ଜାନୁଆରୀ ୨୬ରେ ହେବ ଅଯୋଧ୍ୟାରେ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ, ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ
18/01/2021 at 1:50 PM

ଅଯୋଧ୍ୟା ୧୮/୦୧ : ଅଯୋଧ୍ୟାରେ ଜାନୁଆରୀ ୨୬ ତାରିଖ, ସାଧାରଣତନ୍ତ୍ର ଦିବସ ଅବସରରେ ମସଜିଦ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ଅବସରରେ ବୃକ୍ଷରୋପଣ ମଧ୍ୟ ହେବ। ଏହାସହ ୫ ଏକର ଜମିର ମାଟି ପରୀକ୍ଷା ପ୍ରକ୍ରିୟା ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବ। ଇଣ୍ଡୋ-ଇସ୍ଲାମିକ ସାଂସ୍କୃତି ଫାଉଣ୍ଡେସନର ସଚିବ ଅତହର ହୁସେନ କହିଛନ୍ତି ଯେ ସକାଳ ସାଢେ ୮ଟା ସମୟରେ ମସଜିଦ ପ୍ରକଳ୍ପର ୫ ଏକର ଜମିରେ ଜାତୀୟ ପତାକା ଉତ୍ତୋଳନ କରାଯିବ।
ଇଣ୍ଡୋ-ଇସ୍ଲାମିକ ସଂସ୍କୃତି ଫାଉଣ୍ଡେସନ ପୂର୍ବରୁ ହିଁ କହିଥିଲା ଯେ ଜାନୁଆରୀ ୨୬ ତାରିଖ କିମ୍ବା ଅଗଷ୍ଟ ୧୫ ତାରିଖରେ ଅଯୋଧ୍ୟାରେ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନାର ଯୋଜନା ରହିଛି। ରବିବାର ଦିନ ଇଣ୍ଡୋ-ଇସ୍ଲାମିକ ସଂସ୍କୃତି ଫାଉଣ୍ଡେସନର ଭର୍ଚୁଆଲ୍ ବୈଠକ ବସିଥିଲା ଯେଉଁଥିରେ ୨୬ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନା ଉପରେ ସମସ୍ତ ସଦସ୍ୟଙ୍କ ସହମତିରେ ମୋହର ଲାଗିଥିଲା। ପତାକା ଉତ୍ତୋଳନ ପରେ ସଦସ୍ୟ ଟ୍ରଷ୍ଟି ଓ ଫାଉଣ୍ଡେସନ ମୁଖ୍ୟ ଟ୍ରଷ୍ଟି ମସଜିଦର ମୂଳଦୁଆ ପକାଇବେ। ଏହି ଅବସରରେ ଟ୍ରଷ୍ଟର ସମସ୍ତ ୯ଜଣ ସଦସ୍ୟ ଉପସ୍ଥିତ ରହିବେ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅଯୋଧ୍ୟା ମସଜିଦ ପାଇଁ ୫ ଏକର ଜମି ଦିଆଯାଇଛି। ଇଣ୍ଡୋ-ଇସ୍ଲାମିକ ସଂସ୍କୃତି ଫାଉଣ୍ଡେସନ ଏହି ଜମିରେ ମସଜିଦ ସହ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ, ସଂଗ୍ରହାଳୟ, ପୁସ୍ତକାଳୟ, କମ୍ୟୁନିଟି ରୋଷେଇଘର, ଇଣ୍ଡୋ-ଇସ୍ଲାମିକ ସଂସ୍କୃତି ରିସର୍ଚ୍ଚ ସେଣ୍ଟର ଓ ପବ୍ଲିସିଙ୍ଗ ହାଉସ ନିର୍ମାଣର ନିଷ୍ପତ୍ତି ନିଆଯାଇଛି। ୨୬ ତାରିଖରେ ଔପଚାରିକ ଭାବେ ଏହି ପ୍ରକଳ୍ପ ଆରମ୍ଭ ହେବ।
ଧନ୍ନିପୁର ମସଜିଦ ପରିସରରେ ୨ଟି ବିଲଡିଂ ନିର୍ମାଣ ହେବ। ଗୋଟିଏ ମସଜିଦ ପାଇଁ ଆଃ ଅନ୍ୟଟି ହସ୍ପିଟାଲ, ପୁସ୍ତକାଳୟ, ମ୍ୟୁଜିୟମ ଓ କମ୍ୟୁନିଟି କିଚେନ୍ ପାଇଁ। ୩୫୦୦ ବର୍ଗ ମିଟର ଜମିରେ କେବଳ ମସଜିଦ ନିର୍ମାଣ ହେବ। ୨୪୧୫୦ ବର୍ଗ ମିଟରର ଅନ୍ୟ ବିଲଡିଂରେ ହସ୍ପିଟାଲ, ୯୦୦୦ ବର୍ଗ ମିଟର ଜମିରେ ବେଶମେଣ୍ଟ ନିର୍ମାଣ ହେବ। ମୁଖ୍ୟ ଆର୍କିଟେକ୍ଟ ଏସଏମ ଅଖତର କହିଛନ୍ତି ଯେ ମସଜିଦ ଦୁଇ ମହଲା ବିଶିଷ୍ଟ ହେବ ଯେଉଁଠାରେ ଏକାସଙ୍ଗେ ୨ ହଜାର ଲୋକ ନମାଜ ପଢିପାରିବେ। ପରିସରରେ ସୋଲାର ଏନର୍ଜି ବ୍ୟବହାର କରାଯିବ। ମହିଳାଙ୍କ ପାଇଁ ଅଲଗା ବ୍ୟବସ୍ଥା ହେବ। ସଚିବ ଅତହର ହୁସେନ କହିଛନ୍ତି ମ୍ୟୁଜିୟମ ହିନ୍ଦୁ ମୁସଲମାନ ଏକତାର ମିଶାଲ ପେଶ କରିବ।