ ବସିଛନ୍ତି ବାବା, ପଦ୍ମ ଉପରେ ବସିଛନ୍ତି ମାତା । ଜୟପୁରରେ ଏଭଳି ଆତ୍ମଘୋଷିତ ବାବା-ମାତାଙ୍କୁ ଏବେ ମହାଯଜ୍ଞ କରୁଥିବାର ଦେଖିବାକୁ ମିଳିଛି । ଜୟପୁରରେ ଆୟୋଜିତ କଳକୀ ମହାଯଜ୍ଞରେ ଦେଖିବାକୁ ମିଳିଛି ବାବା-ମାତାଙ୍କ ଏମିତି ଦୃଶ୍ୟ । ବାବା ଏବଂ ମାତା ଦୁହେଁ ଭୁବନେଶ୍ବର ଉପକଣ୍ଠ ପାତ୍ରପଡା ଶିବଶକ୍ତି ଧାମର ବାବା ଅନନ୍ତ କେଶରୀ ଏବଂ ମାତା ମାହେଶ୍ବରୀ । ଗତ ୧୦ତାରିଖରୁ ସେମାନେ ଜୟପୁର ସ୍ଥିତ ସୌରାଗୁଡାରେ ଯଜ୍ଞର ଆୟୋଜନ କରିଛନ୍ତି । ଏମାନେ ସ୍ବପ୍ନାଦେଶ ପାଇ ସମସ୍ୟା ଦୂର କରୁଥିବା ମଧ୍ୟ ଦାବି କରୁଛନ୍ତି । ଗତ ୧୮ବର୍ଷ ଧରି ଏହିଭଳି ବିଭିନ୍ନ ସ୍ଥାନରେ ବିଶ୍ବଶାନ୍ତି ମହାଯଜ୍ଞ ଆୟୋଜନ କରି ଟଙ୍କା ଆଦାୟ କରୁଛନ୍ତି । ତାଙ୍କର ଅନୁଗାମୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି । ତେବେ ଆତ୍ମଘୋଷିତ ବାବା-ମାତାଙ୍କୁ ନେଇ ବିବାଦ ମଧ୍ୟ ଦେଖାଦେଇଛି ।

ଜୟପୁରରେ ବାବା ଅନନ୍ତ କେଶରୀ ଏବଂ ମାତା ମାହେଶ୍ବରୀ କରୁଛନ୍ତି ମହାଯଜ୍ଞ । ଯଜ୍ଞ ସ୍ଥଳରେ ରହିଛି ଉଭୟଙ୍କ ଆସନ । ବାବାଙ୍କ ପାଇଁ ସପ୍ତନାଗର ଆସନ ରହିଥିବାବେଳେ ତାଙ୍କ ପାର୍ଶ୍ବରେ ଥିବା ପଦ୍ମଫୁଲ ଆସସ ରହିଛି ମାତାଙ୍କ ପାଇଁ । ବାବା ଏବଂ ମାତାଙ୍କ ଆସନ ପାଖରେ ରହିଛି ଦୁଇଟି ଯଜ୍ଞ କୁଣ୍ଡ । ଯେଉଁଠାରେ କଳକୀ ମହାଯଜ୍ଞ ଅନୁଷ୍ଠିତ ହେଉଛି । ଯଜ୍ଞ କୁଣ୍ଡର ଚାରିପଟେ ଅନୁଗାମୀ ଭକ୍ତମାନେ ବୁଲୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଲୋକମାନେ ମଧ୍ୟ ଯଜ୍ଞସ୍ଥଳକୁ ଆସି ବାବା ଓ ମାତାଙ୍କୁ ବିଶ୍ବାସର ସହ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି । ବାବା ଏବଂ ମାତାଙ୍କ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଜୀବନ୍ତ ଅବସ୍ଥାରେ କିଭଳି ଜଣେ ବାବା ଏବଂ ମାତାଙ୍କ ଆଳତୀ କରାଯାଉଛି, ଗୋଡ ଧୋଇଦିଆଯାଉଛି, ଫୁଲ ମଧ୍ୟ ଚଢାଯାଉଛି ତାହାକୁ ନେଇ ଏବେ ବିବାଦ ଉପୁଜିବାରେ ଲାଗିଛି ।

ଯଜ୍ଞସ୍ଥଳରେ ଲାଗିଥିବା ମାତା ମାହାଶ୍ବରୀଙ୍କ ଫଟୋକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି । ମାତା ମାହେଶ୍ବରୀ ହେଉଛନ୍ତି ଜଣେ ଅଭିନେତ୍ରୀ । ତାଙ୍କ ନାଁ ହେଉଛି ଶ୍ବେତା ମଲ୍ଲିକ । ସେ ପୂର୍ବରୁ ଅନେକ ଆଲବମ୍ ଏବଂ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି ।