୯ ମାସର ପରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର
28/12/2020 at 8:05 AM

ଚାନ୍ଦବାଲି ୨୮।୧୨: ଦୀର୍ଘ ୯ ମାସର କଟକଣା ପରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ SOP ଜାରି ହୋଇଛି। ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ବର୍ଗଙ୍କୁ ବାବାଙ୍କ ଦର୍ଶନ କରିବାର ସୁଯୋଗ ମିଳିଛି । ସେହିପରି ୩୦ ଓ ୩୧ ତାରିଖରେ ସ୍ଥାନୀୟ ୪ଟି ପଞ୍ଚାୟତର ଲୋକ ଆଖଣ୍ଡଳମଣିଙ୍କ ଦର୍ଶନ କରିପାରିବେ ।

ତେବେ ଭିଡକୁ ନଜରରେ ରଖି ଜାନୁଆରୀ ୧ ଓ ୨ ମନ୍ଦିର ବନ୍ଦ ରହିବ । ୩ ତାରିଖରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିବ। ଏଥିପାଇଁ SOP ମଧ୍ୟ ଜାରି କରାଯାଇଛି। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ସକାଳ ୭ଟା ଠାରୁ ସଂଧ୍ଯା ୫ଟା ପ୍ରଯ୍ଯନ୍ତ ଦର୍ଶନ କରିପାରିବେ। ଦର୍ଶନାର୍ଥୀ ମାନେ ମନ୍ଦିର ମଧ୍ଯକୁ ଫୁଲ, ଦୀପ, ଭୋଗ ଓ କୌଣସି ପୂଜାସାମଗ୍ରୀ ନେଇ ପାରିବେ ନାହିଁ।

ଏହାସହ ମନ୍ଦିର ମଧ୍ଯରେ ଅଧିକ ସମୟ ଧରି ଯାତ୍ରୀମାନେ ରହିପାରିବେ ନାହିଁ। ସ୍ବତନ୍ତ୍ର ବ୍ଯାରିକେଟ ମଧ୍ଯରେ ଯାଇ ଶ୍ରଦ୍ଧାଳୁମାନେ ଦର୍ଶନ କରିବାକୁ ବ୍ଯବସ୍ଥା କରିଛି ପ୍ରଶାସନ । ଏଥିସହ ସମସ୍ତ ଭକ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ । ସାନିଟାଇଜେସନ ଓ ମାସ୍କ ପିନ୍ଧିବା ବାଧ୍ଯତାମୂଳକ କରାଯାଇଛି । ସ୍ଥାନୀୟ ଅଞ୍ଚଳ ଲୋକଙ୍କ ଦର୍ଶନ ପାଇଁ ପରିଚୟ ପତ୍ର ବାଧ୍ଯତାମୂଳକ କରାଯାଇଛି।