ଚିହ୍ନା ଅଟୋରେ ବସି ସାଙ୍ଗର ଜନ୍ମଦିନ ଭୋଜିକୁ ଯାଉଥିବାବେଳେ ଅଟୋରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | April 15, 2019 IST

ଫିରୋଜାବାଦ ୧୫/୪: ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ଶନିବାର ସନ୍ଧ୍ୟାରେ ଘରୁ ବାହାରିଥିବା ଜଣେ ଛାତ୍ରୀଙ୍କୁ ଅଟୋରେ ୩ଜଣ ଲୋକ ଏକାଠି ଗଣଦୁଷ୍କର୍ମ କରିଛନ୍ତି। ଛାତ୍ରୀଜଣକ ବିରୋଧ କରିବାରୁ ସେମାନେ ତାଙ୍କୁ ନିସ୍ତୁକ ମାଡମାରିଥିଲେ। ଛାତ୍ରୀ ଜଣକ ବେହୋସ୍ ହୋଇଯିବା ପରେ ଅଭିଯୁକ୍ତମାନେ ତାଙ୍କୁ ଏତ୍ମାଦପୁରରେ ତାଙ୍କ ସାଙ୍ଗର କବାଡ଼ି ଗୋଦାମକୁ ନେଇ ଯାଇଥିଲେ ଏବଂ ପୁଣି ଥରେ ୪ଜଣ ମିଶି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ସ୍ଥାନୀୟ ଲୋକଙ୍କର  ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଫିରୋଜାବାଦ ଥାନାର ରସୁଲପୁର ଅଞ୍ଚଳରେ ରହୁଥିବା ବିଏ ପ୍ରଥମ ବର୍ଷ ଛାତ୍ରୀ ଘରୁ ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ କହି ବାହାରିଥିଲେ। ରାସ୍ତାରେ ଛାତ୍ରୀ ଜଣକ ଚିହ୍ନା ଅଟୋ ଚାଳକ ବୀରୁ ଓରଫ ଆବିଦର ଅଟୋରେ ବସି ଯାଇଥିଲେ।

ଅଟୋ ଚାଳକ ରାସ୍ତାରେ ଫୋନ୍ କରି ନିଜର ଦୁଇ ସାଙ୍ଗ ଶାହରୁଖ ଏବଂ ଜୁବୈଦ ଖାନଙ୍କୁ ଡକାଇଥିଲା। ସେମାନେ ମଧ୍ୟ ଅଟୋରେ ବସି ଯାଇଥିଲେ। ସେମାନେ ଜବରଦସ୍ତି ଛାତ୍ରୀଙ୍କୁ ଉସାୟନୀ ସ୍ଥିତ ବୈଷ୍ଣୋ ମନ୍ଦିର ପାଖକୁ ନେଇ ଯାଇଥିଲେ। ରାତି ପାଖାପାଖି ୮ଟା ବେଳେ ସେମାନେ ଶୁନଶାନ ସ୍ଥାନରେ ଅଟୋ ରଖି ସେଠାରେ ଏହି ୩ଜଣ ଯୁବକ ମିଶି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ବିରୋଧ କରିବାରୁ ଛାତ୍ରୀଙ୍କୁ ପିଟିଥିଲେ।

ଛାତ୍ରୀ ବେହୋସ୍ ହୋଇଯିବାରୁ ତାଙ୍କୁ ଏତ୍ମାଦପୁର ସ୍ଥିତ ନିଜ ସାଙ୍ଗ ଅକମଲର କବାଡ଼ି ଗୋଦାମକୁ ନେଇଯାଇଥିଲେ। ସେଠାରେ ପୁଣି ଥରେ ୪ଜଣ ମିଶି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ପାଖାପାଖି ରାତି ୧୨ଟାବେଳେ ଛାତ୍ରୀଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଗୋଦାମକୁ ଘେରାଉ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଛାତ୍ରୀଙ୍କୁ ମୁକ୍ତ କରିଥିଲେ।

ସୂଚନା ପାଇ ଛାତ୍ରୀଙ୍କ ପରିବାରଲୋକେ ଏତ୍ମାଦପୁର ପହଞ୍ଚିଯାଇଥିଲେ। ଛାତ୍ରୀଙ୍କୁ ଯାଞ୍ଚ ପାଇଁ ମେଡିକାଲ ପଠାଯାଇଛି।

ଗଣଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀ ଜଣକ ଅଧିକାଂଶ ସମୟରେ ଏହି ଅଟୋରେ ଯିବା ଆସିବା କରୁଥିଲେ। ଅଟୋ ଚାଳକ ଆବିଦ ଛାତ୍ରୀଙ୍କୁ ନିଜ ନାଁ ବୀରୁ କହି ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ସ୍କୁଲ ଯିବା ଆସିବା କରିବା ବେଳେ ଆବିଦ ଦେଖା ହେଉଥିଲା ସେଥିପାଇଁ ଛାତ୍ରୀଙ୍କୁ ତା’ ଉପରେ ଭରସା ଥିଲା। ଶନିବାର ସେହି ଭରସାରେ ଛାତ୍ରୀ ଅଟୋରେ ବସିଥିଲେ ଏବଂ ଦୁର୍ବୃତ୍ତଙ୍କ ଶିକାର ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.