ଆୟୁଷ୍ମାନ ଭାରତ ବନାମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ମୁହାଁମୁହିଁ ବିଜେପି- ବିଜେଡି
28/08/2018 at 7:13 AM

ଭୁବନେଶ୍ବର୨୮|୮:କେନ୍ଦ୍ର ସରକାରଙ୍କ ଆୟୁଷମାନ ଭାରତକୁ ନା କରି ରାଜ୍ୟର କରିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ।ଆୟୁଷମାନ ଯୋଜନାରେ ରାଜ୍ୟର ହିତାଧିକାରୀ ଅଧିକ ଲାଭ ପାଇବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ବାଲେଶ୍ବରରେ ଯୁକ୍ତି ବାଢିବାପରେ ଜବାବ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ।କହିଛନ୍ତି କେନ୍ଦ୍ର ଯୋଜନାର ରୂଫରେଖ କରିନି, ଲାଭ ମିଳିବ କେମିତି । ସେପଟେ ବିଜେପି ପୁଣି ଥରେ ପ୍ରେସମିଟରେ ରାଜ୍ୟର ବିଏସକେଓ୍ବାଇର ବିଭିନ୍ନ ତଥ୍ୟକୁ ନେଇ ସରକାରଙ୍କୁ ଘେରିଛି । ଆୟୁଷମାନ ଭାରତ ବନାମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ । କେଉଁ ଯୋଜନା ଅଧିକ ଫଳପ୍ରଦ ହେବ । କେନ୍ଦ୍ର ନା ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନାରୁ ଅଧିକ ଫାଇଦା ପାଇବେ ରାଜ୍ୟର ହିତାଧିକାରୀ । ତାକୁ ନେଇ ରାଜ୍ୟ ଓ କେନ୍ଦ୍ର ଭିତରେ ଚାଲିଛି ଟଣା ଓଟରା । ରାଜ୍ୟ କେନ୍ଦ୍ରର ଆୟୁଷମାନକୁ ନା କରି ନିଜସ୍ବ ଯୋଜନା ଆରମ୍ଭ କରିଛନ୍ତି । ଆଉ ଏତିକିବେଳେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିଜେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । କେନ୍ଦ୍ର ସରକାରଙ୍କ ଯୋଜନାରେ ଓଡିଶାର ହିତାଧୀକାରୀ ଅଧିକ ଲାଭ ପାଇଥାନ୍ତେ । ରାଜ୍ୟ ବାହାରେ ଓଡିଆ ଉପକୃତ ହୋଇଥାନ୍ତେ । ହେଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଏହି ଉକ୍ତିକୁ ଗ୍ରହଣ କରି ନାହାନ୍ତି ରାଜ୍ୟ ସ୍ବାସ୍ଥ ମନ୍ତ୍ରୀ ପ୍ରତାପ ଜେନା । ଜବାବରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଯୋଜନାର ରୂପରେଖ କରି ନାହାନ୍ତି । କେନ୍ଦ୍ର ସରକାର କେବଳ ସରକାରୀ ଡାକ୍ତର ଖାନାରେ ଚିକିତ୍ସା ବ୍ୟବସ୍ଥା କରିଥିବାବେଳେ ରାଜ୍ୟ ସରକାର ୨୨୦ଟି ଘରୋଇ ଡାକ୍ତର ଖାନାକୁ ଯୋଡିଛନ୍ତି । ବିଜୁ କୃଷକ କଲ୍ୟାଣ ଯୋଜନା ତଥ୍ୟ ଆଧାରରେ ଏହି ଯୋଜନା କାର୍ଯ୍ୟକାରୀ ଆରମ୍ଭ ହୋଇଛି । ଏହି ଯୋଜନା କେନ୍ଦ୍ର ଯୋଜନା ଅପେକ୍ଷା ଅଧିକ ଫଳ ପ୍ରଦ ହେବ ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଓ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟର ଦୁଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଛି । ହେଲେ ଏପଟେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଯୋଜନାର ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ପ୍ରଥମେ ୭୦ ଲକ୍ଷ ପରିବାର ଉପକୃତ ହେବେ ବୋଲି ବିଜ୍ଞାପନ ଦେଇଥିବା ରାଜ୍ୟ ସରକାର ଏବେ ସାଢେ ଚାରିକୋଟି ଓଡିଆ ଯୋଜନାର ଲାଭ ପାଇବେ ବୋଲି କହିଲେଣି । ତେଣୁ କେଉଁଟା ଠିକ ତାର ଜବାବ ମାଗିଛି ବିଜେପି । ଏହା ସହ ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଠିକ ନଥିବାବେଳେ କିପରି ହିତାଧିକାରୀ ଲାଭ ପାଇବେ ବୋଲି କହିବା ସହ କେନ୍ଦ୍ର ଯୋଜନାରେ ରାଜ୍ୟ ଅଧିକ ଲାଭ ପାଇବ ବୋଲି ଯୁକ୍ତି ବାଢିଛି ବିଜେପି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ କଥା କହୁଛନ୍ତି । ଉଭୟ ସରକାର ଚାହୁଛନ୍ତି ହିତାଧିକାରୀ ଲାଭ ପାଆନ୍ତୁ । ସମସ୍ତଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଁଚୁ । ତେବେ ଏହାକୁ ନେଇ ଟଣା ଓଟରା ଓ ଆରୋପ ପ୍ରତ୍ୟାରୋପ କାହିଁକି ଚାଲିଛି । ଏହା ହିତାଧିକାରୀଙ୍କୁ ପ୍ରଭାବିତ କରିବନିତ ?