ଆଶା ବଢାଇଲା ‘ଆସ୍ଥା-୧୫’ ! ବିଶ୍ୱର ପ୍ରଥମ ଆୟୁର୍ବେଦିକ କରୋନା ଔଷଧକୁ ମିଳିଲା ଆୟୁଷ ମନ୍ତ୍ରାଳୟଙ୍କ ମଞ୍ଜୁରି

Published By : Prameya-News7 Bureau | November 12, 2020 IST

ନୂଆଦିଲ୍ଲୀ ୧୨।୧୧: କୋଭିଡ-୧୯ ସଂକ୍ରମଣ ଯୋଗୁ ଲୋକଙ୍କଠାରେ ଦେଖାଯାଉଥିବା ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାର ଚିକିତ୍ସା ନିମନ୍ତେ ଡାଲମିଆଙ୍କ ଆୟୁର୍ବେଦିକ ଔଷଧ ‘ଆସ୍ଥା-୧୫’ର ପ୍ରସ୍ତୁତି ଲାଗି କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ଅନୁମୋଦନ ଦେଇଛନ୍ତି।  ଫଳରେ ସ୍ୱଦେଶୀ ଜ୍ଞାନ କୌଶଳରେ  ପ୍ରସ୍ତୁତ ଏହି ଔଷଧ କରୋନା ଭାଇରସ ମହାମାରୀ ଚିକିତ୍ସା ନିମନ୍ତେ ବିଶ୍ୱର ପ୍ରଥମ ଆୟୁର୍ବେଦ ଔଷଧ ହେବାକୁ ଯାଉଛି।

ଔଷଧର ଚିକିତ୍ସକୀୟ ପରୀକ୍ଷଣ ଫଳାଫଳ ପରେ ଆୟୁଷ ମନ୍ତ୍ରାଳୟ ଡାଲମିଆ ହେଲଥ୍ କେୟାର ଲିମିଟେଡକୁ ଏହାର ଉତ୍ପାଦନ ଅନୁମତି ପ୍ରଦାନ କରିଛନ୍ତି। ମନ୍ତ୍ରାଳୟଙ୍କ ଅନୁମତି ମିଳିବା ପରେ ଭାରତ ଲାଗି ଏହା ଆଉ ଏକ ଗୌରବର କ୍ଷଣ ବୋଲି କହିଛନ୍ତି ଡାଲମିଆ ଗ୍ରୁପ ଅଫ କମ୍ପାନୀର ଅଧ୍ୟକ୍ଷ ସଞ୍ଜୟ ଡାଲମିଆ। ସେ କହିଛନ୍ତି ଯେ କୋଭିଡ ଆକ୍ରାନ୍ତ ରୋଗୀଙ୍କ ଶ୍ୱାସକ୍ରିୟା ସମ୍ପର୍କିତ ସମସ୍ୟାର ଚିକିତ୍ସା ଲାଗି ‘ଆସ୍ଥା-୧୫’ ଏକ ପ୍ରଭାବଶାଳୀ ଔଷଧ। ଏହାକୁ ଡାଲମିଆ ସେଣ୍ଟର ଫର ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ (ଡିସିଆରଡି) ବ୍ୟାପକ ଅନୁସନ୍ଧାନ ପରେ ବିକଶିତ କରିଛନ୍ତି।

ପଲି ହର୍ବାଲ ମିଶ୍ରଣରୁ ପ୍ରସ୍ତୁତ ଏହି ଔଷଧର କ୍ଲିନିକାଲ ଟ୍ରାଏଲରେ କୋଭିଡ ରୋଗୀଙ୍କ ଠାରେ ଦେଖାଯାଉଥିବା କାସ ଓ ମୁଣ୍ଡ ବୁଲାଇବା ଲକ୍ଷଣର ଏହା ବେଶ ଉପସମ କରିପାରୁଛି। ଏହା ଅତିରିକ୍ତ ରୋଗୀଙ୍କ ଶ୍ୱାସକ୍ରିୟା ହାର ବୃଦ୍ଧି ସହ ଚିକିତ୍ସା ସାଇକେଲରେ ଦ୍ରୁତ ସୁସ୍ଥତା  ଲାଗି ସହାୟକ ହେଉଥିବା ଦେଖାଯାଉଛି। ବିଶ୍ୱାସର ଅନ୍ୟନାମ ହେଉଛି ‘ଆସ୍ଥା’ ଆୟୁର୍ବେଦ ଚିକିତ୍ସା ପ୍ରତି ଥିବା ଲୋକଙ୍କ ବିଶ୍ୱାସକୁ ଏହା ପୁଣି ଫେରାଇ ଆଣି ପାରିଛି ବୋଲି ସଞ୍ଜୟ କହିଛନ୍ତି। ଏହି ଔଷଧ କୋଭିଡ ଆକ୍ରାନ୍ତଙ୍କ ଠାରେ ଦେଖା ଦେଉଥିବା ସମସ୍ତ ବ୍ୟାତିକ୍ରମ ଓ ସଂକ୍ରମଣ ଦୂର କରିବା ସହ ଆଲର୍ଜି ପ୍ରତିକ୍ରିୟା ନିୟନ୍ତ୍ରଣ କରିବାରେ ସହାୟକ ହେବ।

ଡାଲମିଆ ହେଲଥ୍ କେୟାର ପଲି ହର୍ବାଲ ମିଶ୍ରଣର ପ୍ରଭାବ ଓ ନିରାପତ୍ତାକୁ ଆକଳନ କରି ଆସ୍ଥା-୧୫ର ଚିକିତ୍ସକୀୟ ପ୍ରୟୋଗ ନିମନ୍ତେ ଆୟୁଷ ମନ୍ତ୍ରାଳୟଙ୍କୁ ନିବେଦନ କରିଥିଲା। ସେହି ଅନୁସାରେ ଦୁଇଟି ସଫଳ ପର୍ଯ୍ୟାୟ ପରୀକ୍ଷଣ ପରେ ତୃତୀୟ ପର୍ଯ୍ୟାୟରେ ୧୨୦ଟି ବିଷୟରେ ପରୀକ୍ଷା ହୋଇଥିଲା। ଆୟୁଷ ଓ ଆଇସିଏମଆରଙ୍କ ସମ୍ପୂର୍ଣ୍ଣ ମାର୍ଗଦର୍ଶନରେ ଏହି ପରୀକ୍ଷଣ ଜେଏନୟୁଆଇଏମଏସଆରସି ଜୟପୁର, ଶ୍ରୀକାକୁଲମ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ସରକାରୀ ହସ୍ପିଟାଲ, ଠାଣେ ଆରଜିଏମସି ଓ ସିଏସଏମଏଚ୍‌ରେ ଏହି ସବୁ ପରୀକ୍ଷଣ ହୋଇଥିଲା।

ସମସ୍ତ ପରୀକ୍ଷଣ ଫଳାଫଳ ପରେ ଏହି ଔଷଧ ସାମାନ୍ୟ ଓ ମଧ୍ୟ ସଂକ୍ରମଣ ଲାଗି ଉପଯୋଗ ହୋଇପାରିବ ବୋଲି ମନ୍ତ୍ରାଳୟ କହିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ କୋଭିଡ ଚିକିତ୍ସା କେନ୍ଦ୍ରର ଡାକ୍ତରଙ୍କ ପ୍ରେସ୍କ୍ରିପସନରେ ଏହି ଔଷଧ ଉପଲବ୍ଧ ହେବ । ଏବେ ଡାକଲମିଆ ହେଲଥ କେୟାର ପକ୍ଷରୁ ଏହି ଆୟୁର୍ବେଦ ଔଷଧକୁ ଏଲୋପ୍ୟାଥି ହସ୍ପିଟାଲରେ ଉପଯୋଗ ନିମନ୍ତେ ମଧ୍ୟ ଆବେଦନ କରାଯିବ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.