ଅଯୋଧ୍ୟାରେ ନିର୍ମାଣ ହେବ ୧୬୧ ଫୁଟ୍ ଉଚ୍ଚର ଭବ୍ୟ ରାମ ମନ୍ଦିର, ୩ ବଦଳରେ ହେବ ୫ ଗମ୍ବୁଜ
18/07/2020 at 10:11 PM

ଅଯୋଧ୍ୟା ୧୮।୦୭: ରାମଜନ୍ମଭୂମିରେ ବିରାଜମାନ ରାମଲଲାଙ୍କ ମନ୍ଦିର ନିର୍ମାଣ ପାଇଁ ପୂର୍ବ ପ୍ରସ୍ତାବିତ ମୋଡେଲ୍କୁ ଆହୁରି ବିସ୍ତାର କରିବାକୁ ନିର୍ଣ୍ଣୟ ନିଆଯାଇଛି। ଜନ ଭାବନାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ରାମ ମନ୍ଦିରର ଶିଖରର ଉଚ୍ଚତା ସହିତ ପରିସର ବିସ୍ତାର କରିବା ଉପରେ ମୋହର ମାରିଛି। ରାମଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟିଙ୍କ ଶନିବାର ସର୍କିଟ୍ ହାଉସ୍ରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କିନ୍ତୁ ବୈଠକରେ ଭୂମି ପୂଜନର ତାରିଖ ସ୍ଥିର ହୋଇ ପାରି ନାହିଁ। ଭୂମି ପୂଜନର ତାରିଖ ସ୍ଥିର କରିବାର ଦାୟିତ୍ଵ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଉପରେ ଛାଡି ଦିଆଯାଇଛି। ଟ୍ରଷ୍ଟ ପିଏମଓକୁ ଅଗଷ୍ଟ ୩ ଓ ଅଗଷ୍ଟ ୫ ତାରିଖରେ ଏହି ବହୁପ୍ରତୀକ୍ଷିତ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଛି।
ପ୍ରାୟ ଦୁଇ ଘଣ୍ଟା ୧୫ ମିନିଟ୍ ଧରି ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ଚାଲିଥିଲା। ବୈଠକ ପରେ ଟ୍ରଷ୍ଟି କାମେଶ୍ଵର ଚୌପାଲା କହିଛନ୍ତି, ଭୂମି ପୂଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଯୋଧ୍ୟା ଆଗମନ ନିଶ୍ଚିତ, କିନ୍ତୁ ତାରିଖ ଏ ଯାଏ ସ୍ଥିର ହୋଇ ନାହିଁ। ପିଏମଓକୁ ଦୁଇଟି ତାରିଖର ପ୍ରସ୍ତାବ ଦିଆଯାଇଛି। ସେ କହିଛନ୍ତି ରାମ ମନ୍ଦିରର ନକ୍ସାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ମାତ୍ର ଏହାକୁ ବିସ୍ତାର କରିବାକୁ ନିର୍ଣ୍ଣୟ ନିଆଯାଇଛି। ଏହି ପରିବର୍ତ୍ତନରେ ମନ୍ଦିରର ଶିଖରର ଉଚ୍ଚତା ବୃଦ୍ଧି କରାଯିବ ଯାହା ଭୂପୃଷ୍ଠରୁ ୧୨୮ ଫୁଟ୍ ବଦଳରେ ୧୬୧ ଫୁଟ୍ କରାଯିବ। ଏହି ପରି ମନ୍ଦିରର ଉତ୍ତର-ଦକ୍ଷିଣ ଅଂଶର ମଧ୍ୟ ବିସ୍ତାର କରାଯିବ। ଏହି ପରି ଗମ୍ବୁଜ ସଂଖ୍ୟା ବଢାଯାଇ ୩ ରୁ ୫ କରାଯିବ।
ଏହା ପୂର୍ବରୁ ରାଜଜନ୍ମଭୂମି ତୀର୍ଥ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି, ଦେଶର ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୂମି ପୂଜନର ତିଥି ସ୍ଥିର କରିବାର ଦାୟିତ୍ଵ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଉପରେ ଛାଡି ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆଗମନରେ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ପାଇଁ ଉତ୍ତର ପ୍ରଦେଶ ସରକାର ଓ ଜିଲ୍ଲା ପ୍ରଶାସନକୁ ଅତି କମରେ ୧୫ ଦିନର ସମୟ ଦରକାର।