ଆୟୁର୍ବେଦିକ କଲେଜ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ମାଗଣାରେ ବାଣ୍ଟୁଛନ୍ତି କାଡା
29/12/2020 at 1:08 PM

ଭଦ୍ରକ,୨୯/୧୨: କରୋନାର ଦ୍ଵିତୀୟ ଲହରୀ ରୋକିବା ପାଇଁ ମାଗଣାରେ କାଡା ବଣ୍ଟନ । ନିଜ ପକେଟ ମନିରୁ ଆୟୁର୍ବେଦିକ କାଡା ବାଣ୍ଟୁଛନ୍ତି ଆୟୁର୍ବେଦିକ କଲେଜର ଛାତ୍ରଛାତ୍ରୀ । ଭଦ୍ରକ ଜିଲ୍ଲା ଧୂସୁରି ଠାରେ ମାଗଣା ଆୟୁଷ କାଡା ବଣ୍ଟନ କରାଯାଉଛି ।
ଭାରତ ସରକାରଙ୍କ ଆୟୁଷ ବିଭାଗ ଦ୍ଵାରା ପ୍ରସ୍ତାବିତ ଆୟୁଷ କାଡା ବାଣ୍ଟୁଛନ୍ତି ଛାତ୍ରଛାତ୍ରୀ । କରୋନାର ଦ୍ଵିତୀୟ ଲହରୀ ରୋକିବା ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି । ଛୋଟ ପିଲା ଓ ଡାଇବେଟିସ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ପାଉଚ ପ୍ରସ୍ତୁତ ହୋଇଛି । ଗୋପବନ୍ଧୁ ଆୟୁବେଦିକ ମେଡିକାଲ କଲେଜ ପୁରୀର ଛାତ୍ରଛାତ୍ରୀମାନେ ପ୍ରଥମ ଅନୁଗୁଳର ୨ଟି ସ୍ଥାନରେ ଓ ଏବେ ଭଦ୍ରକ ଜିଲ୍ଲାରେ କ୍ୟାମ୍ପ୍ କରି ମାଗଣାରେ ବଣ୍ଟନ କରୁଛନ୍ତି।
ପ୍ରତ୍ୟକ କ୍ୟାମ୍ପରେ ପ୍ରାୟ ୨୫୦ ରୁ ୩୦୦ ପ୍ୟାକେଟ ବଣ୍ଟାଯାଉଛି । ଏଥିରେ ୫ ଜଣ ଆୟୁର୍ବେଦିକ ଛାତ୍ରଛାତ୍ରୀ ସାମିଲ ଅଛନ୍ତି ।ଆୟୁଷ ବିଭାଗର ନିର୍ଦ୍ଦେଶ ମୁତାବକ ହାତ ତିଆରି ଏହି କାଡାରେ ୪ ଟି ଜିନିଷ ମିଶ୍ରିତ ହୋଇଛି । ଅନୁପାତ ଅନୁଯାୟୀ ତୁଳସୀ, ଡାଲଚିନି, ସୁଣ୍ଠି ଓ ଗୋଲମରିଚ ମିଶ୍ରିତ ହୋଇଛି । ଗୋଟିଏ ପ୍ୟାକେଟରେ ୪ ରୁ ୫ ପାଉଚ ରହିଛି । ବୃଦ୍ଧାଙ୍କ ପାଇଁ ୫ ଟି ପାଉଚ, ମଧ୍ୟବୟସ୍କଙ୍କ ପାଇଁ ୩ ଟି ପାଉଚ ରହିଛି । ପ୍ରତ୍ୟକ ଦିନ ଗୋଟିଏ ପାଉଚ ପାଣିରେ ଫୁଟାଇ ପିଇବା ପାଇଁ ପ୍ରସ୍ତାବ ଦିଆଯାଉଛି ।
ଡାଇବେଟିସ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ଏହି କାଡା । ତେବେ କରୋନାର ଦ୍ୱିତୀୟ ଲହରୀ ପୂର୍ବରୁ ଲୋକଙ୍କୁ ସଚେତନତା ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହି ପ୍ରୟାସ କରିଛନ୍ତି ଆୟୁର୍ବେଦିକ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ । ନିଜ ପକେଟରୁ ଖର୍ଚ୍ଚ ପାଇଁ ମିଳୁଥିବା ଟଙ୍କାରୁ ସଞ୍ଚୟ କରି ଏଥିରେ କାଡା ପ୍ରସ୍ତୁତ କରି ଛାତ୍ରଛାତ୍ରୀମାନେ ମାଗଣାରେ ବଣ୍ଟନ କରୁଛନ୍ତି ।