ଆୟୁଷ ନିର୍ଦ୍ଦେଶକ ଗିରଫ, ମହିଳା କର୍ମଚାରୀ ଆଣିଥିଲେ ଅଶ୍ଲୀଳ ମେସେଜ-ଚାଟିଂ ଓ କୁତ୍ସିତ କାମନାର ଅଭିଯୋଗ
9/07/2020 at 4:48 PM

ଭୁବନେଶ୍ୱର ୦୯।୦୭: ତିନି ଚାରି ଦିନର ଲୁଚକାଳି ଖେଳ ପରେ ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀ। ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଛି । (ଓଡିଶା ଷ୍ଟେଟ ଆୟୁଷ ସୋସାଇଟି , ନ୍ୟାସନାଲ ଆୟୁଷ ମିଶନ ) ଆୟୁଷ ନିର୍ଦ୍ଦେଶାଳୟର ଜଣେ ମହିଳା ସହକର୍ମୀଙ୍କ ସହ ଟେଲି ଫୋନରେ ଅଶ୍ଲୀଲ ଚାଟିଂ ଓ କଥାବାର୍ତ୍ତା ଅଭିଯୋଗ ହୋଇଥିଲା । ସେବେଠାରୁ ବିଭୂପ୍ରସାଦ ପୋଲିସକୁ ଏଡାଇଚାଲିଥିବା ଅଭିଯୋଗ ହୋଇଥିଲା । ମହିଳା ଥାନା ପକ୍ଷରୁ ତାଙ୍କୁ ହାଜର ପାଇଁ ନୋଟିସ ହୋଇଥିଲା । ଆଜି ଭୁବନେଶ୍ୱର ମହିଳା ଥାନା ପୋଲିସ ତାଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ଆୟୁଷ ନିର୍ଦ୍ଦେଶାଳୟର ଏହି ସର୍ବୋଚ୍ଚ ଅଧିକାରୀଙ୍କ ନାମରେ ସଙ୍ଗୀନ ଅଭିଯୋଗ କରିଥିଲେ ଆୟୁଷ ନିର୍ଦ୍ଦେଶାଳୟରେ କାମ କରୁଥିବା ଜଣେ ୨୫ ବର୍ଷ ବୟସ୍କା ଯୁବତୀ । ସେ ତାଙ୍କ ଅଭିଯୋଗର ପ୍ରମାଣ ରଖିବାକୁ କିଛି ଅଡିଓ ଓ ମେସେଜିଂ ଚାଟର ତଥ୍ୟ ରଖିଥିଲେ । ନିର୍ଦ୍ଦେଶକ ତାଙ୍କୁ ଚାକିରିର ଭୟ ଦେଖାଇ ଅଶ୍ଲୀଳ ଆଳାପ କରୁଥିଲେ , ଏବଂ ତାଙ୍କୁ ଅଶ୍ଲିଳ ଚିତ୍ର ପଠାଉଥିଲେ । ଏପରିକି ତାଙ୍କ ସହ ସମ୍ପର୍କ ନରଖିଲେ , ଚାକିରିରୁ ବିଦା କରିଦେବକୁ ଧମକ ଦେଉଥିଲେ ବୋଲି ଯୁବତୀ ଜଣଙ୍କ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେପଟେ ଏପରି ଅଭିଯୋଗକୁ ଅସ୍ୱୀକାର କରି ବିଭୂପ୍ରସାଦ ମହିଳା ଥାନାରେ ପାଲଟା FIR ଦେଇଥିଲେ । ସେ ତାଙ୍କ ଅଭିଯୋଗରେ ନିର୍ଦ୍ଦିଷ ଜଣେ କର୍ମଚାରୀଙ୍କୁ (କ୍ରଣ୍ଟାକ୍ଟଚ୍ୟୁଆଲ୍)ଙ୍କୁ ଦୋଷ ଦେଇ , ତାଙ୍କୁ ବିରୋଧରେ ଷଡଯନ୍ତ୍ର କରୁଥିବା ଦର୍ଶାଉଥିଲେ । ସେ ସଂପୃକ୍ତ ଯୁବତୀଙ୍କୁ ଅଶ୍ଲିଳ ମେସେଜ ଦେଉଥିବା କଥାକୁ ଅସ୍ୱୀକାର କରି , ତାଙ୍କ କଣ୍ଠସ୍ୱର ଓ ଚାଟିଂର ଫରେନ୍ସିକ ଯାଞ୍ଚ ପାଇଁ ଦାବି କରିଥିଲେ । ଏହି ଘଟଣାର ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ବିଭୂପ୍ରସାଦ ଯେଉଁ କର୍ମଚାରୀଜଣଙ୍କୁ ତାଙ୍କ ଅଭିଯୋଗରେ ଆକ୍ଷେପ କରିଥିଲେ ,ସେ ତାଙ୍କ ପଦବୀରୁ ଇସ୍ତଫା ଦେବା ମଧ୍ୟ ପୁରା ମାମଲାକୁ ଜଟିଳ କରିଦେଇଥିଲା । ତେବେ ଏହି ଘଟଣାକ୍ରମକୁ ନେଇଆଲୋଚନା ଜୋର ଧରିଥିବା ବେଳେ ଗୁରୁବାର ଅପରାହ୍ନରେ ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡଙ୍ଗୀଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଛି ।