ଅଯୋଧ୍ୟା ଜମି ବିବାଦ: ସୁପ୍ରିମକୋର୍ଟରେ ଶେଷ ହେଲା ଶୁଣାଣି, ଜାଣନ୍ତୁ ଅଦାଲତରେ ଶେଷ ଦିନର ପୁରା ଘଟଣା କ୍ରମ
16/10/2019 at 9:11 PM

ନୂଆ ଦିଲ୍ଲୀ: ଐତିହାସିକ ଶ୍ରୀରାମ ଜନ୍ମଭୂମି ମାମଲାରେ ସୁପ୍ରିମକୋର୍ଟ ବୁଧବାର ଚୂଡାନ୍ତ ଶୁଣାଣି କରିଛନ୍ତି। ସିଜେଆଇ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ସଦସୀୟ ସମ୍ବିଧାନିକ ଖଣ୍ଡପୀଠରେ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି। ମୁଖ୍ୟ ନ୍ୟାୟାଧୀଶ ଆଗାମୀ ନଭେମ୍ବର ୧୮ ତାରିଖରେ ଚାକିରୀରୁ ଅବସର ଗ୍ରହଣ କରିବେ। ଏଣୁ ସିଜେଆଇଙ୍କ ଅବସର ପୂର୍ବରୁ ଶ୍ରୀରାମ ଜନ୍ମଭୂମି ମାମଲାର ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।

ସୁପ୍ରିମକୋର୍ଟରେ ବୁଧବାର ଶୁଣାଣି ଆରମ୍ଭ ହେବା ପୂର୍ବରୁ ମୁଖ୍ୟ ନ୍ୟାୟାଧୀଶ ଅପରାହ୍ଣ ୫ଟା ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସିଜେଆଇଙ୍କ ନିର୍ଦ୍ଦେଶର ୧ ଘଣ୍ଟା ପୂର୍ବରୁ ଅର୍ଥାତ ଅପରାହ୍ଣ ୪ଟା ବେଳେ ଶୁଣାଣି ସମାପ୍ତ ହୋଇଥିଲା। ଏହା ସହ ସାମ୍ବିଧାନିକ ଖଣ୍ଡପୀଠ ସମ୍ବଦ୍ଧିତ ପକ୍ଷମାନଙ୍କୁ ‘ସ୍ମୋଲ୍ଡିଂ ଅଫ ରିଲିଫସ’ ଉପରେ ସେମାନଙ୍କ ପକ୍ଷ ରଖିବାକୁ ୩ ଦିନ ଅତିରିକ୍ତ ସମୟ ଦେଇଛନ୍ତି। ଆବେଦନକାରୀ ପକ୍ଷମାନେ ଅପିଲ ବେଳେ ଯେଉଁ ଆବେଦନ କରିଥାନ୍ତି ସେହି ନିବେଦନର କିଛି ସନ୍ଦେହର ଅବକାଶ ରହିଯାଇଛିକି ତାର ତର୍ଜମା ଲାଗି କୋର୍ଟ ସ୍ମୋଲ୍ଡିଂ ଅଫ ରିଲିଫସ ଲାଗି ସମୟ ଦିଆଯାଏ।

କୋର୍ଟରେ ମୁସ୍ଲିମପକ୍ଷଙ୍କ ଓକିଲେ ଚିରିଲେ ନକ୍ସା
ସାମ୍ବିଧାନିକ ଖଣ୍ଡପୀଠରେ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏସ.ଏ.ବୋବଡେ, ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏସ.ଏ.ନଜୀର ପ୍ରମୁଖ ବୁଧବାର ଚୂଡାନ୍ତ ଶୁଣାଣି କରିଥିଲେ। ଗତ ୪୦ ଦିନ ହେଲା ଖଣ୍ଡପୀଠରେ ହିନ୍ଦୁ ଓ ମୁସ୍ଲିମ ପକ୍ଷ ନିୟମିତ ସେମାନଙ୍କର ପକ୍ଷ ରଖୁଥିଲେ। ତେବେ ବୁଧବାର ଶୁଣାଣି ଶେଷ ଦିନରେ ହିନ୍ଦୁ ପକ୍ଷଙ୍କ ଓକିଲଙ୍କ ଦ୍ୱାରା କୋର୍ଟରେ ଆଗତ କରାଯାଇଥିବା ଏକ ନକ୍ସାକୁ ମୁସ୍ଲିମ ପକ୍ଷର ଓକିଲ ଚିରିଦେଇଛନ୍ତି। ଯାହାକୁ ନେଇ କୋର୍ଟରେ ଉତ୍ତେଜନାମୂଳକ ପରିସ୍ଥିତି ପୁଜିଥିବା ବେଳେ ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା।

