ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ପାଇଁ ୧୬ ମାସରେ ମିଳିଛି ମାତ୍ର ୨୦ ଲକ୍ଷ, IICF ଉପରେ ପ୍ରଶ୍ନ ଉଠାଇଲେ ଇକବଲ ଅନସାରୀ

Published By : Prameya-News7 Bureau | April 07, 2021 IST

ଅଯୋଧ୍ୟା ୭/୪:  ୯ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଅଯୋଧ୍ୟାର ଧନୀପୁରରେ ମସଜିଦ୍‌ ନିର୍ମାଣ ପାଇଁ ୫ ଏକର ଭୂମି ସୁନ୍ନୀ ଓ୍ବାକଫ ବୋର୍ଡକୁ ଆବଣ୍ଟିତ କରାଯାଇଛି। ଓ୍ବାକଫ ବୋର୍ଡ ଦ୍ବାରା ଫେବୃଆରୀ ୨୦୨୦ରେ ଇଣ୍ଡୋ ଇସଲାମିକ୍‌ କଲଚର ଫାଇଣ୍ଡେସନ୍‌ ଟ୍ରଷ୍ଟ ଗଠନ କରାଯାଇଛି। ସାମାଜିକ ସହଯୋଗରେ ମସଜିଦ୍‌ ନିର୍ମାଣ କରିବାକୁ ଟ୍ରଷ୍ଟ ନାଁରେ ଏକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲାଯାଇଛି। ଟ୍ରଷ୍ଟ ଗଠନକୁ ୧୬ ମାସ ବିତିଗଲାଣି  କିନ୍ତୁ ମସଜିଦ ନିର୍ମାଶ ପାଇଁ କେବଳ ୨୦ ଲକ୍ଷ ଟଙ୍କା ଦାନ ମିଳିଛି।

ଇଣ୍ଡୋ ଇସଲାମିକ୍‌ କଲ୍ଚର ଫାଉଣ୍ଡେସନ ଦ୍ବାରା ଆବଣ୍ଟିତ ୫ ଏକର ଭୂମିରେ ମସଜିଦ ସହ ହସ୍ପିଟାଲ, ଲାଇବ୍ରେରି, କମ୍ୟୁନିଟି କିଚେନ, ସଂଗ୍ରାହଳୟ  ଆଦି ନିର୍ମାଣ କରିବାକୁ ଯୋଜନା ରହିଛି। ସେପଟେ ମସଜିଦ ପାଇଁ ଟଙ୍କା ଏକତ୍ରିତ ନହେବା ଯୋଗୁ ଇକବଲ ଅନସାରୀ ଇଣ୍ଡୋ ଇସଲାମିକ୍‌ କଲ୍ଚର ଫାଉଣ୍ଡେସନ ଟ୍ରଷ୍ଟ (ଆଇଆଇସିଏଫ୍‌) ଅଧ୍ୟକ୍ଷଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଟ୍ରଷ୍ଠ ଗଠନ ନିଜ ଉଦ୍ଦେଶ୍ୟରେ କରାଯାଇଥିବାରୁ ଲୋ​‌କେ ବିଶ୍ବାସ କରୁନାହାନ୍ତି।

ସୁପ୍ରିମକୋର୍ଟଙ୍କ ରାୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ସମେତ ମସଜିଦ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ମସଜିଦ୍‌ ନିର୍ମାଣ ପାଇଁ ଇଣ୍ଡୋ ଇସଲାମିକ୍‌ କଲ୍ଚର ଫାଉଣ୍ଡେସନ ଟ୍ରଷ୍ଟ ଏବେ ସୁଦ୍ଧା କେବଳ ୨୦ ଲକ୍ଷ ଟଙ୍କା ଦାନ ପାଇଛି। ଏହାକୁ ନେଇ ଇକବଲ ଅନସାରୀ ଟ୍ରଷ୍ଟ ଉପରେ ଅଭିଯୋଗ ଆଣିଛନ୍ତି। ଅଯୋଧ୍ୟାରେ ସମସ୍ତ ଧର୍ମର ଲୋକେ ବସବାସ କରୁଛନ୍ତି। ଆଜି ଅଯୋଧ୍ୟାରେ ମନ୍ଦିର ନିର୍ମାଣ ହେଉଛି। ପୂରା ବିଶ୍ବର ଲୋକ ରାମ ନାମ ନେଉଛନ୍ତି। ପ୍ରଶ୍ନ ହେଉଛି ମସଜିଦ ପାଇଁ ୫ ଏକର ଜମି ଦିଆଯାଇଛି। ଏହାର ଟ୍ରଷ୍ଟକୁ ଲୋକେ ଏବେ ସୁଦ୍ଧା କେବଳ ୨୦ ଲକ୍ଷ ଟଙ୍କା ଦେଇଛନ୍ତି।

ଅନ୍ୟ ପଟେ ରାମ ମନ୍ଦିର ପାଇଁ କୋଟି କୋଟି ଟଙ୍କା ଆସୁଛି। ଏହା ସବୁ ଭଗବାନ ରାମଙ୍କ କୃପା ବୋଲି ଅନସାରୀ କହିଛନ୍ତି। ଜାଫର ଫାରୁକିଙ୍କ ଦ୍ବାରା ଗଠନ ହୋଇଥିବା ଟ୍ରଷ୍ଟ ଏକ ବ୍ୟକ୍ତିଗତ ଟ୍ରଷ୍ଟ ଏବଂ ଟ୍ରଷ୍ଟର ଲୋକ ସାମାଜିକ ହୋଇଥିଲେ ତ ମସଜିଦ ନିର୍ମାଣ ପାଇଁ ଅଧିକ ପରିମାଣର ଟଙ୍କା ଆସିଥାନ୍ତା ବୋଲି କହିବା ସହ  ଟ୍ରଷ୍ଟି ନବଦଳିବା ପର୍ଯ୍ୟନ୍ତ ଲୋକେ ଭାଗ ନେଇପାରିବେ ନାହିଁ ବୋଲି କହିଛନ୍ତି ଇକବଲ ଅନସାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.