Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୀପାବଳି ପୂର୍ବରୁ ଝଲସି ଉଠିଲା ଅଯୋଧ୍ୟା, ଲୋକେ କହିଲେ- ଆସିଛନ୍ତି ପ୍ରଭୁ ରାମଚନ୍ଦ୍ର

3/11/2021 at 10:12 AM

ଅଯୋଧ୍ୟା ୦୩/୧୧: ଉତ୍ତରପ୍ରଦେଶର ଅଯୋଧ୍ୟାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଭିନ୍ନ ଚମକ ଦେଖିବାକୁ ମିଳିଛି।​ ସରଜୁ ଘାଟଗୁଡ଼ିକ ଆଲୋକରେ ସୁସଜ୍ଜିତ ହୋଇଛି। ମଙ୍ଗଳବାର ଦିନ ଘାଟରେ ଲାଇଟ୍ ଶୋ ସହିତ ଦୀପୋତ୍ସଭ ଆରମ୍ଭ ହୋଇଛି। ୨୦୧୭ ମସିହାରେ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟିର ଯୋଗୀ ସରକାର ଦୀପୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେବେଠାରୁ ପ୍ରତିବର୍ଷ ଦୀପାବଳି ପୂର୍ବରୁ ଅଯୋଧ୍ୟାରେ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଏଥର ଦୀପୋତ୍ସବରେ ଉତ୍ତରପ୍ରଦେଶ ସରକାର ୧୨ ଲକ୍ଷ ଦୀପ ଜାଳିବେ, ସେଥିମଧ୍ୟରୁ ସରଜୁ ନଦୀ କୂଳରେ ନଅ ଲକ୍ଷ ଦୀପ ଜଳାଯିବ। ଗତ ବର୍ଷ ‘ଦୀପୋତ୍ସଭ’ରେ ଛଅ ଲକ୍ଷରୁ ଅଧିକ ଦୀପ ଜଳାଯାଇଥିଲା ଯାହାକି ବିଶ୍ୱ ରେକର୍ଡ କରିଥିଲା।

ସରକାରଙ୍କ ବିବୃତ୍ତି ଅନୁଯାୟୀ ଏହି ପାଞ୍ଚ ଦିନିଆ ଉତ୍ସବରେ ରାମଲିଳା, 3D ହୋଲୋଗ୍ରାଫିକ୍ ପ୍ରଦର୍ଶନ, ଲେଜର ସୋ ଏବଂ ଆତସବାଜି ମଧ୍ୟ ମଞ୍ଚସ୍ଥ ହେବ। ଏହି ବିବୃତ୍ତିରେ କୁହାଯାଇଛି ଯେ ନଦୀ କୂଳରେ ନଅ ଲକ୍ଷ ଦୀପ ଜଳାଯିବ ଏବଂ ଶେଷ ତିନି ଲକ୍ଷ ଦୀପ ସହରର ଅନ୍ୟ ଅଞ୍ଚଳରେ ନଭେମ୍ବର ୩ ତାରିଖ ରାତି ୬ଟାରୁ ୬:୩୦ ମଧ୍ୟରେ ଜଳିବ।

ଜିଲ୍ଲା ମାଜିଷ୍ଟ୍ରେଟ ନୀତୀଶ କୁମାର କହିଛନ୍ତି ଯେ, ନଭେମ୍ବର ୩ ତାରିଖ ‘ଦୀପୋତ୍ସବ’ ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଅଯୋଧ୍ୟାରେ ରାମକଥା ପାର୍କରେ ପୁଷ୍ପକ ବିମାନ (ହେଲିକପ୍ଟର)ରୁ ପ୍ରଭୁ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କୁ ପ୍ରତୀକାତ୍ମକ ଭାବେ ସ୍ୱାଗତ କରିବେ। ମୁଖ୍ୟମନ୍ତ୍ରୀ ‘ସରଜୁ ଆରତୀ’ ମଧ୍ୟ କରିବେ।

   Related Posts