ହସ୍ତକ୍ଷେପ କଲେ ସିଜେଆଇ
ତେବେ ସିଜେଆଇ ମାମଲାରେ ହସ୍ତକ୍ଷେପ କରିବା ସହ ମାମଲାରେ ସାମିଲ ପକ୍ଷମାନେ ଏଭଳି ଏକ ପରିସ୍ଥିତି ସୃଷ୍ଟି କରିଛନ୍ତି ଯାହା ମୋକଦ୍ଦମା ଶୁଣାଣି ଲାଗି ଅନୁକୁଳ ନୁହେଁ ବୋଲି କହିଥିଲେ। ତେବେ ଏଭଳି ପରିସ୍ଥିତିରେ ଶୁଣାଣି ଜାରି ରଖାଯାଇପାରବନି ବୋଲି ସିଜେଆଇ କହିବାରୁ ପରିସ୍ଥିତି ସ୍ୱଭାବିକ ହୋଇଥିଲା।

ହିନ୍ଦୁମହାସଭା ଦେଇଥିଲା ନକ୍ସା
କୋର୍ଟରେ ହିନ୍ଦୁ ମହାସଭା ପକ୍ଷରୁ ଲଢୁଥିବା ଓକିଲ ବିକାଶ ସିଂହ ଏକ ପୁସ୍ତକ ଓ ରାମଜନ୍ମ ଭୂମିସ୍ଥାନକୁ ଚିହ୍ନତ କରୁଥିବା ନକ୍ସା କୋର୍ଟଙ୍କୁ ଦେଇଥିଲେ। ତେବେ ମୁସ୍ଲିମପକ୍ଷଙ୍କ ଓକିଲ ରାଜୀବ ଧାୱନ ଦସ୍ତାବେଜକୁ ରେକର୍ଡରେ ନଥିବା କହି ବିରୋଧ କରିଥିଲେ। ଏଣୁ ନ୍ୟାୟାଳୟରେ ୫ ଜଣିଆ ଖଣ୍ଡପୀଠକୁ ଜଣାଇ ନକ୍ସା ଚିରିବାକୁ ତାଙ୍କର ଅଧିକାର ଅଛି ବୋଲି କହି ଏହାକୁ ଚିରିଦେଇଥିଲେ। ତେବେ ମୁସ୍ଲିମପକ୍ଷ ଓକିଲଙ୍କ ଏଭଳି ଆଚରଣ ଶୁଣାଣି ଅନୁକୂଳ ନୁହେଁ ବୋଲି ସିଜେଆଇ ସଫାସଫା କହିଥିଲେ। ଏଲହାବାଦ ହାଇକୋର୍ଟ ୨୦୧୦ ମସିହା ସେପ୍ଟେମ୍ବର ୩୦ ତାରିଖରେ ଶ୍ରୀରାମ ଜନ୍ମଭୂମିର ୨.୭୭ ଏକର ଜମିକୁ ୩ ଅଂଶିଦାରଙ୍କ ମଧ୍ୟରେ ସମାନସମାନ ବାଣ୍ଟିଦେଇଥିଲେ। ହାଇକୋର୍ଟଙ୍କ ଆହି ରାୟ ବିପକ୍ଷରେ ସୁପ୍ରିମକୋର୍ଟରେ ୧୪ଟି ପିଟିସନ ଦାଖଲ ହୋଇଥିଲା। ତେବେ ସମସ୍ତ ପିଟିସନ ଉପରେ ଆଜି ଶୁଣାଣି ଶେଷ ହୋଇଛି।